ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର: ମଧ୍ୟରାତ୍ରିରେ ଦେବ ଦମ୍ପତିଙ୍କ ବିବାହ

Advertisment

ରସଗୋଲା, ଛେନା ବର୍ଫି, ଆମ୍ବରସ ପରଷିଲେ କନ୍ୟାପକ୍ଷ

ରସଗୋଲା, ଛେନା ବର୍ଫି, ଆମ୍ବରସ ପରଷିଲେ କନ୍ୟାପକ୍ଷ

ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର: ମଧ୍ୟରାତ୍ରିରେ ଦେବ ଦମ୍ପତିଙ୍କ ବିବାହ

ଭୁବନେଶ୍ବର: ସାଜ୍ଜସଜାରେ ଚମକୁଥିଲା ରାଜ ଦାଣ୍ତଠୁ ରାଜଦେଉଳ। ରଙ୍ଗୀନ ଆଲୋକମାଳା ଆଖି ଝଲସି ଉଠୁଥିଲା। ବର ଦେଉଳରୁ କନିଆ ଘର ସବୁଠି ଥିଲା ଉତ୍ସାହର ପରିବେଶ। ଏପଟେ ସଜେଇ ହୋଇଥିଲା ଦିଅଁଙ୍କ ବିମାନ। ସିଂହଦ୍ବାରରେ ବାଜୁ ଥିଲା ଯୋଡ଼ି ମହୁରୀ। ପ୍ରଭୁ ବାସୁଦେବ ମଧ୍ୟ ବରଯାତ୍ରୀ ଯିବାକୁ ବାହାରିଥିଲେ। ଅପେକ୍ଷା ଥିଲା ପ୍ରଭୁ ଲିଙ୍ଗରାଜଙ୍କୁ। ବଡ଼ସିଂହାର ବେଶ ପରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ବିମାନରେ ବାହାରିଥିଲେ କନିଆ ଘର। ବରଯାତ୍ରୀଙ୍କୁ ନେଇ ବିରାଟ ପଟୁଆରେ କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲେ ପ୍ରଭୁ ଲିଙ୍ଗରାଜ।

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ପଞ୍ଚମୀ ବା ଗୁରୁପଞ୍ଚମୀ ତିଥିରେ ସେଠାରେ ମହାଆଡ଼ମ୍ବରରେ ଦେବ ଦମ୍ପତ୍ତିଙ୍କ ବିବାହ ବିଧିବୁତାବକ ସମ୍ପନ୍ନ ହୋଇଥିଲା। କନିଆଁ ଘରକୁ ଯିବା ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କୁ ନୂଆ ବସ୍ତ୍ର ଓ ଅଳଙ୍କାର ପିନ୍ଧାଇଥିଲେ ସେବାୟତ। ଏଥିସହ ପ୍ରଭୁଙ୍କୁ ସୁଗନ୍ଧଯୁକ୍ତ ଫୁଲ‌ର ମାଳରେ ସଜେଇ ଦେଇଥିଲେ। ବଡ଼ସିଂହାର ସରୁ ସରୁ ବିମାନରେ ସିଂହଦ୍ବାର ଦେଇ ବାହାରିଥିଲେ ପ୍ରଭୁ ଲିଙ୍ଗରାଜ। ପଛେ ପଛେ ବରଯାତ୍ରୀ ଭାବେ ବାହାରିଥିଲେ ପ୍ରଭୁ ବାସୁଦେବ। ତେବେ ପ୍ରଭୁ କପିଳେଶ୍ବର ଶ୍ରୀ ଲିଙ୍ଗରାଜଙ୍କ ବରଯାତ୍ରୀ ହୋଇ ଯିବାର ପରମ୍ପରା ଥିଲେ ମଧ୍ୟ ଖୁଣ୍ଟିଆ ଓ ମଲିଆଙ୍କ ବିବାଦ ଯୋଗୁଁ କିଛି ବର୍ଷ ହେବ ପ୍ରଭୁ କପିଳେଶ୍ବର ସାମିଲ ହେଉନାହାନ୍ତି। ଆଜି ମଧ୍ୟ ପ୍ରଭୁ କପିଳେଶ୍ବର ଆସିନଥିଲେ। ଆଜି ବରଯାତ୍ରୀ ମନ୍ଦିରରୁ ବାହାରି ବଢ଼େଇବାଙ୍କ ଛକ, ତିନି ମୁଣ୍ଡିଆ ଛକ, କଚରା ପିଣ୍ଡି ଦେଇ କେଦାରଗୌରୀରେ ପହଞ୍ଚିଥିଲେ। ଘଣ୍ଟ ଘଣ୍ଟା‌, ତ୍ରାସ, କାହାଳୀ, ତ୍ରିଶାଖା, ଛତା ସହ ପାରମ୍ପରିକ ବାଦ୍ୟରେ ଶୋଭାଯାତ୍ରା ପୁରି ଉଠିଥିଲା।

କେଦାରଗୌରୀ ମନ୍ଦିରରେ ପହଞ୍ଚିବା ପରେ କନ୍ୟା ଘର ପକ୍ଷରୁ ବରଯାତ୍ରୀଙ୍‌କୁ ସ୍ବାଗତ ସହ ବାଟବରଣୀ କରାଯାଇଥିଲା। ପାଳିଆ ସେବାୟତଙ୍କ ଦ୍ବାରା ବନ୍ଦାପନା କରାଯାଇ ପ୍ରଭୁଙ୍କୁ ମନ୍ଦିର ଭିତରେ ଥିବା ବିହାହ ମଣ୍ଡପକୁ ନିଆଯାଇଥିଲା। ବରଯାତ୍ରୀଙ୍କୁ କନ୍ୟା ଘର ପକ୍ଷରୁ ଥଣ୍ଡା, ରସଗୋଲା, ବାଦାମ ସର୍ବତ, ଛେନା ବର୍ଫି, ଆମ୍ବ ରସ ଦିଆଯାଇ ଆପାୟିତ କରାଯାଇଥିଲା। ଏହାପରେ ବିବାହ ମଣ୍ଡପରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। କେଦାରଗୌରୀ ମନ୍ଦିରର ପାଳିଆ ସେବାୟତ କନ୍ୟାପିତା ଏବଂ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ପାଳିଆ ସେବାୟତ ବରପିତା ଭାବେ ବିବାହ କାର୍ଯ୍ୟ ଆଗକୁ ନେଇଥିଲେ। ମଧ୍ୟ ରାତ୍ରୀରେ ଦେବ ଦମ୍ପତିଙ୍କ ହାତଗଣ୍ଠି ପଡ଼ିବା ପରେ ବିବାହ ସମ୍ପନ୍ନ ହୋଇଥିଲା। ଏହାପରେ ଠାକୁରଙ୍କୁ ବିବାହ ମଣ୍ଡପରୁ ମୁଖ୍ୟମନ୍ଦିରରକୁ ନିଆଯାଇଥିଲା। ମଙ୍ଗଳବାର ବିଧି ମୁତାବକ ସମସ୍ତ ନୀତିକାନ୍ତି ପରେ ସନ୍ଧ୍ୟାରେ ଦିଅଁ ଶୋଭାଯାତ୍ରାରେ ରାଜଦେଉଳକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ମିଳିମିଶି ଦେଲେ ବିବାହ ଭୋଜି

ଭୁବନେଶ୍ବର: ସେବାୟତଙ୍କ ମଧ୍ୟରେ ବିବାହ ପାଇଁ ଏକାଧିକ ଥର ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ହୋଇଛି। ଏମିତିକି ଦିନ ଦିନ ଧରି ପ୍ରଭୁ ଉପବାସରେ ରହିଛନ୍ତି। ନୀତିକୁ ନେଇ ଦେବତ୍ତୋର କମିସନରଙ୍କ ନିକଟରେ ମଧ୍ୟ ମାମଲା ହୋଇଛି। ହେଲେ ଆଜି ଏକ ନିଆରରା ଦୃଶ୍ୟ ଦେଖିବାକୁ ମିଳିଛି। ରାଗ, ମାନ ଅଭିମାନ ଭୁଲି ଆଜି ପ୍ରଭୁଙ୍କ ବିବାହ ଉତ୍ସବରେ ସମସ୍ତ ସେବାୟତ ଏକ ହୋଇଛନ୍ତି। ପୂଜାପଣ୍ଡା ନିଯୋଗ, ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ, ସମର୍ଥା ନିଯୋଗ ସହ ସମସ୍ତ ବର୍ଗର ସେବାୟତମାନେ ମିଶି ଆଜି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କୁ ଭୋଜି ଦେଇଛନ୍ତି। ପ୍ରାୟ ୫ ହଜାର ଲୋକଙ୍କ ପାଇଁ ସେବାୟତମାନେ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ସବୁ ନିଯୋଗର ସଭାପତି, ସମ୍ପାଦକଙ୍କ ସମେତ ସେବାୟତମାନେ ଏକାଠି ହୋଇ ଶ୍ରଦ୍ଧାଳୁଙ୍କୁ ଖୁସିମନରେ ପ୍ରସାଦ ପରଷି ଦେଇଥିଲେ। ଏଥିସହ ପ୍ରଭୁ ଲିଙ୍ଗରାଜ ଓ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe