ଭୁବନେଶ୍ବର: ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ସାମ୍ବିଧାନିକ ଆଇନଗୁଡ଼ିକର ମନମୁଖୀ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି। ଏହା ବିରୋଧରେ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ମହିଳାଙ୍କ ପକ୍ଷରୁ ଆଜି ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ତଥା ପରିବେଶ ବିରୋଧୀ ଜଙ୍ଗଲ ସଂରକ୍ଷଣ (ସଂଶୋଧନ)ବିଲ୍-୨୦୨୩ କୁ ପ୍ରତ୍ୟାହାର କରିବା, ଅମଲାତନ୍ତ୍ର ଦ୍ୱାରା ମନମୁଖୀ ଭାବେ ଖାରଜ ହୋଇଥିବା ୧,୪୨,୦୦୦ ଜଙ୍ଗଲ ଅଧିକାର, ଦାବି ଦସ୍ତାବିଜ୍ଗୁଡ଼ିକୁ ଗ୍ରାମସଭା କମିଟି ନିକଟକୁ ପୁନଃ ବିଚାର ପାଇଁ ଫେରସ୍ତ କରିବା ଓ ଜଙ୍ଗଲ ଅଧିକାର ଆଇନ-୨୦୦୬ର ସଠିକ୍ କାର୍ଯ୍ୟକାରୀ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଆଜି ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସିଏସଡି) ନେତୃତ୍ବରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା।
ଏହି ବିକ୍ଷୋଭରେ ସିଏସ୍ଡିର ରାଜ୍ୟ ଆବାହକ ଗୋପୀନାଥ ମାଝୀ, ଆବାହକମଣ୍ଡଳୀର ସଦସ୍ୟ ପ୍ରଦୀପ ସାହୁ, ଶ୍ରୀଚରଣ ବେହେରା, ନରେନ୍ଦ୍ର ମହାନ୍ତି, କାର୍ମୀ ବେସ୍ରା, ମଞ୍ଜୁ, ସେବିକା ଶବର, ଟୁନି ଦାସ, କୁନି ଶବର, ଗୁରୁବାରୀ ଶବର, ରୁମିତା କୁଣ୍ଡୁ, ସସ୍ମିତା ଜେନାଙ୍କ ସମେତ ବରିଷ୍ଠ ସାମ୍ବାଦିକ ରବି ଦାସ, ଅଭିରାମ ବେହେରା, ଅମୀୟ ପାଣ୍ଡବ, ଶ୍ରୀମନ୍ତ ମହାନ୍ତି, ଶଙ୍କର, ଟୁନା ମଲ୍ଲିକ, ପୂର୍ଣ୍ଣ ପ୍ରଧାନ, ମଣିରାମ, ମୂରଲୀଧର ନାୟକ, ଭୀଷ୍ମ ପାଙ୍ଗୀ, ବିରଞ୍ଚି ବରିହା ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ। ଏହି ପରିପ୍ରେକ୍ଷୀରେ ବିକ୍ଷୋଭକାରୀମାନେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ଓ ପରିବେଶ ବିଭାଗର ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ନ୍ୟାୟ ସଙ୍ଗତ ଦାବିଗୁଡ଼ିକୁ ଅଣଦେଖା କଲେ ପରବର୍ତ୍ତୀ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।
Follow Us