ପାଠ ପ୍ରତି ବଢ଼ୁଛି କଏଦୀଙ୍କ ଆଗ୍ରହ

ପରୀକ୍ଷା ଦେବେ ୧୧୬

ପାଠ ପ୍ରତି ବଢ଼ୁଛି କଏଦୀଙ୍କ ଆଗ୍ରହ

Times of India

ଭୁବନେଶ୍ବର: ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ବଢ଼ୁଛି। ଚଳିତ ବର୍ଷ ଝାରପଡ଼ା ଜେଲ୍‌ରେ ମୋଟ ୧୧୬ଜଣ କଏଦୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଜଣ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା‌ ଦେବାକୁ ଫର୍ମ ପୂରଣ କରିଥିବ‌ା ବେଳେ ୩୬ ଜଣ ଉଚ୍ଚଶିକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି। ଏହାସହ ଅନ୍ୟ ଜିଲ୍ଲା ଜେଲ୍‌ରୁ ମଧ୍ୟ କଏଦୀମାନେ ଆସି ଝାରପଡ଼ା ଜେଲ୍‌ରେ ପରୀକ୍ଷା ଦେଉଛନ୍ତି।
ସୂଚନା ଅନୁସାରେ ଚଳିତ ମାସରେ ଓଡ଼ିଶା ‌ରାଜ୍ୟ ମୁକ୍ତ ବିଶ୍ବବିଦ୍ୟ‌ାଳୟର ବିଭିନ୍ନ ବିଭାଗରେ ପରୀକ୍ଷ‌ା ଆ‌ରମ୍ଭ ହୋଇଛି।

ଏଥି‌ରେ ମୋଟ ୩୬ଜଣ କଏଦୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରେ ୩୪ ଜଣ ପୁରୁଷ ‌ଥିବା ବେଳେ ୨ ଜଣ ମହିଳା କଏଦୀ ରହିଛନ୍ତି। ବିବିଏରେ ୧୨ ଜଣ, ବିକମ୍‌ରେ ଜଣେ, ବିସିଏରେ ୩ଜଣ, ଏମଜେଏମ୍‌ସିରେ ୪ଜଣ, ଡିପ୍ ଲୋମା ଇନ ଜର୍ଣ୍ଣାଲିଜିମରେ ୧୦ଜଣ, ସ୍ନାତକୋତ୍ତର ସଂସ୍କୃତରେ ୩ଜଣ, ସ୍ନାତକୋତ୍ତର ଓଡ଼ିଆରେ ଜଣେ, ସ୍ନାତକୋତ୍ତର ଇଂରାଜୀରେ ଜଣେ କଏଦୀ ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଉଚ୍ଚଶିକ୍ଷା ପାଇଁ ପରୀକ୍ଷା ଦେଉଥିବା କଏଦୀମାନଙ୍କ ମଧ୍ୟରୁ ୪ଜଣ ଅନ୍ୟ ଜିଲ୍ଲାରୁ ଆସୁଛନ୍ତି। ୨ଜଣ ପୁରୀରୁ ଆସୁଥିବା ବେଳେ ଜଣେ ଖୋର୍ଦ୍ଧା ଓ ଜଣେ କୁଜଙ୍ଗ ଜେଲ୍‌ରୁ ଆସୁଛନ୍ତି। ସେହିଭଳି ଏପ୍ରିଲ ୬ରୁ ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂରେ ଝାରପଡ଼ା ଜେଲରୁ ମୋଟ ୮୦ ଜଣ ପରୀକ୍ଷା‌ ଦେବେ। ସେମାନଙ୍କ ମଧ୍ୟରୁ ୬୦ଜଣ ଦଶମ ପରୀକ୍ଷା ଓ ୨୦ ଜଣ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଦେବାକୁ ଫର୍ମ ପୂରଣ କରିଛନ୍ତି।

ପରୀକ୍ଷାର୍ଥୀମାନଙ୍କ ପାଇଁ ଝାରପଡ଼ା ଜେଲ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ବିଶ୍ବବିଦ୍ୟ‌ାଳୟ ଓ ଜେଲ୍‌ରୁ ଜଣେ ଇନଭିଜିଲେଟର ଉପସ୍ଥିତ ରହୁଛନ୍ତି। ଜେଲ୍‌ରେ ଥିବା କଏଦୀମାନଙ୍କୁ ପଢ଼ାଇବା ପାଇଁ ବାହାରୁ ଶିକ୍ଷକ ଆସୁଛନ୍ତି। କିନ୍ତୁ ଏବେ ଜେଲ୍‌ରେ ଥିବ‌ା ଶିକ୍ଷିତ କଏଦୀମାନେ ଅନ୍ୟ ଇଚ୍ଛୁକ କଏଦୀମାନଙ୍କୁ ପଢ଼ାଇବେ ଓ ସେଥିପାଇଁ ସେମାନଙ୍କୁ ପାରିଶ୍ରମିକ ମିଳିବ ବୋଲି ସୂଚନା ମିଳିଛି। ଉଚ୍ଚ ଶିକ୍ଷିତ କଏଦୀମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯିବ। ଫଳରେ କଏଦୀମାନଙ୍କ ମଧ୍ୟ‌ରେ ପାଠ ପଢ଼ାପ୍ରତି ଆଗ୍ରହ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe