ଭୁବନେଶ୍ୱର: ସାଧାରଣତଃ ଡାକ୍ତରଙ୍କୁ ଲୋକେ ଦେବତା ସମ ଭାବନ୍ତି। ମାତ୍ର ସ୍ୱାସ୍ଥ୍ୟ ସେବା ନାଁରେ ଶୋଷଣ କରିବାର ମାନସିକତା ଏକ ଦୁଃସ୍ଥ ବାତାବରଣକୁ ଜନ୍ମ ଦେଉଛି। ତଥାପି ସବୁ ଦେଖି ଚୁପ୍ ବସିଛି ଜନତା। ନାଚାର ହୋଇଯାଇଛି ଜନ ସମୁଦାୟ। ସ୍ୱାସ୍ଥ୍ୟ ବିଭାଗର ଏକ ନଗ୍ନ ନମୁନାର ଚିତ୍ର ଦେଖିବାକୁ ମିଳିଥିଲା ‘ଠିଆପାଲା’ରେ। ନାଟ୍ୟାନୁଷ୍ଠାନ ‘ପଞ୍ଚମବେଦ’ ପକ୍ଷରୁ ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଏବଂ ପଞ୍ଚମବେଦ ସମ୍ମାନ ପ୍ରଦାନ ଉତ୍ସବରେ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଦେଖିବାକୁ ମିଳିଥିଲା ଏହି ‘ଠିଆପାଲା’। ହାସ୍ୟରସରେ ଭରପୂର ଏହି ନାଟକକୁ ବେଶ୍ ରୋଚକ ଢଙ୍ଗରେ ଭେଟି ଦେଇଥିଲେ କଳାକାରବୃନ୍ଦ। ଶଙ୍କର ତ୍ରିପାଠୀ ନାଟ୍ୟ ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ହରେନ୍ ସାହୁ। ନାଟକର ବିଭିନ୍ନ ଭୂମିକାରେ ଜଗଦୀଶ, ବାପୁ, ମାନସ, ସୁକାନ୍ତି, ଯୁଧିଷ୍ଠିର, ସ୍ୱାଗତ, ଗୌରୀ, ପ୍ରକାଶ ଓ ମମତା ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ମେୟର ଅନନ୍ତ ନାରାୟଣ ଜେନା, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା, ପୂର୍ବତନ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତା ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଞ୍ଚମବେଦର ମୁଖ୍ୟ ହରେନ୍ ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ କରୁଣାକର ସାମଲ ଏବଂ ଶଙ୍କର ତ୍ରିପାଠୀଙ୍କୁ ପଞ୍ଚମବେଦ ସମ୍ମାନ ପ୍ରଦାନ କରାଯାଇଥିଲା।
ରବୀନ୍ଦ୍ର ମଣ୍ଡପରେ ‘ଠିଆପାଲା’
Advertisment
Follow Us