ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଅଧ୍ୟକ୍ଷ ସମ୍ମିଳନୀ

Advertisment
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଅଧ୍ୟକ୍ଷ ସମ୍ମିଳନୀ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମ୍ମିଳନୀ ଆଜି ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କୁଳପତି ପ୍ରଫେସର୍‌ ବ୍ୟୋମକେଶ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। କୋଭିଡ୍ ପରିସ୍ଥିତି ଯୋଗୁଁ ବାଧାପ୍ରାପ୍ତ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନାକୁ ସୁବ୍ୟବସ୍ଥିତ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ବିଶେଷକରି ମହାବିଦ୍ୟାଳୟରେ ଶିକ୍ଷାଦାନ ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶକୁ ଗୁରୁତ୍ବ ଦେଲେ ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଯାଇପାରିବ ବୋଲି ପରାମର୍ଶ ଦେଇଥିଲେ।

ଏହି ସମ୍ମିଳନୀରେ ପରୀକ୍ଷା ବ୍ୟବସ୍ଥା, ପାଠ୍ୟଖସଡ଼ା ପ୍ରସ୍ତୁତି, ନିଯୁକ୍ତି ସୁଯୋଗ, ଡିଜିଟାଲ ପାଠାଗାର, ଛାତ୍ରବୃତ୍ତି, ପତ୍ରିକା ପ୍ରକାଶନ, ଗୁଣାତ୍ମକ ଶିକ୍ଷା, ବାର୍ଷିକ କ୍ରୀଡ଼ା ଓ ଅନ୍ୟାନ୍ୟ ମହୋତ୍ସବ ଆୟୋଜନ ସଂପର୍କରେ ଆଲୋଚନା ହୋଇଥିଲା। ୬୦ରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟ ଅଧ୍ୟକ୍ଷମାନେ ସେମାନଙ୍କ ସୁଚିନ୍ତିତ ପରାମର୍ଶ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ମନୋଜ ଦାଶ ଚଳିତ ଶିକ୍ଷାବର୍ଷରେ ପରୀକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀ ପରିଚାଳନାରେ ଅଧ୍ୟାପକ ଚକ୍ରଧର ବେହେରା, ସମ୍ବରୁ ସୋଭୋରା, ଆଶିଷ ମହାପାତ୍ର, ମନୋରଞ୍ଜନ ଶ୍ରୀଚନ୍ଦନ, ଗୋପାଳ ପାଣିଗ୍ରାହୀ ଓ କମଳ ଶତପଥୀ ପ୍ରମୁଖ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe