ଶୀତଳଷଷ୍ଠୀ ଯାତ୍ରାରେ ବିଶୃଙ୍ଖଳା ଆଶଙ୍କା

Advertisment

ଦେବୋତ୍ତର ବିଭାଗର ଉଦ୍ୟମ ଫେଲ୍‌

ଦେବୋତ୍ତର ବିଭାଗର ଉଦ୍ୟମ ଫେଲ୍‌

ଶୀତଳଷଷ୍ଠୀ ଯାତ୍ରାରେ ବିଶୃଙ୍ଖଳା ଆଶଙ୍କା

ପୁରୁଣା ଭୁବନେଶ୍ୱର: ଶ୍ରୀକପିଳନାଥଙ୍କ ମନ୍ଦିରର ପୂର୍ବ ପରମ୍ପରା ବଜାୟ ରଖିବା ଉଦ୍ୟମ ଫେଲ୍‌ ମାରିଛି। ପରମ୍ପରା ବଜାୟ ନେଇ ହାଇକୋର୍ଟଙ୍କ ନିର୍ଦେଶ ପାଳନ ନହେଲେ ଶୀତଳଷଷ୍ଠୀ ଯାତ୍ରାରେ ସେବାୟତମାନେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି। ଫଳରେ ଶୃଙ୍ଖଳିତ ଶୀତଳଷଷ୍ଠୀ ଯାତ୍ରା ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଏପଟେ ଶନିବାର ଅପରାହ୍ଣ ୨ଟାରୁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତିରେ ଅସହଯୋଗ କରାଯିବ ବୋଲି ଦୁଇ ନିଯୋଗ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରେ ଏପରି ବିଶୃଙ୍ଖଳାକୁ ନେଇ ଅସନ୍ତୋଷ ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁମାନେ ମନ୍ଦିର ଆଗରେ ଧାରଣାରେ ବସିଛନ୍ତି।

ସୂଚନା ଅନୁଯାୟୀ ହାଇକୋର୍ଟଙ୍କ ନିର୍ଦେଶକୁ ପାଳନ କରିବାରେ ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ନେଲେ ନାହିଁ। ଏପରି ଅଭିଯୋଗ କରି ସେବାୟତମାନେ ଶୀତଳଷଷ୍ଠୀରେ ଅସହଯୋଗ କରିବେ ବୋଲି କହିଛନ୍ତି। ସେହିପରି ମନ୍ଦିର ପ୍ରଶାସନ ସମସ୍ୟା ସମାଧାନ ନେଇ ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରି ଶନିବାର ଅପରାହ୍ଣ ୨ଟାରୁ ଲିଙ୍ଗରାଜ ମନ୍ଦିର ନୀତିରେ ଅସହଯୋଗ କରାଯିବ ବୋଲି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ଆଜି ଲିଖିତ ଭାବେ ଜଣାଇ ଦିଆଯାଇଛି। ଏ ନେଇ ଆଜି ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡାଙ୍କୁ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନାଇବା ଉଦ୍ୟମ କରିଥିଲେ। ତେବେ ଏହା ବିଫଳ ହୋଇଥିଲା। ହୋଇକୋର୍ଟଙ୍କ ନିର୍ଦେଶ ପାଳନ ନହେଲେ ସେବାୟତମାନେ ଠାକୁରଙ୍କ ବିବାହ ମଙ୍ଗନଠାରୁ ୨ଦିନ ପର୍ଯ୍ୟନ୍ତ କାର୍ଯ୍ୟରେ ସାମିଲ ହେବେ ନାହିଁ ବୋଲି ଜଣାଇଥିଲେ। ଏନେଇ ଶ୍ରୀ ପତି ଓ ଶ୍ରୀ ପୂଜାପଣ୍ଡାଙ୍କୁ ପଚାରିବାରୁ ଉଭୟ କହିଥିଲେ, ବିବାଦର ସମାଧାନ କରିବା ଓ ପୂର୍ବପରି ପରମ୍ପରା ବଜାୟ ରଖିବାକୁ ଗତ ମେ’ ୨୧ତାରିଖରେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। କପିଳେଶ୍ୱର ମନ୍ଦିରରେ ଉଭୟ ସେବାୟତ ସେବା ନକଲେ ହାଇକୋର୍ଟଙ୍କ ନିର୍ଦେଶ ଅବମାନନା ହେବ। ପରମ୍ପରା ଭଙ୍ଗ ହେଲେ ଆଇନମନ୍ତ୍ରୀ ଓ ଦେବୋତ୍ତର ବିଭାଗ ଦାୟୀ ରହିବେ ବୋଲି ସେମାନେ କହିଥିଲେ। ସୂଚନା ଥାଉକି ମନ୍ଦିରର ସେବାକୁ ନେଇ କପିଳନାଥଙ୍କ ସେବାୟତ ଦୁଇ ଭାଗ ହୋଇଥିବା ବେଳେ ଏବେ କେବଳ ମଲିଆ ସେବାୟତ କପିଳେଶ୍ୱର ମନ୍ଦିରରେ ସେବା କରୁଛନ୍ତି। ବିବାଦର ସମାଧାନ ପାଇଁ ମଙ୍ଗଳବାର ଦେବୋତ୍ତର ବିଭାଗ ପକ୍ଷରୁୁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ସଭ୍ୟମାନଙ୍କ ଉପସ୍ଥିତରେ କପିଳେଶ୍ୱରର ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କୁ ଡକାଇ ଆଲୋଚନା କରିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପାଳନ ପାଇଁ ଉଭୟଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ଏହା ଫଳପ୍ରଦ ହୋଇ ନଥିଲା। କପିଳେଶ୍ୱର ମନ୍ଦିରରେ ଉଭୟ ସେବାୟତ ସେବା ନକଲେ ଶୀତଳଷଷ୍ଠୀ ଯାତ୍ରାରେ କପିଳନାଥ ଆସିପାରିବେ ନାହିଁ। ହାଇକୋର୍ଟଙ୍କ ନିର୍ଦେଶ ଅବମାନନା ହେବ ବୋଲି ଅଭିଯୋଗ କରି ଶ୍ରୀଲିଙ୍ଗରାଜ ମନ୍ଦିରର ଦୁଇ ନିଯୋଗର ସେବାୟତ ଅସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରକାଶ ଥାଉକି ଆସନ୍ତା ୧୬ରେ ଠାକୁରଙ୍କ ମଙ୍ଗନ କାର୍ଯ୍ୟ, ୧୭ ତାରିଖରେ ଶିବ ବିବାହ।

ପ୍ରଶାସନକୁ ଦାୟୀ କଲା ବିଜେପି

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଅଣଦେଖା କରାଯାଉଛି। ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପାରଗତା ଯୋଗୁଁ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ବନ୍ଦ ହେବା ଆଶଙ୍କା ଦେଖା ଦେଇଛି ବୋଲି ବିଜେପି ନେତା ଅମିୟ ଦାଶ ଓ ବହୁ ସେବାୟତ କହିଛନ୍ତି। ରାଜ୍ୟ ସରକାର ତୁରନ୍ତ ମହାପ୍ରଭୁଙ୍କ ପରିଚାଳନା ଦାୟିତ୍ଵ ନିଜ ହାତକୁ ନେବା ସହ ଶୃଙ୍ଖଳିତ ଭାବେ ନୀତି ସଂପନ୍ନ କରିବାକୁ ଦାବି କରିଛନ୍ତି।  ନଚେତ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି।

ଆଇନମନ୍ତ୍ରୀଙ୍କୁ ଭେଟିବେ

ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ପକ୍ଷରୁ ଆଜି ଟାଉନ୍‌ କ୍ଲବ୍‌ଠାରେ ସନ୍ଧ୍ୟାରେ ଏକ ବୈଠକ ବସିଥିଲା। ଏଥିରେ ସମସ୍ୟା ସଂପର୍କରେ ଆଲୋଚନା ହେବା ସହ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡାଙ୍କୁ ମନାଇବା ଉଦ୍ୟମ ହୋଇଥିଲା। ଏନେଇ ଆସନ୍ତାକାଲି ଆଇନମନ୍ତ୍ରୀଙ୍କୁ ଭେଟିବେ ବୋଲି ନିଷ୍ପତ୍ତି ହୋଇଥିଲା। କମିଟିର ସଭାପତି ସୁରେଶ କୁମାର ରାଉତରାୟ, ଉପସଭାପତି ଅମିୟ ଦାଶ, ସମ୍ପାଦକ ପୃଥ୍ଵୀକାନ୍ତ ମହାପାତ୍ର ଓ ସଭ୍ୟମାନେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe