ଖଣ୍ଡଗିରି: ସହର ବଢ଼ୁଥିବାରୁ ୟୁନିଟ-୧ ହାଟରେ ଥିବା ହୋଲ୍ସେଲ୍ ପରିବା ମାର୍କେଟ୍ ଉପରେ ଚାପ ବଢ଼ିବାରେ ଲାଗିଛି। ସହର ଭିତରକୁ ଦିନବେଳା ଭାରୀଯାନ ପ୍ରବେଶ ନିଷେଧ କରାଯାଇଛି। ହେଲେ ପରିବା ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହି ମାର୍କେଟ୍କୁ ଦିନରେ ମାଳ ମାଳ ଟ୍ରକ୍ ଯାତାୟତ କରୁଛି। ପ୍ରତ୍ୟେକ ଦିନ ଏଠାକୁ ୨୦୦ରୁ ଅଧିକ ଟ୍ରକ୍ ଆସୁଛି। ଏଠାରୁ ମଧ୍ୟ ଟ୍ରକ୍ରେ ପରିବା ରାଜ୍ୟର ବିଭିନ୍ନ ସ୍ଥାନ ଓ ରାଜ୍ୟ ବାହାରକୁ ଯାଉଛି। ଫଳରେ ସକାଳେ ସେଠାରେ ଭୟଙ୍କର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକ ଯମଯନ୍ତ୍ରଣା ଭୋଗୁଛନ୍ତି। ଏହାକୁ ନଜରରେ ରଖି ୨୦୧୦ ମସିହାରୁ ଏହାର ସ୍ଥାନାନ୍ତର ଦାବି ହେଉଥିଲା। ଏଣୁ ୨୦୧୯ ମସିହାରେ ଏହି ହାଟକୁ ଭଗବାନପୁରକୁ ସ୍ଥାନାନ୍ତରଣ କରିବାକୁ ଯୋଜନା ହେଲା। ସାଧାରଣ ପ୍ରଶାସନ ବିଭାଗ ବିଏମ୍ସିକୁ ଭଗବାନପୁରରେ ପ୍ରଥମେ ୩.୯୮ ଏକର ଓ ଦ୍ବିତୀୟ ପର୍ଯ୍ୟାୟରେ ୩.୨୩ ଏକର ଏଭଳି ୭.୨୧ ଏକର ଜାଗା ବି ଯୋଗାଇ ଦେଲା। ୨୦୨୨ ମସିହାରେ ଏହି ଜମିରୁ ବିଏମ୍ସି ଶହ ଶହ ଗଛ କାଟି ୧ କୋଟି ୭୪ ଲକ୍ଷ ୭ ହଜାର ୧୫୨ ଟଙ୍କାରେ ପାଚେରି ନିର୍ମାଣ କଲା। ହେଲେ ଗଛକଟା, ଆଉ ପାଚେରି କାମ ହେବା ପରେ ମଧ୍ୟ ଏବେ ସେହି ଯୋଜନା କାର୍ଯ୍ୟକାରୀ ହେବ ନା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ୟୁନିଟ୍-୧ ହାଟ ଉପରେ ଚାପ ବଢ଼ି ଚାଲିଛି
ପାଇକାରୀ ପରିବା ହାଟ କେବେ ଯିବ ଭଗବାନପୁରକୁ?
ବ୍ୟବସାୟୀମାନେ ଅଧିକ ଜାଗା ଆବଶ୍ୟକ କରୁଥିବା ବେଳେ ସେଠାରେ ଆଉ ଅଧିକ ଜାଗା ନଥିବାରୁ ବିଏମ୍ସି ଏବେ କିଂକର୍ତ୍ତବ୍ୟବିମୁଢ଼ ସ୍ଥିତିରେ ରହିଛି। ମେୟର ସୁଲୋଚନା ଦାସ ଓ ତତ୍କାଳୀନ କମିସନର ବିଜୟ ଅମୃତା କୁଲାଙ୍ଗେ ଏନେଇ ଏକାଧିକ ବାର ସଂଘ ସହ ଆଲୋଚନା କରିଥିଲେ। ହେଲେ ଗତବର୍ଷ ଡିସେମ୍ବର ମାସ ପରଠାରୁ ଏ ବାବଦରେ ଆଉ ଆଲୋଚନା ମଧ୍ୟ ହୋଇନାହିଁ। ବରଂ ପରିବା ବଜାର ଭିତରକୁ ଯିବା ପାଇଁ ରାସ୍ତା ସଙ୍କୁଚିତ ହୋଇ ଯାଉଥିବାରୁ ବାରମ୍ବାର ଅସନ୍ତୋଷ ପ୍ରକାଶ ପାଉଛି। ବିଭିନ୍ନ ସମସ୍ୟା ନେଇ ଗତ ବର୍ଷ ଅକ୍ଟୋବର ୧ ତାରିଖରୁ ୧ ନମ୍ବର ହାଟ ସପ୍ତାହ ହେବ ବନ୍ଦ ରହିଥିବା ବେଳେ ଅକ୍ଟୋବର ୨୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାରା ଭୁବନେଶ୍ବରରେ ପରିବା ବ୍ୟବସାୟ ବନ୍ଦ ରଖିବାକୁ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ଚେତାବନୀ ଦେଇଥିଲା। ଚଳିତ ବର୍ଷ ମଧ୍ୟ ସମସ୍ୟାର ସମାଧାନ ହୋଇ ନଥିବାରୁ ୩ ଦିନ ତଳେ ସଂଘ ପକ୍ଷରୁ ପୁଣି ବଜାର ବନ୍ଦ୍ କରିବାକୁ ଚେତାବନୀ ଦିଆଯାଇଛି। ହାଟରେ ରହିଥିବା ବିଭିନ୍ନ ସମସ୍ୟା ନେଇ ସାଧାରଣ ଲୋକ ଯନ୍ତ୍ରଣା ପାଇବା ଅନେକ ପ୍ରମାଣ ରହିଛି। କିନ୍ତୁ ଏହି ହାଟ ସ୍ଥାନାନ୍ତରରେ ଏତେ ବିଳମ୍ବ କାହିଁକି ହେଉଛି, ସେନେଇ କାହା ପାଖରେ ସେମିତି କିଛି ଜବାବ ନାହିଁ। ପରିବା ବ୍ୟବସାୟୀମାନେ ଅତି କମ୍ରେ ୧୦ ଏକର ଜାଗା ଆବଶ୍ୟକ ବୋଲି ବିଏମ୍ସିକୁ ଚିଠି ଲେଖିଥିଲେ। ହେଲେ ବିଏମ୍ସି ଆବଶ୍ୟକତା ଅନୁସାରେ ଯାଗା ଦେଇନାହିଁ।
ଅନ୍ୟପଟେ ଜାତୀୟ ରାଜପଥର ଭଙ୍ଗାଡ୍ରେନ୍ରୁ ବାହାରୁଥିବା ପାଣି ପୂରା ଅଞ୍ଚଳକୁ ଦୁର୍ଗନ୍ଧମୟ କରି ଦେଲାଣି। ଜମି ସେମିତିରେ କମ୍ ଥିବା ବେଳେ ୨ବର୍ଷ ତଳେ ସେଠାରେ ଏକ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ତିଆରି ହୋଇଛି। କଡ଼ରେ ଏବେ ବେସରକାରୀ ଜବରଦଖଲ ମଧ୍ୟ ବଢ଼ିବାରେ ଲାଗିଲାଣି। ଦିନ ଯେତିକି ଗଡ଼ିବ, ଜବରଦଖଲ ଉଚ୍ଛେଦ କରିବାକୁ ବିଏମ୍ସି ପାଇଁ ସେତିକି କାଠିକର ପାଠ ହେବ। ତେବେ ବର୍ତ୍ତମାନ ବି କମ୍ ଜବରଦଖଲ ହୋଇନାହିଁ। ତେଣୁ ନିକଟ ଭବିଷ୍ୟତରେ ଏହି ହୋଲ୍ସେଲ୍ ପରିବା ହାଟ ସ୍ଥାନାନ୍ତରଣ ନହେବା ଏକ ପ୍ରକାର ଥୟ ହୋଇଛି। ସୁଚନାଯୋଗ୍ୟ, ଏଠାରେ ଗତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ପାଚେରି, ଆପ୍ରୋଚ୍ ରୋଡ୍ ଓ ଭିତରେ ରାସ୍ତା ନିର୍ମାଣ ହେବାକୁ ଯୋଜନା ହୋଇଥିଲା। ଏହା ପରେ ଭିତରେ ବ୍ୟବସାୟୀଙ୍କ ପାଇଁ ସେଡ୍ ବା ଗୋଦାମ ନିର୍ମାଣ ହୋଇଥାନ୍ତା। ଏହା ସହିତ ଅନ୍ୟ ମୌଳିକ ଆବଶ୍ୟକତା, ଯଥା ପାଇଖାନା, ପାନୀୟ ଜଳ ଇତ୍ୟାଦି ବ୍ୟବସ୍ଥା କରାଯିବାକୁ ସ୍ଥିର କରାଯାଇଥିଲା। ଏହା ନିର୍ମାଣ ହେଲେ ୫୦ରୁ ଊର୍ଦ୍ଧ୍ବ ପରିବା ବ୍ୟବସାୟୀ ଏଠାକୁ ସ୍ଥାନାନ୍ତର ହୋଇଥାନ୍ତେ।
Follow Us