୭ ଦିନରେ ୪ ଏଏନ୍‌ଏମ୍ ଅସୁସ୍ଥ ‘ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓହରିବୁନି’

Advertisment

ଶୀତ, କାକରରେ ରାସ୍ତା କଡ଼ରେ ପଡ଼ି ରହିଛନ୍ତି

ଶୀତ, କାକରରେ ରାସ୍ତା କଡ଼ରେ ପଡ଼ି ରହିଛନ୍ତି

୭ ଦିନରେ ୪ ଏଏନ୍‌ଏମ୍ ଅସୁସ୍ଥ ‘ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓହରିବୁନି’

ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବି ନେଇ ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀମାନେ ଲୋୟର୍‌ ପିଏମ୍‌ଜିରେ ୭ ଦିନ ହେଲା ଧାରଣାରେ ବସିଥିଲେ ହେଁ ସରକାର ଏ ପର୍ଯ୍ୟନ୍ତ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି। ଫଳରେ ସ୍ବାସ୍ଥ୍ୟକର୍ମୀମାନେ ଶୀତ କାକରରେ ରାସ୍ତାକଡ଼ରେ ପଡ଼ି ରହିଛନ୍ତି। ଏପରିକି ଦିନରାତି ଧାରଣା ଦେବା ଯୋଗୁଁ ୪ଜଣ ସ୍ବାସ୍ଥ୍ୟକର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି। କିନ୍ତୁ ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ। ଆବଶ୍ୟକ ପଡ଼ିଲେ ଆଗକୁ ଅହେରାତ୍ର ଆମରଣ ଅନଶନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ମହାମାରୀ କରୋନା ସମୟରେ ସରକାର ସେମାନଙ୍କୁ ୩ ମାସ କୋଭିଡ୍ କେୟାର ହୋମ୍‌ରେ ଚାକିରି ଦେଇଥି‌ଲେ। ଜୀବନକୁ ବାଜି ଲଗାଇ ସଂକ୍ରମିତଙ୍କୁ ଟ୍ରାକିଂ କରିବାଠାରୁ ଆରମ୍ଭ କରି ନମୁନା ପରୀକ୍ଷଣ ପର୍ଯ୍ୟନ୍ତ ସମସ୍ତ କାମ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ଠକିଛନ୍ତି। କାମ ସରିଯିବା ପରେ ଏବେ ଛଟେଇ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଆଜି ଦିନ ୧୦ଟାରେ ଧାରଣାରେ ବସିଥିବା ବେଳେ ଜଗତ୍‌ସିଂହପୁରର ପ୍ରିୟଦର୍ଶିନୀ ମହାନ୍ତି (୨୨) ଅଚେତ ହୋଇଯାଇଥିଲେ। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଚିକିତ୍ସା କରାଯିବା ପରେ ସେ ପୁଣି ଧାରଣାରେ ବସିଥିଲେ। ଖାଲି ପ୍ରିୟଦର୍ଶିନୀ ନୁହେଁ, ଗତକାଲି ବାଲେଶ୍ବର ଜିଲ୍ଲାର ସଂଯୁକ୍ତା ଦାଶ(୨୨), ନଭେମ୍ବର ୨୮ରେ ପୁରୀ ସତ୍ୟବାଦୀର ସ୍ବପ୍ନାଶିଳା ପଲେଇ(୨୯) ଓ ଜଗତସିଂହପୁରର ସ୍ବପ୍ନାପ୍ରଭା ସାହୁ(୨୫) ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସିତ ହେବା ପରେ ସେମାନେ ପୁନର୍ବାର ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଅପରପକ୍ଷେ ଆଜି ମାର୍ଗଶିର ପ୍ରଥମ ଗୁରୁବାର ହୋଇଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ରାସ୍ତା ଉପରେ ଝୋଟି ଚିତା ପକାଇ ମାଣ ବସାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe