ସମସ୍ୟା ଘେରରେ କଳିଙ୍ଗ ବିହାର

ସମାଧାନ ପାଇଁ ମହାନଗର ନିଗମକୁ ଦାବି

ସମସ୍ୟା ଘେରରେ କଳିଙ୍ଗ ବିହାର

ଭୁବନେଶ୍ୱର: ସମସ୍ୟାରେ ବୁଡ଼ିଛି କଳିଙ୍ଗ ବିହାର। ସ୍ଥାନୀୟ ଅଞ୍ଚଳ ପାଇଁ ଉପଯୁକ୍ତ ରାସ୍ତା ନାହିଁ କି ସ୍ୱରେଜ୍‌ ଲାଇନ୍‌ ସଫା ହେଉନି। ଲୋକମାନଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ବିଏମ୍‌ସି ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି। ଏହି କଲୋନି ନିର୍ମାଣ ହେବାରେ ପ୍ରାୟ ୨୦ ବର୍ଷ ବିତିଗଲାଣି। ନିର୍ମାଣ ହୋଇଥିବା ରାସ୍ତାରୁ ପିଚୁ ଉଠିଗଲାଣି। ଫଳରେ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ସେକ୍ଟର-୪ରେ ଆଭ୍ୟନ୍ତରୀଣ ରାସ୍ତା ମରାମତି ଚାଲିଥିବା ବେଳେ ଅନ୍ୟ ଆବାସିକ କଲୋନିମାନଙ୍କରେ ରାସ୍ତାର ମରାମତି ହୋଇନାହିଁ। ବାରମ୍ବାର ରାସ୍ତା ମରାମତି ପାଇଁ ଦାବି ହେଉଥିଲେ ହେଁ କେହି ଶୁଣୁନାହାନ୍ତି। ତେଣୁ ଆଭ୍ୟନ୍ତରୀଣ ରାସ୍ତାର ତୁରନ୍ତ ମରାମତି କରିବା ପାଇଁ କଳିଙ୍ଗ ବିହାର ବାସିନ୍ଦା ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ପାଣି ଦାବି କରିଛନ୍ତି। ଶ୍ରୀ ପାଣି କହିଛନ୍ତି ଯେ ଗତବର୍ଷ ଭୂତଳ ସ୍ୱେରେଜ ଲାଇନ୍‌କୁ ସଫା କରାଯାଇ ସେଠାରେ ଥିବା ମ୍ୟାନ୍‌ହୋଲକୁ ଘୋଡ଼ାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ତାହା ମଧ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି। ଏହାସହ ସ୍ଥାନୀୟ ଆବାସିକ କଲୋନିରେ ଗୋଟିଏ ହେଲେ ବି ଶିଶୁ ଉଦ୍ୟାନ କି ଖେଳ ପଡ଼ିଆଟିଏ ନାହିଁ। ବାରମ୍ବାର ଏହି ସମସ୍ୟା ପ୍ରତି ମହାନଗର ନିଗମକୁ ଦର୍ଶାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରୁ ନ ଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe