ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଶାନ୍ତି ନଗର ଆବାସ ଯୋଜନା ପାଇଁ ଆଜିଠାରୁ ସ୍ୱତନ୍ତ୍ର ପଞ୍ଜୀକରଣ କ୍ୟାମ୍ପ୍ ଆରମ୍ଭ ହୋଇଛି। ଏଠାରେ ବସ୍ତି ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ ହେବାକୁ ଥିବାରୁ ୧୩୦୦ ପରିବାରକୁ ଥଇଥାନ କରିବା ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଥଇଥାନ ପାଇଁ ବସ୍ତି ବାସିନ୍ଦାଙ୍କୁ ଦୁଇଟି ସୁବିଧା ବିକଳ୍ପ ଦିଆଯାଇଛି। ସ୍ଥାନାନ୍ତରଣ ପାଇଁ ବିଏମ୍ସି ପକ୍ଷରୁ ନିର୍ମିତ ଟ୍ରାନ୍ଜିଟ୍ ହାଉସ୍ ଅଥବା ଭଡ଼ା ଘରେ ରହିବା ପାଇଁ ପସନ୍ଦ ଦିଆଯାଇଛି। ଭଡ଼ା ବାବଦକୁ ନୂତନ ନିର୍ମିତ ଘରେ ରହିବା ଯାଏ ପରିବାର ପିଛା ମାସିକ ଦୁଇ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବର୍ତମାନ ଘର ଖାଲି କରିଥିବା ପରିବାରଗୁଡ଼ିକୁ ବିଏମ୍ସି ପକ୍ଷରୁ ଏକ ଆଲଟ୍ମେଣ୍ଟ୍ ଲେଟର୍ ପ୍ରଦାନ କରାଯିବ ଯାହାକି ଆଗାମୀ ଦିନରେ ଘର ନିର୍ମାଣ ହେବା ପରେ ସଂପୃକ୍ତ ପରିବାର ବାସଗୃହ ପାଇବା ପାଇଁ ଏହାକୁ ପ୍ରମାଣ ଭାବେ ଦେଖାଇବେ।
ରାଜଧାନୀର ପ୍ରମୁଖ ଅଞ୍ଚଳ ତଥା ସ୍ମାର୍ଟ ଡିଷ୍ଟ୍ରିକ୍ଟ ଅଂଚଳରେ ଥିବା ଶାନ୍ତି ପଲ୍ଲୀ ଆବାସ ଯୋଜନାକୁ ତ୍ୱରିତ୍ କାର୍ଯ୍ୟକାରୀ କରିବା ପାଇଁ ବିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଆଜିଠାରୁ ସହିଦ ନଗର କଲ୍ୟାଣ ମଣ୍ଡପଠାରେ ଏହାର ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଚଳିତ ମାସ ୧୨ତାରିଖ ଯାଏ ଚାଲିବ। ଆବେଦନକାରୀମାନେ ଟ୍ରାନ୍ଜିଟ୍ ହାଉସ୍ରେ କି ଭଡ଼ା ଘରେ ରହିବାକୁ ଚାହୁଁଛନ୍ତିି ସେନେଇ ଆବେଦନ ଫର୍ମରେ ଲିଖିତ ଆକାରରେ ଜଣାଇବେ।
ସୂଚନାଯୋଗ୍ୟ ଯେ, ବିଏମ୍ସିର ୱାର୍ଡ ୩୪ରେ ସତ୍ୟନଗର ସ୍ଥିତ ଶାନ୍ତିନଗରରେ ୧୦ ଏକର ଜମିରେ ମୌଳିକ ସୁବିଧା ସୁଯୋଗ ସହିତ ଘରୋଇ ସହଭାଗିତାରେ ଆବାସ ଯୋଜନାର ପରିକଳ୍ପନା କରାଯାଇଛି। ଏଥିରେ ସାଢ଼େ ୬ ଏକର ଅଂଚଳରେ ବାସଗୃହ ନିର୍ମାଣ ହେବା ସହ ବଳକା ସାଢ଼େ ୩ ଏକର ଜମିରେ ଘରୋଇ ନିର୍ମାଣକାରୀ ସଂସ୍ଥା ବ୍ୟବସାୟିକ ଅଟ୍ଟାଳିକା ନିର୍ମାଣ କରିବ। ଯାଦ୍ୱାରା ପ୍ରକଳ୍ପର ଖର୍ଚ୍ଚକୁ ଭରଣା କରାଯାଇ ପାରିବ। ଏହି ଯୋଜନାରେ କମ୍ୟୁନିଟି କେନ୍ଦ୍ର, ପବ୍ଲିକ୍ ଲାଇବ୍ରେରି, ଜୀବିକା ଉପାର୍ଜନ ସହଯୋଗୀ କେନ୍ଦ୍ର, ଅଙ୍ଗନଓ୍ଵାଡି କେନ୍ଦ୍ର ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ। ଏହଛଡ଼ା ଏଥିରେ ସ୍ୱେରେଜ୍ ଟ୍ରିଟ୍ମେଂଟ୍ ପ୍ଲାଣ୍ଟ୍, ଡ୍ରେନେଜ୍ ବ୍ୟବସ୍ଥା ଓ ଓସାରିଆ ରାସ୍ତା ସବୁ ରହିବ। ଏହି ଯୋଜନାର ଆଉ ଏକ ଦିଗ ହେଲା ଏହାର ଭବିଷ୍ୟତ ରକ୍ଷଣାବେକ୍ଷଣ ବ୍ୟବସ୍ଥା। ପ୍ରକଳ୍ପର ଘରୋଇ ସହଭାଗିତାରୁ ମିଳିଥିବା ଆୟର ଦୁଇ ପ୍ରତିଶତ ଅର୍ଥକୁ ନେଇ ପ୍ରସ୍ତୁତ ପାଣ୍ଠିରୁ ବସ୍ତି ବାସିନ୍ଦାଙ୍କୁ ଦିଆଯାଇଥିବା ୧୩୦୦ ଗୃହର ରକ୍ଷଣାବେକ୍ଷଣ କରାଯିବ।
Follow Us