କନ୍ଦାଉଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତା: ବିକଳ୍ପ ବାଟ ଫିଟୁନି

Advertisment

ଆଚାର୍ଯ୍ୟ ବିହାରରୁ ଡମଣା ଛକ ରାସ୍ତା କାମ ସରୁନି, ସିଆରପିରୁ ଶିଖରଚଣ୍ଡୀ ରାସ୍ତାରେ ଜଙ୍ଗଲ ଜମି ବାଧକ

ଆଚାର୍ଯ୍ୟ ବିହାରରୁ ଡମଣା ଛକ ରାସ୍ତା କାମ ସରୁନି, ସିଆରପିରୁ ଶିଖରଚଣ୍ଡୀ ରାସ୍ତାରେ ଜଙ୍ଗଲ ଜମି ବାଧକ

କନ୍ଦାଉଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତା: ବିକଳ୍ପ ବାଟ ଫିଟୁନି

ଚନ୍ଦ୍ରଶେଖରପୁର: ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ସୃଷ୍ଟି ହେଉଥିବା ଅସମ୍ଭାଳ ଭିଡ଼ ଦୂର ପାଇଁ ସମାନ୍ତରାଳ ରାସ୍ତା ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଗତ କିଛି ବର୍ଷ ତଳେ ଟେଣ୍ଡର ପ୍ରକ୍ରିୟା ସହ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବିଡିଏ। ରାସ୍ତାକୁ ରାସ୍ତା କିଭଳି ସଂଯୋଗ କରାଯିବ? ରାସ୍ତାର ଡିଜାଇନ୍‌ କିଭଳି ହେବ? ରାସ୍ତାପାର୍ଶ୍ବରେ କେଉଁ ସବୁ ବ୍ୟବସ୍ଥା ରହିବ, ତାହା ସ୍ଥିର ହୋଇଥିଲା। ଇତି ମଧ୍ୟରେ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରିନି। ସବୁ ରାସ୍ତା ଅଧାପନ୍ତରିଆ ହୋଇ ରହିଛି। କେଉଁଠି ଜବରଦଖଲ ସମସ୍ୟା ସୃଷ୍ଟି କରୁଛି ତ ଆଉ କେଉଁଠି ଜଙ୍ଗଲ ଜମି ବାଟ ଓଗାଳିଛି। ଯେଉଁଥିପାଇଁ ଟ୍ରାଫିକ୍‌ ଯନ୍ତ୍ରଣାରେ ପେଶି ହେଉଛନ୍ତି ରାଜଧାନୀବାସୀ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୋକସଂଖ୍ୟା ବଢ଼ୁଛି। ତା’ ସାଙ୍ଗକୁ ଘର ନିର୍ମାଣ ବି ବଢ଼ି ଚାଲିଛି। ତାହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ସଂଯୋଗ କରୁଥିବା ଜୟଦେବବିହାର-ନନ୍ଦନକାନନ ରାସ୍ତାର ବିକଳ୍ପ ରାସ୍ତା ନିର୍ମାଣ କରିବାକୁ ବିଡିଏ ପକ୍ଷରୁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଥିଲା। ୨୦୧୭‌ରେ ମୁଖ୍ୟ ଶାସନ ସଚିବ କାର୍ଯ୍ୟର ସମୀକ୍ଷା କରିବା ବେଳେ ନିଷ୍ପତ୍ତି ହୋଇଥିଲା ଯେ ଆଚାର୍ଯ୍ୟ ବିହାରରୁ ଡମଣା ଛକକୁ ବିଳକ୍ପ ରାସ୍ତା ସଂଯୋଗ କରାଯିବ। ସୈନିକ ସ୍କୁଲ୍‌ ମୁଖ୍ୟ ଫାଟକ ନିକଟରୁ ଏହି ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ। ସୈନିକ ସ୍କୁଲ୍‌ରୁ ମଞ୍ଚେଶ୍ୱର ରେଲୱେ ହସ୍ପିଟାଲ୍‌-ରେଲୱେ ଵାର୍କସପ୍‌ କଲୋନି-କେନ୍ଦ୍ରୀୟ ବିଦ୍ୟାଳୟ-୩-ନେତାଜୀ ସୁଭାଷ ଏନ୍‌କ୍ଲେଭ୍‌-ଗୁରୁ କେଳୁଚରଣ ପାର୍କ ହୋଇ ଏହି ରାସ୍ତା ଡମଣା ଛକ ସହ ସଂଯୁକ୍ତ ହେବ।

publive-image

ଏହି ରାସ୍ତାରେ ଲୋକଙ୍କ ଗମନାଗମନ ପାଇଁ ଫୁଟ୍‌ପାଥ, ସାଇକେଲ୍‌ ଟ୍ରାକ୍‌, ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍‌, ସୈନିକ ସ୍କୁଲ୍‌ ନିକଟରେ ଭିଡ଼ କମାଇବା ନିମନ୍ତେ ଏକ ଫୁଟ୍‌ ଓଭରବ୍ରିଜ୍‌ ମଧ୍ୟ ନିର୍ମାଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଦେଢ଼ ବର୍ଷ ତଳେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଡମଣା ନିକଟରେ ଥିବା ଜବରଦଖଲକୁ ହଟାଇବା ବିଡିଏ ପାଇଁ କାଠିକର ପାଠ ହୋଇଯାଇଛି। ଯେଉଁଥିପାଇଁ ଏ ପର୍ଯ୍ୟନ୍ତ ବି କାମ ସରିପାରୁନି। ସେହିପରି ସିଆରପିଏଫ୍ ଛକଠାରୁ କିଟ୍‌ ଛକ ପର୍ଯ୍ୟନ୍ତ ଏକ ବିକଳ୍ପ ରାସ୍ତା ଖୋଲିବାକୁ ବି ସ୍ଥିର ହୋଇଥିଲା। ଏହି ରାସ୍ତା ସିଆରପି ଛକରୁ ବାହାରି ଏକାମ୍ର ଛକ, ପଥରଗାଡ଼ିଆ, ହାତିଆଶୁଣୀ ଦେଇ ଶିଖରଚଣ୍ଡୀ ଛକ ନିକଟରେ ସଂଯୋଗ କରିବାକୁ ସ୍ଥିର ହୋଇଥିଲା। ହେଲେ ରାସ୍ତାର କାମ ବି ଆଗେଇ ପାରିନି। ୪ ଥାକିଆ ରାସ୍ତା ଲୁମ୍ବିନୀ ବିହାର ନିକଟ ପାର ହେବା ପରେ ଏକାମ୍ରକାନନ ପାଚେରି ନିକଟରେ ଅଟକି ରହିଯାଇଛି। ୬ ମାସ ହେଲା କାମ ଆଉ ଆଗକୁ ବଢ଼ିପାରୁ ନାହିଁ। ଏଠାରେ ଜଙ୍ଗଲ ଜମି ପ୍ରତିବନ୍ଧକ ସାଜିଥିବାରୁ ଏକାମ୍ରକାନନରୁ ରେଳ ବିହାରକୁ ସଂଯୋଗ ହୋଇପାରୁନି। ନିର୍ମାଣ ହେଉଥିବା ଦୁଇ ବିକଳ୍ପ ରାସ୍ତା ନେଇ ବିଧାନସଭାରେ ବି ପ୍ରଶ୍ନ ଉଠିଛି। ଗତ ବିଧାନସଭା ଅଧିବେଶନ ସମୟରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉତ୍ତର ରଖିଥିଲେ ଯେ ଆଚାର୍ଯ୍ୟ ବିହାରରୁ ହେବାକୁ ଥିବା ବିକଳ୍ପ ରାସ୍ତା ଗାଡ଼କଣ ମୌଜା ଦେଇ ନନ୍ଦନକାନନ ରାସ୍ତାରେ ମିଶୁଛି। ବିଡିଏ ଦ୍ବାରା ଏହାର ଯୋଜନା ହୋଇଛି। ବର୍ତମାନ ଡମଣା ଛକରୁ ନେତାଜୀ ସୁଭାଷ ଏନ୍‌କ୍ଲେଭ୍‌ ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁ ରହିଛି। ସେହିପରି ଶିଖରଚଣ୍ଡୀ-ଇନ୍‌ଫୋସିଟି-ଲୁମ୍ବିନୀ ବିହାର-ରେଳ ବିହାର-ଏକାମ୍ରକାନନ ହୋଇ ସିଆର୍‌ପି ଓ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟ ହାତକୁ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ।

ଖଣ୍ଡଗିରିରୁ କିଟ୍‌ ଛକକୁ ଆଉ ଏକ ରାସ୍ତା
ଦୁଇଟି ବିକଳ୍ପ ରାସ୍ତା ସରି ନଥିବା ବେଳେ ଆଉ ଏକ ବିକଳ୍ପ ରାସ୍ତା ପାଇଁ ବାଟ ଫିଟୁଛି। ଖଣ୍ଡଗିରି ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ଏକ ବିକଳ୍ପ ରାସ୍ତା ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହି ରାସ୍ତା କିଟ୍‌ ଛକଠାରୁ ପଥରଗାଡ଼ିଆ ଦେଇ ଖଣ୍ଡଗିରି-ଚନ୍ଦକା ରାସ୍ତାରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ନିକଟକୁ ସଂଯୋଗ କରିବ। ଏହାର କାର୍ଯ୍ୟ ଏବେ ଚାଲୁ ରହିଛି। ସମ୍ପୂର୍ଣ୍ଣ ହେବା ପରେ ଖଣ୍ଡଗିରି ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ଏକ ବିକଳ୍ପ ରାସ୍ତା ହୋଇପାରିବ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe