ନନ୍ଦନକାନନ‌ରେ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି, ମାସେ ପରେ ଗଡ଼ିବ ଶିଶୁ ରେଳ!

Advertisment
ନନ୍ଦନକାନନ‌ରେ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି, ମାସେ ପରେ ଗଡ଼ିବ ଶିଶୁ ରେଳ!

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ୬ବର୍ଷ ଧରି ବନ୍ଦ ରହିଥିବା ଶିଶୁ ରେଳ ପୁଣି ଟ୍ରାକ୍‌କୁ ଫେରିବ। ଏନେଇ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି। କିନ୍ତୁ ଏହାର ମଜା ନେବା ପାଇଁ ଶିଶୁ ଓ ପର୍ଯ୍ୟଟକମାନଙ୍କୁ ଆଉ ମା‌ସଟିଏ ଅପେକ୍ଷା କରିବାକୁ ପଡ଼ିପାରେ। ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୋଳ ପୂର୍ଣ୍ଣିମା ବେଳେ ଗୋଟିଏ ଇଂଜିନ୍ ଆସିଥିଲା। ଏବେ ସୁଦ୍ଧା ଗୋଟିଗୋଟି ହୋଇ ଆଉ ଗୋଟିଏ ଇଂଜିନ୍ ଓ ୫ଟି ଡବା ଆସିଛି। ଆଜି ଶେଷଥରରେ ଦୁଇଟି ଡବା ଆସିଛି। ତେବେ ତରବରିଆ ଭାବେ ଏହାକୁ ଚଳାଇବାର ନିଷ୍ପତ୍ତି ବିପଦପୂର୍ଣ୍ଣ ହୋଇପାରେ। ତେଣୁ ସମସ୍ତ ପରୀକ୍ଷାନିରୀକ୍ଷା ପରେ ଏହି ଶିଶୁ ରେଳ ଚଳାଚଳ କରିବ ବୋଲି ସେ କହିଛନ୍ତି।

ତାଙ୍କ କହିବାନୁଯାୟୀ, ରେଳ ଧାରଣାରେ କେଉଁଠି ତ୍ରୁଟିବିଚ୍ୟୁତି ଥାଇପାରେ। ଏବେ କର୍ମଚାରୀମାନେ ରେଳ ଧାରଣା ଓ ପ୍ଲାଟଫର୍ମରେ ଉଠି ଯାଇଥିବା ଅନାବନା ଗଛଲତା କାଟି ସଫା କରି ନିରୀକ୍ଷଣ କରୁଛନ୍ତି। ଆଗ ଟ୍ରଲି ଗଡ଼ାଇ ନରୀକ୍ଷଣ କରାଯାଉଛି। ପରେ ଇଂଜିନ୍ ଗଡ଼ିବ। ଏବେ ରେଳଧାରଣାରେ ଇଂଜିନ୍ ଓ ଡବାକୁ ଗୋଟି ଗୋଟି କରି ଧାଡ଼ି କରାଯାଉଛି। ସେଗୁଡ଼ିକୁ ଖଞ୍ଜାଯିବା ପରେ ପରୀକ୍ଷାମୂଳକ ଭାବେ ରେଳ ଗଡ଼ିବ। ତା’ ପରେ ସେଥିରେ କିଛି କର୍ମଚାରୀ ବସି ଭ୍ରମଣ କରିବେ। ପ୍ରାୟ ଏକ ସପ୍ତାହ ଏପରି ପୁଙ୍ଖାନୁପୁଙ୍ଖ ଭାବେ ନିରୀକ୍ଷଣ କରାଯିବ। ରେଳଯାତ୍ରା ସଂପୂର୍ଣ୍ଣ ବିପଦମୁକ୍ତ ବୋଲି କର୍ମଚାରୀମାନେ ଆଶ୍ବସ୍ତ ହେବା ପରେ ଏହାକୁ ଉଦ୍‌ଘାଟନ କରାଯିବ।

ସୂଚନାଯୋଗ୍ୟ, ଏମ୍‌ସିଏଲ୍‌ ପକ୍ଷରୁ ୩.୦୫ କୋଟି ଟଙ୍କା‌ ବ୍ୟୟରେ ଶିଶୁ ରେଳ ପ୍ଲାଟଫର୍ମ ଓ ରେଳପଥ ଉନ୍ନତୀକରଣ ଲାଗି ୨୦୧୬ ଅକ୍ଟୋବର ୨୨ ତାରିଖରୁ ୨୦୨୦ ମସିହା ଡିସେମ୍ବର ୨୦ ତାରିଖ କାର୍ଯ୍ୟ ଶେଷ କରିବାର ଲାଗି କାର୍ଯ୍ୟାଦେଶ ଦିଆଯାଇଥିଲା। ଦାୟିତ୍ବ ବହନ କରିଥିବା ରାଇଟସ୍ କମ୍ପାନି ଗତ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଉନ୍ନତୀକରଣ କାର୍ଯ୍ୟ ସଂପୂର୍ଣ୍ଣ କରି ନନ୍ଦନକାନନକୁ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦେଇଥିଲା। ୯୩ ଲକ୍ଷ ଟଙ୍କା ବ୍ୟୟରେ ରାଜସ୍ଥାନର ଏକ ଇଂଜିନିୟରିଂ କମ୍ପାନି ନୂତନ ରେଳଡବା ଓ ଇଂଜିନ୍ ତିଆରି କରିବା ଲାଗି ରାଇଟସ୍‌ଠାରୁ କାର୍ଯ୍ୟାଦେଶ ପାଇଥିବା ସଂସ୍ଥା କାର୍ଯ୍ୟ ଚାଲୁ ରଖିଛି। ୨୦ଜଣ ଯାତ୍ରୀ ବସି ପାରିବା ଭଳି ୩ଟି, ୧୦ଜଣ ବସିବା ଭଳି ଗୋଟିଏ ଓ ୨ ଜଣ ବସିବା ଭଳି ୧ଟି ବଗିକୁ ମିଶାଇ ମୋଟ ୭୨ଜଣ ଏହି ଶିଶୁ ରେଳରେ ଏକାଥରକେ ଯାତ୍ରା କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe