ଭୁବନେଶ୍ୱର: ବର୍ତ୍ତମାନ ରାଜନୀତି ନୈତିକତାଠାରୁ ଦୂରେଇ ଗଲାଣି। ସାମ୍ୱିଧାନିକ ବ୍ୟବସ୍ଥାଗୁଡ଼ିକର ଅବକ୍ଷୟ ଘଟିଲାଣି। ରାଜନୈତିକ ଦଳଗୁଡ଼ିକ କ୍ଷମତା ପାଇଁ ଗଣତନ୍ତ୍ରର ସୁରକ୍ଷା ଓ ଉତ୍ତରଦାୟିତ୍ୱ କଥା ଚିନ୍ତା କରୁନାହାନ୍ତି। ଏଭଳି ସ୍ଥିତିରେ ଦେଶର ଅଖଣ୍ଡତା ରକ୍ଷା କରିବା ପାଇଁ ନାଗରିକ ସମାଜ ସକ୍ରିୟ ହେବାର ଆବଶ୍ୟକତା ରହିଛି ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ଓ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘ପ୍ରଫେସର ଏସ୍କେ ଦାସ ସ୍ମାରକୀ ବକ୍ତୃତା’ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ସମସ୍ତ ସମ୍ୱଳ ଥାଇ ମଧ୍ୟ ଏହା ଗରିବ ରାଜ୍ୟ ଭାବେ ଗଣା ହେଉଛି। ତେଣୁ ଛାତ୍ରଛାତ୍ରୀମାନେ ଏ ଦିଗରେ ସଚେତନ ହୋଇ ରାଜ୍ୟକୁ ପ୍ରଗତିଶୀଳ କରିବାକୁ ସେ ଆହ୍ୱାନ ଦେଇଥିଲେ। ସମକାଳୀନ ଇତିହାସକୁ ସୁଦୃଢ଼ କରିବା ପାଇଁ ସ୍ମାରକୀ ବକ୍ତୃତା ଅନ୍ୟ ଏକ ମାଧ୍ୟମ ବୋଲି ସେ କହିଥିଲେ। ଏଥିସହିତ ସେ ସ୍ୱର୍ଗତ ସୂର୍ଯ୍ୟକାନ୍ତ ଦାସଙ୍କ ସ୍ମୃତି ଚାରଣ କରି ‘ସମ୍ୱାଦ’ରେ ପ୍ରକାଶିତ ତାଙ୍କ ସ୍ତମ୍ଭର ଆଲୋଚନା କରିଥିଲେ।
Delhi Metro Station: ସହି ପାରିଲା ନାହିଁ ସ୍କୁଲ ଶିକ୍ଷକଙ୍କ ନିର୍ଯାତନା....ଛାତ୍ର ହାରିଦେଲା ଜୀବନ
କାର୍ଯ୍ୟକ୍ରମରେ ପ୍ରଫେସର ଉମାଶଙ୍କର ମିଶ୍ର ସଭାପତିତ୍ୱ କରି ସ୍ୱର୍ଗତ ଦାସ ସ୍ମୃତି ରକ୍ଷା ଓ ସମ୍ୱର୍ଦ୍ଧନା କରିବାକୁ ଚାହୁ ନଥିଲେ ବୋଲି କହିଥିଲେ। ସେ ସ୍ପଷ୍ଟବାଦୀ, ନିର୍ଭିକ ଓ ସମାୟାନୁବର୍ତ୍ତୀ ଥିଲେ। ବିଶ୍ୱବିଦ୍ୟାଳୟରେ ତାଙ୍କର ଯିବା ଆସିବା ସମୟକୁ ଲକ୍ଷ୍ୟ କଲେ ଆଉ ଘଣ୍ଟା ଦେଖିବାକୁ ପଡ଼ୁନଥିଲା ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନେ ତାଙ୍କ ଜୀବନାଦର୍ଶକୁ କାର୍ଯ୍ୟରେ ଲଗାଇ ପାରିଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ପ୍ରଦ୍ୟୋତ କେଶରୀ ପ୍ରଧାନ ଯୋଗଦେଇ ତାଙ୍କର ବାଲ୍ୟଜୀବନ, ଶିକ୍ଷା ଗ୍ରହଣ ଓ ଶିକ୍ଷାଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରୁଥିଲେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ରବୀନ୍ଦ୍ର କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
Follow Us