ସ୍ମାର୍ଟ ସିଟି ଉପ‌ଦେଷ୍ଟା ଫୋରମ୍‌ ବୈଠକ, ସ୍ମାର୍ଟ ସିଟି ପ୍ରକଳ୍ପ ତୁରନ୍ତ ଶେଷ କର

ସହିଦନଗର ଆଇପିଏସ୍‌ସିକୁ କୋଭିଡ୍‌ ହସ୍ପିଟାଲ କରିବାକୁ ପ୍ରସ୍ତାବ

ସ୍ମାର୍ଟ ସିଟି ଉପ‌ଦେଷ୍ଟା ଫୋରମ୍‌ ବୈଠକ, ସ୍ମାର୍ଟ ସିଟି ପ୍ରକଳ୍ପ ତୁରନ୍ତ ଶେଷ କର

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସ୍ମାର୍ଟସିଟି ଆଡଭାଇଜରି ଫୋରମ୍‌ (ଉପଦେଷ୍ଟା ଫୋରମ୍‌)ର ବୈଠକ ବିଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବିଏସ୍‌ସିଏଲ୍‌ ସିଇଓ ପ୍ରେମଚନ୍ଦ୍ର ଚୌଧରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଥିଲେ ଯେ ସ୍ମାର୍ଟ ଜନପଥ କାମ ବହୁ ବିଳମ୍ବ ହେଉଛି। ଏହାକୁ ତୁରନ୍ତ ଶେଷ କରିବା‌ ଦରକାର। ଏହି ରାସ୍ତାର ମରାମତି ଯେପରି ଭଲ ଭାବେ ହେବ, ସେଥିପାଇଁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ସେହିପରି ସହିଦନଗର ଆବାସିକ କଲ୍ୟାଣ ସଂଘର ସମ୍ପାଦକ ନାରାୟଣ ମହାପାତ୍ର କହିଲେ ଯେ ସହିଦନଗରରେ ଥିବା ଇଣ୍ଟିଗ୍ରେଟେଡ୍‌ ପବ୍ଲିକ ସର୍ଭିସ୍‌ ସେଣ୍ଟର (ଆଇପିସିଏସ୍‌)କୁ କୋଭିଡ୍‌୧୯ ହସ୍ପିଟାଲରେ ପରବର୍ତ୍ତନ କରାଯାଉ। ଏହାଦ୍ବାରା କୋଭିଡ୍‌ ଶଯ୍ୟା ଜନିତ ସମସ୍ୟା ଦୂର ହୋଇପାରିବ।

ଏନେଇ ଆବାସିକ ସଂଘ ପ୍ରସ୍ତାବ ଦେବାକୁ ବିଏସ୍‌ସିଏଲ୍‌ ସିଇଓ କହିଥିଲେ। ସହିଦନଗର ଅଞ୍ଚଳରେ ୱାଟ୍‌କୋ ରାସ୍ତାଗୁଡ଼ିକୁ ଖୋଳି ପକାଇଛି। ଏହାକୁ ତୁରନ୍ତ ମରାମତି କରିବା ଦରକାର ବୋଲି କହିଥିଲେ। ସାମାଜିକ ଅନୁଷ୍ଠାନ ପତିତା ଉଦ୍ଧାର ସମିତିର ମୁଖ୍ୟ ଆଭାରାଣୀ ଚୌଧୁରୀ କହିଥିଲେ ଯେ ସହରରେ ଭିକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କ ପାଇଁ ୫୦୦ଶଯ୍ୟା ବିଶିଷ୍ଟ ଏକ ଆଶ୍ରୟସ୍ଥଳ ନିର୍ମାଣ କରାଯାଉ। ଏନେଇ ବି ବିଧିବଦ୍ଧ ପ୍ରସ୍ତାବ ଦେବାକୁ ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଥିଲା। ବାପୁଜୀନଗର ଚାମ୍ବର ଅଫ୍ କମର୍ସର ସଭାପତି ଏମ୍.ଆଇ ମହମ୍ମଦ୍ କାଲିମ୍ ସହିଦନଗର ଏବଂ ରାଜମହଲରେ ହେଉଥିବା ବହୁତଳ କାର୍ ପାର୍କିଂ ନିର୍ମାଣ ତୁରନ୍ତ ଶେଷ କରିବା ଓ ଏହାକୁ କାର୍ଯ୍ୟକାରୀ କରିବାକୁ କହିଥିଲେ। ବୈଠକରେ ଏସ୍‌ଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ଡା, ବକୁଳ ଫାଉଣ୍ଡେସନର ସୁଜିତ ମହାପାତ୍ର ପ୍ରମୁଖ ଭୁବନେଶ୍ୱର ଅପରେସନ୍ ସେଣ୍ଟର ମାଧ୍ୟମରେ ଆଇଡିଆ ଚ୍ୟାଲେଞ୍ଜର ନାମକ ଏକ କାର୍ଯ୍ୟକ୍ରମ କରାଇବାକୁ କହିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଅନଲାଇନ୍‌ରେ ଯୋଗ ଦେଇଥିବା ବେଳେ ଭୁବନେଶ୍ବର ସାଂସଦଙ୍କ ପ୍ରତିନିଧି, ଭୁବନେଶ୍ବର ଏକାମ୍ର ବିଧାୟକଙ୍କ ପ୍ରତିନିଧି ଏବଂ ବିଏସ୍‌ସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe