Devdiscourse
ଖଣ୍ଡଗିରି: ଶନିବାର ଶ୍ୟାମପୁର ପଣ୍ଡାକୁଦିଆ ବସ୍ତିରେ ଘରଭଙ୍ଗାକୁ ନେଇ ପ୍ରବଳ ପ୍ରତିବାଦ ହେବାରୁ ଉଚ୍ଛେଦ ପ୍ରକ୍ରିୟାକୁ ଅଧାରୁ ବନ୍ଦ କରାଯାଇଛି। ବେଆଇନଭାବେ ଗଢ଼ି ଉଠିଥିବା ପାଖାପାଖି ୬୦ଟି ଘର ମଧ୍ୟରୁ ମାତ୍ର ୬ଟି ଘର ଭଙ୍ଗାଯିବା ଭିତରେ ବସ୍ତିବାସିନ୍ଦାମାନେ ଜୋର୍ଦାର ବିରୋଧ ପ୍ରଦର୍ଶନ କରିବାରୁ ଉଚ୍ଛେଦ ଟିମ୍ କାର୍ଯ୍ୟକ୍ରମକୁ ଅଧାରୁ ବାତିଲ୍ କରିବାକୁ ବାଧ୍ୟ ହୋଇଛି। ତେବେ ସେମାନଙ୍କୁ ସୋମବାର ପର୍ଯ୍ୟନ୍ତ ମହଲତ ଦିଆଯାଇଛି ଓ ସେହି ସମୟ ମଧ୍ୟରେ ସେମାନେ ନିଜ ସୁବିଧାରେ ଘର ଖାଲି ନ କଲେ, ବଳପୂର୍ବକ ଘର ଭଙ୍ଗା ହେବ ବୋଲି ଜବରଦଖଲ ଉଚ୍ଛେଦ ସ୍କ୍ବାଡ୍ ପକ୍ଷରୁ ସୂଚନା ମିଳିଛି। ଆଜି ସକାଳେ ବିଡିଏ, ବିଏମ୍ସି, ସ୍ମାର୍ଟ ସିଟି ଓ କମିସନରେଟ୍ ପୁଲିସ ମିଳିତଭାବେ ଏହି ବସ୍ତିରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। ଗତ ୧୭ ତାରିଖ ଦିନ ଭଳି ଆଜି ମଧ୍ୟ ଅନୁରୂପଭାବେ ମହିଳା ଓ ପୁରୁଷମାନେ ଏକାଠି ହୋଇ ବିରୋଧ କରିଥିଲେ। ଥଇଥାନ କରିବା ପରେ ବସ୍ତି ଉଚ୍ଛେଦ କରାଯାଉ ବୋଲି ନାରାବାଜି କରିଥିଲେ। କିନ୍ତୁ ହୋ-ହଲ୍ଲା ଓ ବିରୋଧ ମଧ୍ୟରେ ୬ଟି ଘର ଓ ଗୋଟିଏ ପାଚେରିକୁ ଭାଙ୍ଗି ଦିଆଯାଇଥିଲା। ଧୀରେ ଧୀରେ ପ୍ରତିବାଦର ସ୍ବର ବୃଦ୍ଧି ପାଉଥିବା ସହ ହିଂସାତ୍ମକ ଆନ୍ଦୋଳନ ଆଡ଼କୁ ପରିସ୍ଥିତି ମୁହାଁଉଥିବାବେଳେ କିଛି ଲୋକ ମହଲତ ଦେବାକୁ ପ୍ରଶାସନକୁ ଅନୁରୋଧ କରିବାରୁ ଉଚ୍ଛେଦ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା।
ସୂଚନାଯୋଗ୍ୟ ଯେ କଳିଙ୍ଗ ଷ୍ଟାଡିୟମ୍ ନବୀକରଣ ପାଇଁ ସେଠାରୁ ଜଗନ୍ନାଥ ବସ୍ତିକୁ ଉଚ୍ଛେଦ କରାଯାଇଥିଲା ଓ ପ୍ରାୟ ୩୦୦ ପରିବାରକୁ ପଣ୍ଡାକୁଦିଆରେ ଥଇଥାନ କରାଯାଇଥିଲା। ସେହିଭଳି ଉକ୍ତ ଅଞ୍ଚଳରେ ଥିବା ଆଉ କିଛି ସରକାରୀ ଜମିରେ ସରକାର ପୁଣି ବସ୍ତିବାସିନ୍ଦା ଥଇଥାନ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି। ଭୁବନେଶ୍ବର ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଓୟୁଏଟି ଫାର୍ମ ଗେଟ୍ ବସ୍ତିକୁ ଉଚ୍ଛେଦ କରାଯିବ ଓ ଉକ୍ତ ବସ୍ତିର ୧୧୦ ପରିବାରକୁ ପଣ୍ଡାକୁଦିଆରେ ଥଇଥାନ କରାଯିବ। ମାତ୍ର ଉକ୍ତ ସରକାରୀ ଜମିରେ ବେଆଇନଭାବେ କିଛି ଲୋକ ଜବରଦଖଲ କରି ରହିଛନ୍ତି ବୋଲି ପ୍ରଶାସନ ଅଭିଯୋଗ କରିଛି। କେବଳ ସେତିକି ନୁହେଁ, ସାଧାରଣ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ବାରଣ ସତ୍ତ୍ବେ ଏଠାରେ ସ୍ଥାନୀୟ ମାଫିଆମାନେ ସରକାରୀ ଜମିକୁ ବେଶ୍ ଉଚ୍ଚା ଦରରେ ବିକି ମାଲେମାଲ୍ ହେଉଛନ୍ତି। ଅନ୍ୟ ପକ୍ଷରେ ବସ୍ତିବାସିନ୍ଦାମାନେ ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହ ଏଠାରେ ବହୁ ଗରିବ ଲୋକ ରହୁଛନ୍ତି ଓ ସେମାନଙ୍କୁ ଥଇଥାନ କରାଯାଉ ବୋଲି ଦାବି କରିଛନ୍ତି।
Follow Us