ତୀବ୍ର ହେବ ମଦ ବିରୋଧୀ ଆନ୍ଦୋଳନ

Advertisment
ପାଇପ ଜଳ ଯୋଗାଣ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ବର: ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନ ଜୋରଦାର ହେବ। ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ‘୧୯୫୬ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବ ‘ଓଡ଼ିଶା ନିଶା ନିବାରଣ ସମନ୍ବୟ ସମିତି’। ଏନେଇ ଆସନ୍ତା ୨୬ ତାରିଖରେ ଏକ ସମାବେଶ ଆୟୋଜିତ ହେବ। ଏଥିରେ ହଜାର ହଜାର ସଂଖ୍ୟାରେ ମଦ ବିରୋଧୀ ଆନ୍ଦୋଳନକାରୀ ମହିଳା ଓ ସମାଜିକ କର୍ମୀ ଯୋଗ ଦେବେ। ଏଥିସହ ସମସ୍ତ ବିଧାୟକମାନଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ଆଜି ୟୁନିଟ୍‌-୯ ଗାୟତ୍ରୀ ଶକ୍ତିପୀଠ ସାଧନାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପଦ୍ମଚରଣ ନାୟକ। ନିର୍ବାଚନ ପରିପ୍ରେକ୍ଷୀରେ ‘ଓଡ଼ିଶାରେ ମଦ ବନ୍ଦ କରିବ ଯିଏ, ମହିଳାଙ୍କ ଭୋଟ ପାଇବ ସିଏ’ ସ୍ଳୋଗାନକୁ ରାଜ୍ୟର ପୁରପଲ୍ଲୀରେ ଜୋର୍‌ଦାର୍‌ କରାଯିବ ବୋଲି ସମିତି ପକ୍ଷରୁ ନିଷ୍ପତ୍ତି ହୋଇଛି। ଆଜିର ଏହି ସମ୍ମିଳନୀରେ ଯୋଗାଚାର୍ଯ୍ୟ ବିଶ୍ବରଞ୍ଜନ ରଥ, ଅପର୍ଣ୍ଣା ନାୟକ, ଋତୁପର୍ଣ୍ଣା ମହାନ୍ତି, ବନଜା ବାସିନୀ ତ୍ରିପାଠୀ, ବିଜୟ କୁମାର ସ୍ବାଇଁ, ବିଳାସିନୀ ସାହୁ, କନକଲତା ଭଞ୍ଜ, ଖଗେଶ୍ବର ବଳ, ଶରତ କୁମାର ନାୟକ, ପ୍ରିୟନାଥ ଆଚାର୍ଯ୍ୟ, ଲକ୍ଷ୍ମଣ ଦାଶ, ଲଲାଟେନ୍ଦୁ ପଣ୍ଡା ଓ କମଳାକାନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ତଥା ଆନ୍ଦୋଳନକୁ ଜୋରଦାର୍‌ କରିବା ପାଇଁ ‘ମଦ ଓ ନିଶା ବିରୋଧୀ ସଂଗଠନ’, ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’, ‘ମା’ ଘର ଫାଉଣ୍ଡେସନ୍‌’, ‘ଓଡ଼ିଶା ମଦମୁକ୍ତି ଅଭିଯାନ’, ‘ପ୍ରାଉଟିଷ୍ଟ୍‌ ୟୁନିଭର୍ସାଲ’, ‘ଅଖିଳ ବିଶ୍ବ ଯୁଗଶକ୍ତି ଗାୟତ୍ରୀ ପରିବାର’, ‘ସମ୍ଭବ’, ‘ପ୍ରଜାପିତା ବ୍ରହ୍ମକୁମାରୀ’, ‘ଆରକ୍ଷଣ ବିରୋଧୀ ଭାରତୀ ଅଭିଯାନ’, ‘ବାପା’ ଓ ‘ଭାରତୀୟ ସ୍ବାଧୀନତା ସୁରକ୍ଷା ସାମୁଖ୍ୟ’ ପ୍ରମୁଖ ସଂଗଠନ ମିଳିତ ଭାବେ ‘ଓଡ଼ିଶା ନିଶା ନିବାରଣ ସମନ୍ବୟ ସମିତି’ ଗଠନ କରିଛନ୍ତି। ଆଗକୁ ନିଶା ନିବାରଣ ଦିଗରେ କାର୍ଯ୍ୟରତ ଓ ଆଗ୍ରହୀ ସମସ୍ତ ସଂଗଠନ ଓ ସମାଜିକ କର୍ମୀ ଏହି ଅଭିଯାନରେ ସାମିଲ ହେବା ପାଇଁ ସମିତି ପକ୍ଷରୁ ଆହ୍ବାନ ଦିଆ‌ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe