ଭୁବନେଶ୍ବର: ଆଜି ସାମ୍ବାଦିକ ସମ୍ମଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ସର୍ବଭାରତୀୟ ଡିଲର୍ସ ଫେଡେରେସନ (ଓଡ଼ିଶା ଶାଖା)। ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଏହି ସମ୍ମିଳନୀରେ ଫେଡେରେସନ ପକ୍ଷରୁ ସରକାରଙ୍କ ନିକଟରେ ୭ ଦଫା ଦାବି ରଖାଯାଇଛି। ସେଗୁଡ଼ିକ ହେଲା, ଅନ୍ୟ ରାଜ୍ୟ ସରକାରଙ୍କ ପରି କୁଇଣ୍ଟାଲ ପିଛା ୨୦୦ଙ୍କା ପାରିଶ୍ରମିକ ଅର୍ଥରାଶି ପ୍ରଦାନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ କୋରୋନା ମହାମାରୀ ସମୟରୁ ଆଜି ଯାଏଁ ବକେୟା ସମସ୍ତ ପାରିଶ୍ରମିକ ଏକକାଳୀନ ପ୍ରଦାନ, ପରିବହନ ଠିକାଦାରମାନଙ୍କ ଦ୍ବାରା ସାମଗ୍ରୀ ପହଞ୍ଚାଣ ସମୟରେ ହେଉଥିବା ବ୍ୟାପକ ଅନିୟମିତତା ବନ୍ଦ କରିବା ପାଇଁ ସ୍ଥଗିତ ରହିଥିବା ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରି ଧାର୍ଯ୍ୟ ଓଜନ ମାପ ଅନୁସାରେ ସାମଗ୍ରୀ ପହଞ୍ଚାଇବା, କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କୁ ଇ-କେୱାଇସି ବାବଦ ପାରିଶ୍ରମିକ ଅର୍ଥ ତୁରନ୍ତ ପ୍ରଦାନ କରିବା, ସାମଗ୍ରୀ ବଣ୍ଟନ ସମୟରେ ସର୍ଭର ଡାଉନ୍, ଲିଙ୍କ୍ ଫେଲ୍, ନେଟୱାର୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା, ଅନ୍ୟ ରାଜ୍ୟ ପରି ୩ ବର୍ଷିଆ ନବୀକରଣ କରିବା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା-୨୦୧୩ ନିୟମ ଅନୁଯାୟୀ ଖୁଚୁରା ବିକ୍ରେତାମାନଙ୍କୁ ଅଗ୍ରୀମ ପାରିଶ୍ରମିକ ରାଶି ପ୍ରଦାନ।
ଫେଡେରେସନର ସମ୍ପାଦକ ସୟଦ ଏକ୍ରମ ହୁସେନ୍ କହିଛନ୍ତି, ଯୋଗାଣ ବିଭାଗ ଖୁଚୁରା ବିକ୍ରେତାମାନଙ୍କ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଖୁଚୁରା ବିକ୍ରେତାମାନେ ପଡିକାର୍ଡଧାରୀଙ୍କ ରୋଷର ଶୀକାର ହେଉଛନ୍ତି। ଏହାର ପ୍ରତିବାଦରେ ସର୍ବଭାରତୀୟ ଡିଲର୍ସ ଫେଡୋରେସନ ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ୨ ଡିସେମ୍ବର ସୋମବାର ଦିନ ରାଜ୍ୟର ୩୦ ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୭ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାର ସମାଧାନ ନହେଲେ ଆସନ୍ତା ୩ ତାରିଖ ଠାରୁ ସମଗ୍ର ରାଜ୍ୟର କାର୍ଯ୍ୟରତ ଖୁଚୁରା ବିକ୍ରେତାମାନେ ପରିବହନ ଠିକାଦାରମାନଙ୍କଠାରୁ ସାମଗ୍ରୀ ଗ୍ରହଣ ଏବଂ ବିକ୍ରୟ କରିବେ ନାହିଁ।
ସଭାପତି ନଗେନ୍ଦ୍ର ନାଥ ଜେନା କହିଛନ୍ତି, ଗତ ଅକ୍ଟୋବରରେ ବିଭାଗୀୟ ମନ୍ତ୍ରୀ କରୋନା ମହାମାରୀ ସମୟରୁ ଖୁଚୁରା ବିକ୍ରେତାମାନଙ୍କ ବକେୟା ପାରିଶ୍ରମିକ ଆସନ୍ତା ସପ୍ତାହରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ହେଲେ ମାସେ ପରେ ବି ମଳିନାହିଁ। ଆମ ଦାବି ପୂରଣ ନହେଲେ ସମ୍ପୂର୍ଣ୍ଣ ବଣ୍ଟନ ବ୍ୟବସ୍ଥା ବନ୍ଦ କରାଯିବ।
Follow Us