Police Commissionerate
ଭୁବନେଶ୍ବର: ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଅଭିଯୁକ୍ତ ଥିବା ୱାର୍ଡ ନମ୍ବର ୨୦ର କର୍ପୋରେଟର ପ୍ରେମାନନ୍ଦ ଜେନାଙ୍କୁ ଗିରଫ କରିବାକୁ ଯାଇ କମିସନରେଟ୍ ପୁଲିସ ହଟହଟା ହୋଇଛି। ଗତ ୨୮ ତାରିଖ ବିଳମ୍ବିତ ରାତିରେ ପ୍ରେମାନନ୍ଦଙ୍କୁ ମୈତ୍ରୀବିହାର ଥାନା ପୁଲିସ ଗିରଫ କରୁଥିବା ବେଳେ ଶତାଧିକ ସମର୍ଥକ ତାଙ୍କୁ ପୁଲିସ ହାତରୁ ଛଡ଼ାଇ ନେଇଛନ୍ତି। ଘଟଣାଟି ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ଗତ ୧୨ ତାରିଖ ରାତିରେ ପ୍ରେମା ସାହିରେ ମିଟିଂ ଡାକିଥିଲେ। ସେଠାରେ ସମସ୍ତେ ନିଜ ନିଜର ଅଭିଯୋଗ କହିଥିଲେ। ସେତିକିବେଳେ ସନ୍ତୋଷ ନାମକ ଜଣେ ଯୁବକ ନିଜର ଅଭିଯୋଗ କହିଥିଲେ। ଏକ କ୍ରିକେଟ୍ ଖେଳ ବେଳେ ତାଙ୍କ ବାଇକ୍କୁ ଭାଙ୍ଗି ଦିଆଯାଇଥିଲେ ବି ବାଇକ୍ ଭାଙ୍ଗିଥିବା ଯୁବକମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ସେ ପଚାରିଥିଲେ। ଏଥିରେ ପ୍ରେମା ରାଗିଯାଇଥିଲେ ଏବଂ ତାଙ୍କ ସମର୍ଥକମାନେ ରାଗରେ ସନ୍ତୋଷ ଏବଂ ତାଙ୍କର ୩ ସମର୍ଥକଙ୍କୁ ସେଠାରେ ନିସ୍ତୁକ ପିଟିଥିଲେ। ଏନେଇ ଥାନାରେ ଅଭିଯୋଗ କଲେ, ପରିସ୍ଥିତି ଭୟଙ୍କର ହେବ ବୋଲି ନିଜେ ପ୍ରେମା ଧମକଚମକ ଦେଇଥିଲେ। କିନ୍ତୁ ସନ୍ତୋଷ ଓ ତାଙ୍କ ସାଙ୍ଗମାନେ ଥାନାରେ ଅଭିଯୋଗ କରିଥିଲେ।
ଗତ ୨୬ତାରିଖ ରାତିରେ ସନ୍ତୋଷ ଓ ତାଙ୍କ ସାଙ୍ଗ ଜିତୁ ଦାସ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଯାତ୍ରା ପଡ଼ିଆ ନିକଟରେ ପ୍ରେମାଙ୍କ ସମର୍ଥକମାନେ ସେମାନଙ୍କୁ ଘେରି ଯାଇ ଉଭୟଙ୍କୁ ଠେଙ୍ଗା, ବାଡ଼ି, ବହ୍ଲାରେ ନିସ୍ତୁକ ପିଟିଲେ। ଫଳରେ ଜିତୁଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ସନ୍ତୋଷଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିଲା। ଏମିତିକି ତାଙ୍କ କାନ୍ଧ ହାଡ଼ ଓ ବାମ ହାତ ମଧ୍ୟ ଭାଙ୍ଗିଯାଇଥିଲା। ଖବର ପାଇ ମୈତ୍ରୀବିହାର ଥାନା ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇଥିଲା। ସନ୍ତୋଷ ଓ ଜିତୁଙ୍କ ଅଭିଯୋଗ ଆଧାରରେ ପୁଲିସ ପ୍ରେମାଙ୍କ ସମେତ ତାଙ୍କ ସମର୍ଥକମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗତ ୨୮ ତାରିଖ ରାତିରେ ଆଇଆଇସି ପ୍ରିୟଦର୍ଶୀ ନନ୍ଦ ଓ ତାଙ୍କ ଟିମ୍ ପ୍ରେମାନନ୍ଦଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ। କିନ୍ତୁ ଏତିକିବେଳେ ହଠାତ୍ ପ୍ରେମାଙ୍କ ଶହଶହ ସମର୍ଥକମାନେ ସେଠାରେ ପହଞ୍ଚି ହୋ-ହଲ୍ଲା କରିବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଶହଶହ ସମର୍ଥକଙ୍କୁ ମୁକାବିଲା କରିବା ପୁଲିସ ଟିମ୍ ପାଇଁ ସହଜ ହୋଇନଥିଲା। ପୁଲିସ ହାତ ଟେକି ଦେଇଥିଲା ଏବଂ ସମର୍ଥକମାନେ ପ୍ରେମାକୁ ନେଇ ସେଠାରୁ ପଳାଇଥିଲେ। ପୁଲିସ ବାଧ୍ୟ ହୋଇ ଖାଲି ହାତରେ ଫେରିଥିଲା।
Follow Us