ସୁଲଭ ମୂଲ୍ୟରେ ବାସଗୃହ ଯୋଗାଣ: ବିଡ଼ିଏକୁ ସହରାଞ୍ଚଳ ବାସଗୃହ ମିସନର ନିର୍ଦ୍ଦେଶ

Advertisment

ମାସକୁ ମାସ ରିପୋର୍ଟ ଦିଅ

ମାସକୁ ମାସ ରିପୋର୍ଟ ଦିଅ

ସୁଲଭ ମୂଲ୍ୟରେ ବାସଗୃହ ଯୋଗାଣ: ବିଡ଼ିଏକୁ ସହରାଞ୍ଚଳ ବାସଗୃହ ମିସନର ନିର୍ଦ୍ଦେଶ

ଭୁବନେଶ୍ବର: ସୁଲଭ ମୂଲ୍ୟରେ ବାସଗୃହ ଯୋଗାଣ ପ୍ରକଳ୍ପ(ଏଏଚ୍‌ପି) ଓ ବସ୍ତିମାନଙ୍କ ପୁନଃ ବିକାଶ ପ୍ରକଳ୍ପ(ଆଇଏସ୍‌ଏସ୍‌ଆର୍‌)ର ମାସିକ ପ୍ରଗତି ରିପୋର୍ଟ ତଲବ କରିଛି ଓଡ଼ିଶା ସହରାଞ୍ଚଳ ବାସଗୃହ ମିସନ(ଓୟୁଏଚ୍‌ଏମ୍‌)। ପ୍ରତି ମାସର ତିନି ତାରିଖରେ ବିଡିଏ ଏହି ରିପୋର୍ଟ ପ୍ରଦାନ କରିବ। ବିଡିଏରେ ଚିଠି ପହଞ୍ଚିବା ପରେ ତନାଘନା ଆରମ୍ଭ ହୋଇଛି। କେଉଁ ପ୍ରକଳ୍ପରେ କଣ ସମସ୍ୟା ରହିଛି? କେତେ ହିତାଧିକାରୀ ଘର ପାଇଛନ୍ତି? କେତେ ପାଇନାହାନ୍ତି ଓ କାରଣ କଣ? ଏ ସବୁ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଖୋଳତାଡ଼ ବେଳେ ଦୁଇଟି ପ୍ରକଳ୍ପକୁ ନେଇ ବିଡିଏର ଅକଲ ଗୁଡ଼ୁମ୍‌ ହୋଇଛି। ଗୋଟିଏ ହେଉଛି ମହିଷାଖାଲ ଓ ଅନ୍ୟଟି ରଙ୍ଗମାଟିଆ। ଏହି ଦୁଇ ପ୍ରକଳ୍ପରେ ଅଯୋଗ୍ୟ ଘର ମାଡ଼ି ବସିଛନ୍ତି। ମହିଷାଖାଲରେ ୫୦ରୁ ଊର୍ଦ୍ଧ୍ବ ଅଯୋଗ୍ୟ ମାଡ଼ିବସିଥିବା ବେଳେ ରଙ୍ଗମାଟିଆରେ ଶହେରୁ ଊର୍ଦ୍ଧ୍ବ ଅଯୋଗ୍ୟ ରହୁଛନ୍ତି। ଏଣେ ଯୋଗ୍ୟ ବାରଦୁଆର ହେଉଛନ୍ତି। କେତେକ କୋର୍ଟ ମଧ୍ୟ ଯାଇଛନ୍ତି। ଏହି ବିବାଦ ବର୍ଷ ବର୍ଷ ଧରି ବିଡିଏ ତୁଟାଇ ପାରୁନଥିବାରୁ ଏବେ କି ଉତ୍ତର ଦେବ ସେ‌ ନେଇ ଚିନ୍ତାରେ ପଡ଼ିଛି।

ମହିଷାଖାଲ ପ୍ରକଳ୍ପକୁ ୭ବର୍ଷ ପୂରିଛି। ଏଠାରେ ୧୯ଟି ବ୍ଲକ୍‌ରେ ୭୬୦ ଘର କରିବାକୁ ଯୋଜନା ଥିଲେ ମଧ୍ୟ ବିଡିଏ ୧୫ଟି ବ୍ଲକ୍‌ରେ ୬ଶହ ଘର ତିଆରି କରିଛି। କିନ୍ତୁ ୫୦ ପ୍ରତିଶତ ଘର ଆବଣ୍ଟିତ ହୋଇ ପାରି ନାହିଁ। ଏଠାରେ ବିଏମ୍‌ସି ଯେଉଁ ସର୍ଭେ କରିଥିଲା ସେହି ତାଲିକା ଅନୁସାରେ ଘର ଦେବା କଥା। ଫନି ସମୟରେ ଅନେକଙ୍କର ଘର ଭାଙ୍ଗିଯିବାରୁ ତାଲା ଭାଙ୍ଗି ଏହି ପ୍ରକଳ୍ପ ଭିତରେ ପଶି ଯାଇଥି‌ଲେ। ଏଥିରେ କିଛି ଯୋଗ୍ୟ ଥିବା ବେଳେ ଅଧିକାଂଶ ଅଯୋଗ୍ୟ ରହିଥିଲେ। କିନ୍ତୁ ବିଡିଏ ଏମାନଙ୍କୁ ବାହାର କରିବାକୁ ସାହସ କରିପାରିଲାନି। ଏହାର ସୁଯୋଗ ନେଇ କେତେକ ଅଯୋଗ୍ୟ ଏହି ଘର ପାଇଁ ଧାର୍ଯ୍ୟ ୧.୨ଲକ୍ଷ ଟଙ୍କା ବିଡିଏ ଆକାଉଣ୍ଟରେ ଜମା କରିଦେଲେ। ବିଡିଏ ଏକ ସ୍ବତନ୍ତ୍ର ଟିମ୍‌ କରି ଚଢ଼ଉ କରିବାକୁ ଯିବା ବେଳେ ସେମାନେ ଜମା କରିଥିବା ଦେୟର ରସିଦ ଦେଖାଇଲେ। ଫଳରେ ଏମାନେ ଯୋଗ୍ୟ କି ଅଯୋଗ୍ୟ ଅଧିକାରୀ ଦ୍ବନ୍ଦ୍ବରେ ପଡ଼ିଗଲେ। ପୁଣି ଥରେ ବିଡିଏ ବିଏମ୍‌ସିର ତାଲିକା ସହ ସମ୍ପୃକ୍ତ ବ୍ୟକ୍ତିଙ୍କର ନାମ ମେଳକ କରାଇଲେ। ବିଏମ୍‌ସି ତାଲିକାରେ ସେହି ନାମ ସବୁ ନ ମିଶିବାରୁ ବିଡିଏ ଉଚ୍ଛେଦ ଅଭିଯାନ ଆରମ୍ଭ କଲା। କିନ୍ତୁ ସେତେବେଳକୁ ୫୦ ଅଯୋଗ୍ୟ କୋର୍ଟ ଯାଇ ସାରିଥିଲେ। ଏଣୁ ସେମାନଙ୍କୁ ବିଡିଏ ଉଚ୍ଛେଦ କରିପାରିଲାନି। ଅନ୍ୟ କେତେକ ଅଯୋଗ୍ୟଙ୍କୁ ଉଚ୍ଛେଦ କରି ତାଲା ପକାଇ ଦେଇଛି ହେଲେ ସେମାନଙ୍କର ଆସବାବପତ୍ର ସେହି ଘର ଭିତରେ ରହିଛି। ଫଳରେ ସେହି ଘରକୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇ ପାରୁନି। ଅନ୍ୟପଟେ ସେଠାରେ କେତେକ ଯୋଗ୍ୟ ରହୁଥିଲେ ମଧ୍ୟ ଧାର୍ଯ୍ୟ ଦେୟ(୧.୨ଲକ୍ଷ) ଦେଇ ନଥିବାରୁ ସେମାନଙ୍କୁ ବିଡିଏ ବାହାର କରିବାକୁ ଯୋଜନା କରିଛି, ହେଲେ କରିପାରୁନି। ଏଣେ ଯେଉଁମାନେ ଯୋଗ୍ୟ ସେମାନେ ଘର ନ ପାଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଏକ ବିଚିତ୍ର ସ୍ଥିତି ଏହି ପ୍ରକଳ୍ପରେ ରହିଛି।

ଏବେ ସୁଦ୍ଧା ୪୫୨ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇ ଘର ଯୋଗାଇ ଦିଆଯାଇଛି। ଏବେ ବି ୪୨ ଜଣ ସମ୍ପୂର୍ଣ୍ଣ ଅଯୋଗ୍ୟ ରହିଛନ୍ତି। ୨୨ଜଣ ହିତାଧିକାରୀ ଏଭଳି ଅଛନ୍ତି, ଯେଉଁମାନେ ୧ଲକ୍ଷ ୨୦ ହଜାର ଦେୟର ଅଧାରୁ କମ୍‌ ଦେଇଛନ୍ତି। ଆବଶ୍ୟକ ଦେୟ ଦାଖଲ କରି ନଥିବାରୁ ସେଠାରେ ରହିବା ପାଇଁ ସେମାନେ ଯୋଗ୍ୟ ନୁହନ୍ତି। ୨୨ଜଣ ଏଭଳି ଅଛନ୍ତି, ଯେଉଁମାନେ ଟଙ୍କାଟିଏ ଦାଖଲ କରିନାହାନ୍ତି। କେତେକ ନେତାଙ୍କର ହସ୍ତକ୍ଷେପ ଯୋଗୁଁ ଅନେକ ଜାଗାରେ ଅପ୍ରୀତିକର ପରିସ୍ଥିତି ଉପୁଜୁଛି। ଘର ପାଇଁ ସମ୍ପୂର୍ଣ୍ଣ ଦେୟ(୧.୨୦ଲକ୍ଷ) ଦାଖଲ କରିବା ପରେ ବି ୧୦୦ରୁ ଊର୍ଦ୍ଧ୍ବ ହିତାଧିକାରୀ ଝୁମ୍ପୁଡ଼ିରେ ରହୁଛନ୍ତି। ସେହିଭଳି ରଙ୍ଗମାଟିଆ ପ୍ରକଳ୍ପରେ ୬୦୦ ଘର ରହିଥିବା ବେଳେ ସେଠାରେ ପ୍ରାୟ ୨୦୦ ଘର ଭଡ଼ାରେ ଲାଗିଛି। ଏହାକୁ ଶୃଙ୍ଖଳିତ କରିବାକୁ ଅନେକ ବାର ଯୋଜନା ହୋଇଛି। ସ୍ବତନ୍ତ୍ର ଟିମ୍‌ ମଧ୍ୟ ଗଠନ ହୋଇଛି। ହେଲେ ଫଳ କିଛି ହୋଇନାହିଁ। ଅଯୋଗ୍ୟ ଭଡ଼ାରେ ରହୁଥିବା ବେଳେ ଯୋଗ୍ୟ କୋର୍ଟରେ ପହଞ୍ଚିଛନ୍ତି। କେବଳ ଏହି ଦୁଇଟି ପ୍ରକଳ୍ପ ନୁହେଁ, ଏକାଧିକ ଏଏଚ୍‌ପିରେ ଏଭଳି ଅଭାବନୟ ଚିତ୍ର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe