ଅସଜଡ଼ା ଏକାମ୍ର କ୍ଷେତ୍ର

Advertisment
ଅସଜଡ଼ା ଏକାମ୍ର କ୍ଷେତ୍ର

ପୁରୁଣା ଭୁବନେଶ୍ବର: ଫନି ପ୍ରଭାବରେ ଏକାମ୍ର କ୍ଷେତ୍ରରେ ବିଭିନ୍ନ ମନ୍ଦିର ଓ ଐତିହ୍ୟ କାରୁକାର୍ଯ୍ୟ ସୁରକ୍ଷିତ ରହିଥିଲେ ମଧ୍ୟ ଏହାର ପରିସର ନଷ୍ଟ ହୋଇଛି। ଯାହା ଏ ପର୍ଯ୍ୟନ୍ତ ସଜଡ଼ା ହୋଇନାହିଁ। ବାତ୍ୟାରେ କେଉଁଠି ଗଛ ପଡ଼ି ରୋଷ ଘର ଛପର ଉଡ଼ିଯାଇଛି ତ ଆଉ କେଉଁଠି ପାଚେରି ଭାଙ୍ଗି ଯାଇଥିଲା। ତେବେ ଏନେଇ ଏଏସ୍‌ଆଇ ପକ୍ଷରୁ ଅନୁଧ୍ୟାନ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ମନ୍ଦିର ପାଚେରି, ଅସ୍ଥାୟୀ ଗୃହଗୁଡ଼ିକର ଟିଣ ଛାତ ନଷ୍ଟ ହୋଇଥିବା ବେଳେ କେତେକ ସ୍ଥାନରେ ଗଛ ଉପୁଡ଼ିବା ଯୋଗୁଁ ଚଟାଣ ମଧ୍ୟ ନଷ୍ଟ ହୋଇଛି। ସେହିପରି ପ୍ରାୟ ସବୁ ମନ୍ଦିରରେ ଗଛ ଉପୁଡ଼ିଥିବାରୁ ହର୍ଟିକଲଚର ବିଭାଗକୁ ଚିଠି ଲେଖା ଯାଇଛି ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି।

ଶ୍ରୀଲିଙ୍ଗରାଜ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ବାତ୍ୟା ପରଦିନ ଅନୁଧ୍ୟାନ ପରେ ଜଣା ପଡ଼ିଥିଲା। ତେବେ ପୁଣି ଥରେ ଶ୍ରୀଲିଙ୍ଗରାଜ ମନ୍ଦିର ଅନୁଧ୍ୟାନ କରାଯିବ ବୋଲି ଏଏସ୍ଆଇ ସୁପରିଟେଣ୍ଡେଣ୍ଟ୍‌ କହିଛନ୍ତି। ତେବେ ସ୍ଥାନୀୟ ମାଉସୀ ମା’ ମନ୍ଦିର ନିକଟରେ ଗଛ ପଡ଼ି ଗେଟ୍‌ ଓ ଉଭୟ ପାର୍ଶ୍ବରୁ ପାଚେରି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ସେହିପରି ଭାସ୍କରେଶ୍ବର ମନ୍ଦିର, ପର୍ଶୁରାମେଶ୍ବର ମନ୍ଦିର ପାଚେରି ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି। ଶ୍ରୀଲିଙ୍ଗରାଜ ମନ୍ଦିରର ଅସ୍ଥାୟୀ ରୋଷ ଘର ନଷ୍ଟ ହୋଇଥିଲେ ମଧ୍ୟ ଏହା ହୋଇପାରିନାହିଁ। ଏନେଇ ଏଏସ୍‌ଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ କୁହନ୍ତି, ଏଏସ୍‌ଆଇ ଅଧୀନ ସବୁ କାମ ଯାଞ୍ଚ କରାଯାଇଛି। ଏହାର ପୁନରୁଦ୍ଧାର ପାଇଁ ଏଷ୍ଟିମେଟ୍‌ କରାଯାଇଛି। ଅନୁଦାନ ଆସିଲେ କାମ କରାଯିବ।

କାମ କଲାନି ବିନ୍ଦୁସାଗର ମ୍ୟୁଜିକାଲ ଫାଉଣ୍ଟେନ୍‌ 
ବିନ୍ଦୁସାଗରରେ ତିଆରି ହୋଇଥବା ମ୍ୟୁଜିକାଲ ଫାଉଣ୍ଟେନ୍‌ ହକି ବିଶ୍ବକପ୍‌ ପୂର୍ବରୁ ଉଦ୍‌ଘାଟିତ ହୋଇଥିଲା। ବାତ୍ୟା ପରେ ଏହା ଅଚଳ ହୋଇପଡ଼ିଛି। ଏହାର ମଟର ଗୃହରୁ ଲାଇଟ୍‌ ସିଷ୍ଟମ ଓ ସାଉଣ୍ଡ୍‌ ସିଷ୍ଟମ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି। ଏହି ପ୍ରକଳ୍ପ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ୩୦ ମିନିଟ୍‌ ଅବଧିର ଲାଇଟ୍‌ ଓ ସାଉଣ୍ଡ ସୋ ପ୍ରଦର୍ଶନ କରାଯାଉଥିଲା। ୭କୋଟି ଟଙ୍କା ବ୍ୟୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି କାମକୁ ଇଡ୍‌କୋ କରିଥିଲା। ତେବେ ଏହାର ପୁନରୁଦ୍ଧାର କାମ ହୋଇପାରି ନାହିଁ।

ଉପକଣ୍ଠରେ ଏବେବି ରହିଛି ସମସ୍ୟା
ଫନି ଯିବା ପରେ ରାଜଧାନୀର ଉପକଣ୍ଠରେ ଏବେ ବି ସମସ୍ୟା ଲାଗି ରହିଛି। ଉପକଣ୍ଠ ଗ୍ରାମ ମାନଙ୍କରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲେ ମଧ୍ୟ ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସୁଧୁରିନାହିଁ। ସେହିପରି କିଛି ବ୍ୟକ୍ତିଙ୍କ ବିଦ୍ୟୁତ୍‌ ତାର ଛିଣ୍ଡି ଥିବାରୁ ସେମାନଙ୍କ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ପାରିନାହିଁ। ଉପକଣ୍ଠରେ ଭାଙ୍ଗିଥିବା ଘର ଗୁଡ଼ିକ ଅବସ୍ଥା ଏବେବି ସେମିତି ରହିଛି। ସରକାରୀ ସାହଯ୍ୟ ମିଳିଥିଲେ ବି ଦରଦାମ ବୃଦ୍ଧି ଓ ଅସହ୍ୟ ଟାଣ ଖରା ଯେଗୁଁ ଘର ଗୁଡ଼ିକ ମରାମତି ହୋଇପାରନିାହିଁ।

ଆସିଲେଣି ପର୍ଯ୍ୟଟକ
ଏବେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ପ୍ରାୟ ୧୦ରୁ ଊର୍ଧ୍ବ ଟୁରିଷ୍ଟ ବସ୍ ଆସୁଥିବା ଜଣାପଡ଼ିଛି। ଧୀରେ ଧୀରେ ଅବଢ଼ାର ଚାହିଦା ବୃଦ୍ଧି ପାଇଛି। ଏବେବି ରାସ୍ତା କଡ଼ରେ ପଡ଼ିଥିବା ଅଳିଆ ହଟୁନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe