ସନ୍ତୋଷୀବିହାରରେ ଜନଅସନ୍ତୋଷ: ଖରା ଦିନେ ଧୂଳି, ବର୍ଷାରେ କାଦୁଅ

Advertisment
ସନ୍ତୋଷୀବିହାରରେ ଜନଅସନ୍ତୋଷ: ଖରା ଦିନେ ଧୂଳି, ବର୍ଷାରେ କାଦୁଅ

ଭୁବନେଶ୍ବର: ଖରା ଦିନେ ଧୂଳିରେ ନାକକାନ ରୁନ୍ଧି ହେଲା। ଏବେ ବର୍ଷା ଦିନରେ ରାସ୍ତାସାରା କାଦୁଅ ପଚପଚ ହେଉଛି। ବର୍ଷେ ହେଲାଣି ଏମିତି ଘାଣ୍ଟିଚକଟି ହେଉଛନ୍ତି ବିଏମ୍‌ସି ୩୧ନମ୍ବର ୱାର୍ଡ ଅନ୍ତର୍ଗତ ସନ୍ତୋଷୀବିହାର ଓ ଗୋବିନ୍ଦପ୍ରସାଦର ବାସିନ୍ଦାମାନେ। ଅଥଚ ପୌର ନିର୍ବାଚନ ବେଳେ ପ୍ରତିଶ୍ରୁତିର ପାହାଡ଼ ଠିଆ କରାଇଥିବା ଲୋକପ୍ରତିନିଧିମାନଙ୍କ ଦର୍ଶନ ମିଳୁ ନାହିଁ। ମାତ୍ର ୨ କିମି ଲମ୍ବର ରାସ୍ତା କାମ ହୋଇପାରୁନାହିଁ।

ସ୍ଥାନୀୟ ବାସିନ୍ଦା ଜୟପ୍ରକାଶ ସାମଲଙ୍କ ଅଭିଯୋଗ ଅନୁସାରେ, ବର୍ଷକ ତଳୁ ଏହି ରାସ୍ତାରେ ସ୍ବରେଜ୍‌ ପାଇପ୍‌ ବିଛା କାମ ସରିଗଲାଣି। ରାସ୍ତାରେ ପଡ଼ିଥିବା ନୂଆ ମାଟି ବସିଯିବା‌ ପରେ ତିନି ମାସ ଭିତରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଂକ୍ରିଟ କରାଯିବ ବୋଲି କୁହାଯାଇଥିଲା। ଖରାଦିନ ବିତିଲା। ପ୍ରବଳ ଧୂଳି ଉଡ଼ିବାରୁ ସ୍ଥାନୀୟ ଲୋକେ ବଡ଼ କଲବଲ ହେଲେ। ଘରଦ୍ବାର ଧୂଳିରେ ଭରିଗଲା। ଏବେ ବର୍ଷା ଦିନ। ରାସ୍ତାରେ କାଦୁଅ ଭର୍ତ୍ତି। ବର୍ଷା ବେଳେ ଖାଲଖମା ଜଣାପଡ଼ୁନାହିଁ। ଫଳରେ ଲୋକେ ପାଣି ଭର୍ତ୍ତି ଗାତରେ ପଡ଼ି ଆହତ ହେଉଛନ୍ତି। ସନ୍ତୋଷୀବିହାରର ୫ଶହ ମିଟର ଓ ଗୋବିନ୍ଦପ୍ରସାଦ ଭିତରେ ଦେଢ଼ କିମି ଲମ୍ବର ରାସ୍ତା ବଡ଼ କଦର୍ଯ୍ୟ ହୋଇପଡ଼ିଛି। ପରିସ୍ଥିତି ଏମିତି ଯେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି। ନିହାତି କାମ ନପଡ଼ିଲେ, ଘରୁ ବାହାରିବାକୁ ଇଚ୍ଛା ହେଉନାହିଁ। ରାତିରେ ଏହି ରାସ୍ତାରେ ଯାତାୟାତ ବଡ଼ ଭୟଙ୍କର। ବରିଷ୍ଠ ନାଗରିକ, ମହିଳା ଓ ଛୋଟ ପିଲାମାନେ ଏକପ୍ରକାର ଗୃହବନ୍ଦୀ ଅବସ୍ଥାରେ। ସ୍ଥାନୀୟ ବାସିନ୍ଦା ଲୋଚନ ସାହୁଙ୍କ କହିବା କଥା, ବାରମ୍ବାର ଏନେଇ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାନ୍ତି। ସେମାନେ ସମସ୍ୟାରେ ଘାଣ୍ଟି ହେଉଥିଲେ ମଧ୍ୟ ଲୋକପ୍ରତିନିଧିମାନଙ୍କ ଦେଖାନାହିଁ। ତୁରନ୍ତ ରାସ୍ତା ନିର୍ମାଣ ନ କଲେ, ସେମାନେ କଟକ-ପୁରୀ ମୁଖ୍ୟ ରାସ୍ତା ଅବରୋଧ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe