ଘରୋଇ ଜମିରେ ସରକାରୀ ରାସ୍ତା, ବିନା ନୋଟିସ୍‌ ଓ କ୍ଷତିପୂରଣରେ ଫଳକ ଲଗେଇଲେ

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ଦୁଇ ଅସହାୟ ବୃଦ୍ଧା

ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ଦୁଇ ଅସହାୟ ବୃଦ୍ଧା

ଘରୋଇ ଜମିରେ ସରକାରୀ ରାସ୍ତା, ବିନା ନୋଟିସ୍‌ ଓ କ୍ଷତିପୂରଣରେ ଫଳକ ଲଗେଇଲେ

ଭୁବନେଶ୍ବର: କ୍ଷତିପୂରଣ ବାବଦରେ କୌଣସି ଆଲୋଚନା ନ କରି ଘରୋଇ ସ୍ଥିତିବାନ ଜମିରେ ସରକାରୀ ଡ୍ରେନ୍‌ ଓ ରାସ୍ତା ନିର୍ମାଣ କରାଯାଉଥିବାରୁ ନ୍ୟାୟ ପାଇବା ପାଇଁ ରାଜଧାନୀର ଦୁଇ ଅସହାୟ ବିଧବା ବୃଦ୍ଧା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଡ୍ରେନ୍‌ ଓ ରାସ୍ତା ପାଇଁ ସରକାର ଜମି ଅଧିଗ୍ରହଣ କଲେ, କ୍ଷତିଗ୍ରସ୍ତଙ୍କୁ ଜମିର ଉପଯୁକ୍ତ ମୂଲ୍ୟ ଦେବା ନିୟମ ଥିବାବେଳେ ଏହି କ୍ଷେତ୍ରରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଉକ୍ତ ନିୟମ ଉଲ୍ଲଘଂନ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏମିତି ଏକ ଘଟଣା ଘଟିଛି ଜାଗମରା ମଲ୍ଲିକ କମ୍ପ୍ଲେକ୍ସ ଅଞ୍ଚଳରେ।

କ୍ଷତିଗ୍ରସ୍ତ ବୃଦ୍ଧା ବସନ୍ତ ପାତ୍ରଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ବାମୀ ସ୍ବର୍ଗତ ବାସୁଦେବ ପାତ୍ରଙ୍କ ନାମରେ ଜାଗମରା ମୌଜା ଖାତା ନମ୍ବର ୬୦୪ରେ ପ୍ଲଟ୍‌ ନମ୍ବର ୫୦୫, ୪୬୩ ଓ ୫୦୬ ରହିଛି। ସେହିପରି ଲଳିତା ପାତ୍ରଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ବାମୀ ସ୍ବର୍ଗତ ଭାଲୁ ପାତ୍ରଙ୍କ ନାମରେ ଜାଗମରା ମୌଜା ଖାତା ନମ୍ବର ୬୮୮ରେ ପ୍ଲଟ୍‌ ନମ୍ବର ୪୬୨, ୧୨୪୨, ୧୨୪୬, ୪୬୪, ୧୨୩୯ ରହିଛି। ସେଗୁଡ଼ିକ ଚାଷ ଜମି ହୋଇଥିଲେ ବି ଦୀର୍ଘ ବର୍ଷ ହେଲା ପଡ଼ିଆ ପଡ଼ିଛି। ସହର ମାଡ଼ି ବସିବା ପରେ ଏହି ଜମି ସବୁ ଚାଷ ଉପଯୋଗୀ ନ ହେବାରୁ ପଡ଼ିଆ ରହିଛି। ତେବେ କମ୍ପ୍ଲେକ୍ସ ବାସିନ୍ଦାମାନେ ସେହି ଜମି ଉପର ଦେଇ ଯା-ଆସ କରୁଥିଲେ। ହଠାତ୍‌ ୪ ତାରିଖରେ ଏହି ଜମି ଉପରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ହେବ ବୋଲି ବିଏମ୍‌ସି ପକ୍ଷରୁ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଆଶୋକ ଚନ୍ଦ୍ର ପଣ୍ଡାଙ୍କ ହାତରେ ଫଳକ ମରାଯାଇଛି।

ସରକାରୀ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରାଯିବା ପୂର୍ବରୁ ବିଭାଗୀୟ ଅଧିକାରୀମାନେ ତାହା କି ପ୍ରକାର ଜମି ତଦନ୍ତ କରିବା କଥା। ମାତ୍ର ବିନା ତଦନ୍ତରେ ଏଭଳି କରାଯାଇଛି। ଜମିର ମାଲିକାନା ଅନୁସାରେ ସେମାନଙ୍କୁ ବିଏମ୍‌ସି ପକ୍ଷରୁ ନୋଟିସ୍ କରାଯାଇ ନାହିଁ କି କ୍ଷତିପୂରଣ ବାବଦରେ କୌଣସି ଆଲୋଚନା କରାଯାଇନାହିଁ। ସେମାନଙ୍କ ଜମିକୁ ଜୋର୍‌ କରି ଛଡ଼ାଇ ନେବାକୁ ହୀନ ପ୍ରୟାସ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ସେମାନେ ପ୍ରଥମେ ଟ୍ବିଟ୍‌ ଯୋଗେ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ, ୫-ଟି ସଚିବ, ବିଏମ୍‌ସି କମିସନର ଓ ଜୋନାଲ୍‌ କମିସନରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଏ ନେଇ ସେମା‌ନେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଯଦି ପ୍ରଶାସନରୁ ନ୍ୟାୟ ନ ମିଳେ, ତେବେ ବାଧ୍ୟ ହୋଇ ମରି ପଡ଼ି ନ୍ୟାୟାଳୟର ଦ୍ବାରସ୍ଥ ହେବୁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe