ଗୁଣାତ୍ମକ ବିଚାର ବିଶ୍ବଭାତୃତ୍ବର ଭିତ୍ତିଭୂମି

ଗୁଣାତ୍ମକ ବିଚାର ବିଶ୍ବଭାତୃତ୍ବର ଭିତ୍ତିଭୂମି

ଖଣ୍ଡଗିରି: ଭଗବାନ ଆମ ସମସ୍ତଙ୍କ ପାଇଁ ଏକ ସୁନ୍ଦର ପୃଥିବୀ ରଚନା କରିଛନ୍ତି। ଏଥିରେ ବାସ କରୁଥିବା ସମସ୍ତ ପ୍ରାଣୀଙ୍କ ପାଇଁ ଆବଶ୍ୟକ ବସ୍ତୁ ଖଞ୍ଜି ଦେଇଛନ୍ତି। ମଣିଷକୁ ବାଦ୍‌ ଦେଇ ଅନ୍ୟ ସବୁ ଜୀବଜନ୍ତୁ ଭଗବାନଙ୍କ ନିକଟରେ ଏଥିପାଇଁ କୃତଜ୍ଞ। କିନ୍ତୁ ମଣିଷ ବ୍ୟତିକ୍ରମ। ବିଚାରଶକ୍ତି ଥାଇ ବି ମଣିଷ ମଣିଷ ଭିତରେ ଭେଦଭାବ ଭରି ରହିଛି। ତଥାପି ବହୁ ମଣିଷ ଅଛନ୍ତି, ଯେଉଁମାନେ ବିଶ୍ବଭାତୃତ୍ବର କଥା ଚିନ୍ତା କରିପାରୁଛନ୍ତି। ଏହା କିଛି କମ୍ କଥା ନୁହେଁ। ସମସ୍ତେ ଗୁଣାତ୍ମକ ବିଚାର ଓ କର୍ମରେ ନିଜକୁ ନିୟୋଜନ କରିଲେ ବିଶ୍ବଭାତୃତ୍ବ ପ୍ରତିଷ୍ଠା ହୋଇପାରିବ। ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ଭୁବନେଶ୍ବର ଶାଖା ପକ୍ଷରୁ ଆୟୋଜିତ ‘ବିଶ୍ବଭ‌ାତୃତ୍ବ ଦିବସ’ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଲେ ଯେ ପଶୁ, ପକ୍ଷୀ, ଜାତି, ଗୋତ୍ର ନଦେଖି ଫୁଲ ତା’ର ସୁଗନ୍ଧ ସମସ୍ତଙ୍କୁ ବିତରଣ କରିଥାଏ। ମଣିଷ ଯେଉଁଦିନ ଫୁଲ ପରି ହେବ ଏବଂ ଜାତି, ଧର୍ମ, ବର୍ଣ୍ଣ ଭିତରେ ବୈଷମ୍ୟ ଦେଖିବ ନାହିଁ, ସେଦିନ ପୃଥିବୀ ଆହୁରି ସୁନ୍ଦର ହୋଇଯିବ ଓ ବିଶ୍ବଭାତୃତ୍ବ ମୁଣ୍ଡ ଟେକି ଠିଆ ହେବ। ସ୍ବାମୀ ବିବେ‌କାନନ୍ଦ ମଧ୍ୟ ଏହା କହିଛନ୍ତି ବୋଲି ରାଜ୍ୟପାଳ ସ୍ମରଣ କରାଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା‌ ବିବେକାନନ୍ଦ କେନ୍ଦ୍ର ଓଡ଼ିଶା ପ୍ରାନ୍ତ ପ୍ରମୁଖ ପ୍ରଫେସର ଅନିଲ କୁମାର କର ଏହି ଅବସରରେ ୧୮୯୩ ସେପ୍ଟେମ୍ବର ୧୧ରେ ଚିକାଗୋ ସହରରେ ହୋଇଥିବା ବିଶ୍ବ ଧର୍ମ ସମ୍ମିଳନୀରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରଦତ୍ତ ଅଭିଭାଷଣର ସାରାଂଶ ବିଷୟରେ ଚର୍ଚ୍ଚ‌ା କରିଥିଲେ। ଅନୁଷ୍ଠାନର ନଗର ପ୍ରମୁଖ ସତ୍ୟରଞ୍ଜନ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ନଗର ସହସଂଚାରକ ପ୍ରଦ୍ୟୋତ କେଶରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ। ନଗର ସଂଚାଳିକ ଲିଲିମା ମହାପାତ୍ର କେନ୍ଦ୍ର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେବା କେନ୍ଦ୍ର ପକ୍ଷରୁ ବିବେକାନନ୍ଦ ମହାପାତ୍ର ଓ ଉପେନ୍ଦ୍ର କିଶୋର ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe