‌କୋଲକାତା ସ୍ଥାନାନ୍ତର ନିଷ୍ପତ୍ତିର ପ୍ରତିବାଦ, ଆଇସିସିଆର୍‌ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

Advertisment
‌କୋଲକାତା ସ୍ଥାନାନ୍ତର ନିଷ୍ପତ୍ତିର ପ୍ରତିବାଦ, ଆଇସିସିଆର୍‌ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଣା ଭୁବନେଶ୍ବର: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) କାର୍ଯ୍ୟାଳୟକୁ ଭୁବନେଶ୍ବରରୁ କୋଲକାତା ସ୍ଥାନାନ୍ତର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି ‘ପ୍ରେରଣା’। ଏହାର ପ୍ରତିବାଦରେ ଆଜି ବହୁ ସଂସ୍କୃତିପ୍ରେମୀ ଓ ସାଂସ୍କୃତିକ ଅନୁଷ୍ଠାନ ସହଯୋଗରେ ପ୍ରେରଣା ପକ୍ଷରୁ ପଳାସପଲ୍ଲୀସ୍ଥିତ ଆଇସିସିଆର୍‌ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ ଏହି ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାରୁ ସ୍ଥାନାନ୍ତର ହେଲେ ଓଡ଼ିଶାର କଳା, ସଂସ୍କୃତିର ପ୍ରସାର, ପ୍ରଚାରରେ ବ୍ୟାପକ ପ୍ରତିବନ୍ଧକ ସୃଷ୍ଟି ହେବ।

ଏପରିକି ଦେଶ ବିଦେଶରୁ ଆସୁଥିବା ବହୁ ସାଂସ୍କୃତିକ ଗବେଷକ ଓ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଓଡ଼ିଶାର ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ ନାହିଁ। ତେଣୁ ଏ ସଂପର୍କରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି। ଧାରଣାରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଓଡ଼ିଶୀ ନୃତ୍ୟଗୁରୁ ସନାତନ ନାୟକ, ବିଶିଷ୍ଟ କବି ମଙ୍ଗଳା ପ୍ରସାଦ ପ୍ରଧାନ, କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନିରୋଦ ଖୁଣ୍ଟିଆ, ରାଜ୍ୟ ସଂଯୋଜକ ମୀର ଅହମ୍ମଦ ଅଲ୍ଲୀ, ଅଜୟ ଗୁମାନ ସିଂ, ମନୋରଞ୍ଜନ ବାରିକ, ଶଶାଙ୍କ ଶେଖର ଦାସ, ଆଇନଜୀବୀ ଜୟଚନ୍ଦ୍ର ଦାସ, ବିଭୂତି ପଟ୍ଟନାୟକ ଓ ସମାଜସେବୀ ନିଲୁ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe