ନୂଆପଲ୍ଲୀ ଜଳାଶୟକୁ ନେଇ ବଢ଼ୁଛି ବିବାଦ, ଗ୍ରାମ କମିଟି ଦୁଇ ଭାଗ

Advertisment

କମ୍ପୋଷ୍ଟ ପ୍ଲାଣ୍ଟକୁ ବିରୋଧ

କମ୍ପୋଷ୍ଟ ପ୍ଲାଣ୍ଟକୁ ବିରୋଧ

ନୂଆପଲ୍ଲୀ ଜଳାଶୟକୁ ନେଇ ବଢ଼ୁଛି ବିବାଦ, ଗ୍ରାମ କମିଟି ଦୁଇ ଭାଗ

you tube

ଭୁବନେଶ୍ବର: ନୂଆପଲ୍ଲୀ ବେହେରା ସାହିରେ ଥିବା ଜଳାଶୟକୁ ନେଇ ବିବାଦ ଥମିବାର ନାଁ ଧରୁନି। ଜଳାଶୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣକୁ ନେଇ ଗ୍ରାମ କମିଟି ମଧ୍ୟରେ ଫାଟ ବଢ଼ି ଚାଲିଛି। ଆଜି ନୂଆପଲ୍ଲୀ ଗ୍ରାମ କମିଟି ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀ ପରେ ଘଟଣା ପଦାକୁ ଅସିଛି। ଗ୍ରାମ କମିଟି ପକ୍ଷରୁ କୁହାଯାଇଛି ଯେ, ଜଳାଶୟର ପୁନରୁଦ୍ଧାର କରାଯିବା ସହ ସେଠାରେ ୱାଟର୍‌ ପାର୍କ କରାଯିବା ପାଇଁ ସ୍ଥାନୀୟ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୱାଟର୍‌ ପାର୍କ ନିର୍ମାଣ ବଦଳରେ ଡମ୍ପିଂୟାର୍ଡ କରି ଜଳାଶୟର ପାଖାପାଖି ୩ ଏକର ଜାଗା ପୋତି ଦିଆଗଲା। ପରେ ସେଠାରେ ଜବରଦଖଲ କରାଯାଇ ମନ୍ଦିର, ବରିଷ୍ଠ ନାଗରିକ ଗୃହ, ମହିଳା ସମିତି କରାଯାଇଥିଲା। ସ୍ଥାନୀୟ ଲୋକମାନେ ପ୍ରତିବାଦ କରିବାରୁ ସେଠାରୁ ଡମ୍ପିଂୟାର୍ଡକୁ ହଟାଇବା ପାଇଁ ତତ୍‌କାଳୀନ ବିଏମ୍‌ସି କମିସନର କ୍ରିଷନ କୁମାର ‘ରାମ୍‌କି’କୁ ନିର୍ଦେଶ ଦେଇଥିଲେ। ଲୋକମାନଙ୍କ ପ୍ରତିକ୍ରିୟା ଦେଖି ସେଠାରୁ ଜବରଦଖଲ ଉଚ୍ଛେଦ କରିଦିଆଗଲା। ହେଲେ ବର୍ତ୍ତମାନ ସେଠାରେ ଦୁଇଟି ‌କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ଯୋଜନା କରାଯାଉ ଥିବାରୁ ଏଭଳି ଅସନ୍ତୋଷ ଦେଖା ଦେଇଛି। ଗ୍ରାମ କମିଟି କମ୍ପୋଷ୍ଟ ପ୍ଲାଣ୍ଟକୁ ତୀବ୍ର ବିରୋଧ କରିଛି। ଜଳାଶୟର ପୁନରୁଦ୍ଧାର କରିବା ସହ ୱାଟର ପାର୍କ କରିବା ପାଇଁ ଲୋକମାନେ ଜିଦ୍‌ ଧରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ନଟବର ସାମନ୍ତରାୟ, ଉପ ସଭାପତି ମହେନ୍ଦ୍ର ବଳବନ୍ତରାୟ, ଅଧୁ ବେହେରା, ସମ୍ପାଦକ ଦିବାକର ଜେନା, ଅଶୋକ ସାମନ୍ତରାୟ, ଭାସ୍କର ଦଳବେହେରା, ଶରତ ରାଉତ, ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ଗତ ୨୯ ତାରିଖରେ ନୂଆପଲ୍ଲୀ ବେହେରା ସାହି ଜଳାଶୟ ଜମି ମାପଚୁପକୁ ନେଇ ସ୍ଥାନୀୟ ଲୋ‌କେ ଅସନ୍ତୋଷ ପ୍ରକାଶ କରିଥିଲେ। ଜଳାଶୟର ୭ଏକର ଜମି ଚିହ୍ନଟ କରିବା ପରେ ସେଠାରେ କମ୍ପୋଷ୍ଟ ପ୍ଲାଣ୍ଟ ହେବ କି ନାହିଁ ଆଲୋଚନା କରାଯିବ ବୋଲି କହିଥିଲେ। ଲୋକମାନଙ୍କ ଦାବି ମୁତାବକ ଜଳାଶୟର ମାପଚୁପ ପାଇଁ ବିଏମ୍‌ସି କମିସନର୍‌ ନିର୍ଦେଶ ଦେଇଥିଲେ। ମାପଚୁପ ବେ‌ଳେ ବିଏମ୍‌ସି କର୍ମଚାରୀମାନେ ହାଲ୍‌(ବର୍ତ୍ତମାନ) ପଟ୍ଟା ଉପରେ ମାପ କରିଥିଲେ। ଯେଉଁଥିରେ ଜଳାଶୟର ୩ ଏକର ଜମି କାଟି ଦିଆଯାଇଛି। ଆଉ ୫୦ ଫୁଟ୍‌ ବିଶିଷ୍ଟ ଏକ ରୋଡ୍‌ ମଧ୍ୟ ରହିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଶାବକ(ପୁରୁଣା) ପଟ୍ଟାରେ ଜମି ମାପ କରିବାକୁ ଲୋକମାନେ ଜିଦ୍‌ ଧରିଥିଲେ।

ଅନ୍ୟପଟେ ନୂଆପଲ୍ଲୀ ଗ୍ରାମବାସୀ ମିଳିତ ହୋଇ ନୂଆପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିକୁ ବିରୋଧ କରିଛନ୍ତି।‌ ସେମାନେ କହିଛନ୍ତି ଯେ, ଜଳାଶୟ ପୁନରୁଦ୍ଧାରକୁ ନେଇ ଗ୍ରାମ୍ୟ ଉନ୍ନୟନ କମିଟି ସାମ୍ବାଦିକ ସମ୍ମିଳନୀ କରି ଜଳାଶୟ ପୁନରୁଦ୍ଧାର ସମ୍ପର୍କରେ ଅନେକ ବିଭ୍ରାନ୍ତମୂଳକ ତଥ୍ୟ ଓ ପ୍ରତିକ୍ରିୟା ଦେଇଛି। ସବୁଠୁ ଉଦ୍‌ବେଗର କଥା ହେଉଛି ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ ନେଇ ନୂଆପଲ୍ଲୀ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖାଯାଇଛି। କାରଣ ଜଳାଶୟ ପୁନରୁଦ୍ଧାରକୁ ନେଇ ଆସନ୍ତା ୧୪ ତାରିଖରେ ଗ୍ରାମବାସୀଙ୍କର ଏକ ସମୂହ ବୈଠକ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ନୂଆପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ହୋଇଥାଆନ୍ତା। ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କମିଟିର ସଭାପତି ନଟବର ସାମନ୍ତରାୟ ଓ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଗ୍ରାମବାସୀ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଗ୍ରାମବାସୀଙ୍କ ଅଗୋଚରରେ ବୈଠକ ବସିବା ପୂର୍ବରୁ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ଭୁଲ୍‌ ତଥ୍ୟ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରି କହିଛନ୍ତି। ଜଳାଶୟର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ନିରନ୍ତର ଚେଷ୍ଟା କରୁଛନ୍ତି। କିନ୍ତୁ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଏହାକୁ ଆୟୁଧ କରି ନିଜର ରାଜନୈତିକ ଓ ବ୍ୟକ୍ତିଗତ ଫାଇଦା ପାଇଁ କମିଟିର ଅପ ବ୍ୟବହାର କରୁଛନ୍ତି। କେବଳ ଗ୍ରାମର ସାମଗ୍ରିକ ବିକାଶ ପାଇଁ କମିଟି କାର୍ଯ୍ୟକରିବ। ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ସମସ୍ତ କାର୍ଯ୍ୟ ପରିଚାଳିତ ହେଉ ବୋଲି ବେହେରା ସାହିର ମହେଶ୍ବର ବେହେରା, ବିଷ୍ଣୁ ବେହେରା, ଭୋଇସାହିର ପ୍ରଦୀପ କୁମାର ଦାସ, ଦିବାକର ଦାସ, ଶବର ସାହିର ପ୍ରକାଶ ଦେହୁରୀ, ଦିଲ୍ଲୀପ ଦେହୁରୀ, ଗଡ଼ ସାହିର ବେଣୁଧର ଜଗଦ୍ଦେବ, ଭୀମସେନ ରାଉତ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe