ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ କଡ଼ା ସୁରକ୍ଷାବଳୟରେ ଗାନ୍ଧୀମାର୍ଗ। ସମାରୋହ ପାଇଁ ଆଜି ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଆଦିତ୍ୟ ମହାପାତ୍ର, ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ଉମାଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଗାନ୍ଧୀମାର୍ଗରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେହିପରି ଡଗ୍ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍-କ୍ୟାଚର୍ ଟିମ୍ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ରାସ୍ତାରେ ବିଶୋଧକ ସିଞ୍ଚନ କରାଯାଇଥିଲା। ସମାରୋହ ପାଇଁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନାରେ ୫ ଅତିରିକ୍ତ ଡିସିପି, ୧୩ ଏସିପି, ୧୮ ଇନ୍ସପେକ୍ଟର, ୬୫ ସବ୍ଇନ୍ସପେକ୍ଟର୍ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବେ। ଟ୍ରାଫିକ୍ ପରିଚାଳନା ପାଇଁ ୩ ପ୍ଲାଟୁନ୍ ଫୋର୍ସ ରହିବେ। ଏହାସହ ବୋମା ନିଷ୍କ୍ରିୟକାରୀ ଦଳ, ସାର୍ପ ସୁଟର୍, ସାଦା ପୋଷାକଧାରୀ ପୁଲିସ, କୁଇକ୍ ରେସପନ୍ସ ଟିମ୍ (କ୍ୟୁଆରଟି) ମୁତୟନ ରହିବେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଗାନ୍ଧୀମାର୍ଗ ଏବଂ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଛି। ଏହାସହ ଗାନ୍ଧୀମାର୍ଗକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନିୟନ୍ତ୍ରଣକୁ ନିଆଯାଇଛି। ଗାନ୍ଧୀମାର୍ଗର ବିଭିନ୍ନ ଅଞ୍ଚଳରେ ଶହେରୁ ଊର୍ଧ୍ବ ସିସି କ୍ୟାମରା ଖଞ୍ଜା ଯାଇଛି। କଣ୍ଟ୍ରୋଲ୍ ରୁମ୍ରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି। ତେବେ କୋଭିଡ୍ କଟକଣା ବଳବତ୍ତର ଥିବାରୁ ପରେଡ୍ସ୍ଥଳକୁ ସାଧାରଣ ଲୋକଙ୍କ ପ୍ରବେଶ ବାରଣ କରାଯାଇଛି।
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ: କଡ଼ା ସୁରକ୍ଷା ବଳୟରେ ଗାନ୍ଧୀମାର୍ଗ
Advertisment
Follow Us