ଆଉ ମିଳିବନି ରହିମ୍‌ ଚାଚାଙ୍କ ପ୍ରସିଦ୍ଧ କଙ୍କଡ଼ା ମସଲା

Advertisment
ଆଉ ମିଳିବନି ରହିମ୍‌ ଚାଚାଙ୍କ ପ୍ରସିଦ୍ଧ କଙ୍କଡ଼ା ମସଲା

ଭୁବନେଶ୍ବର: ସ୍ବାଦିଷ୍ଟ ଖାଦ୍ୟର ଯାଦୁକରୀ ସେଫ୍ ରହିମ୍‌ ଚାଚା ଆଉ ନାହାନ୍ତି। ବାର୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ସେ ଜଗତସିଂହପୁରସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୦ ବର୍ଷ ହୋଇଥିଲା। ବିୟୋଗରେ ହୋଟେଲ୍‌ ଓ ରେସ୍ତୋରାଁ ଶିଳ୍ପ ସହ ଜଡ଼ିତ ଏବଂ ତାଙ୍କ ହାତରନ୍ଧା ଖାଦ୍ୟର ସ୍ବାଦ ନେଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ମଟନ ବିରିୟାନି ହେଉ ଅବା କଙ୍କଡ଼ା ମସଲା। ଡାଲ୍‌ ପାଲକ କିମା ହେଉ ଅବା ଚିକେନ ସନ୍ତୁଳା; ଉତ୍ତର-ଭାରତୀୟ ଖାଦ୍ୟ ପ୍ରସ୍ତୁତିରେ ସେ ଥିଲେ ଜଣେ ‌ଧୂରୀଣ ବ୍ୟକ୍ତି। ଅବଦୁଲ୍‌ ରହିମ୍‌ ‌ରୋଷେଇ ପାଇଁ କେଉଁଠାରୁ ବିଧିବଦ୍ଧ ତାଲିମ୍‌ ନେଇ ନଥିଲେ କି ହୋଟେଲ୍‌ ମ୍ୟାନେଜମେଣ୍ଟ୍‌ ପଢ଼ିନଥିଲେ। ବରଂ କୋଲକାତାରେ ଏକ ହୋଟେଲ୍‌ରେ ବାସନ ମଜାରୁ ତାଙ୍କର ସଂଘର୍ଷ ଯାତ୍ରା ଆରମ୍ଭ ହୋଇଥିଲା। ନିଷ୍ଠା ଓ ଖାଦ୍ୟ ପ୍ରସ୍ତୁତି ଶିଖିବାର କୌଶଳ ଦେଖି ଦେଖି ସେ ଶିଖିବା ଆରମ୍ଭ କରିଥିଲେ। ସତୁରି ଦଶକରେ ସେ ଓଡ଼ିଶା ଫେରି ଭୁବନେଶ୍ବର ଓ କଟକରେ ନିଜ ଖାଦ୍ୟର ସ୍ବାଦ ଚଖାଇଥିଲେ। ଯେବେ ଅଶି ଦଶକରେ ହୋଟେଲ୍‌ ସ୍ବସ୍ତି ନିଜର ଖାଦ୍ୟ ପାଇଁ ଲୋକପ୍ରିୟତା ଅର୍ଜନ କଲା ତା’ ପଛର ନାୟକ ଥିଲେ ସେଫ୍‌ ରହିମ୍‌। ପରେ କଟକର ଆକବରୀରେ ତାଙ୍କ ପ୍ରସ୍ତୁତ ଖାଦ୍ୟ ଆକବରୀକୁ ପ୍ରସିଦ୍ଧି ଆଣିଦେଲା। ପରେ ସେ ଦୀର୍ଘ ୧୮ ବର୍ଷ ହୋଟେଲ୍‌ କ୍ରାଉନ୍‌ରେ ମୁଖ୍ୟ ସେଫ୍‌ ଭାବେ କାର୍ଯ୍ୟ କରିଥିଲେ। ଗତବର୍ଷଠାରୁ ଅବସର ନେଇ ଘରେ ରହୁଥିଲେ।

publive-image

ବିଶେଷକରି ବଲ୍‌ କୁକିଂ ଓ ବା‌ଙ୍କୱେଟ୍‌ରେ ତାଙ୍କୁ ମାତ ଦେବା ଭଳି କେହି ନଥିଲେ ବୋଲି କହିଛନ୍ତି ହୋଟେଲ୍‌ କ୍ରାଉନ୍‌ର ପରିଚାଳନା ନିର୍ଦେଶକ ଦେବାଶିଷ ପଟ୍ଟନାୟକ। ଡାଲ୍‌ ପାଲକ କିମା ଥିଲା ତାଙ୍କ ନିଜସ୍ବ ସୃଷ୍ଟି। ଏହା ବ୍ୟତୀତ ସବୁବେଳେ ନୂଆ ନୂଆ ଖାଦ୍ୟକୁ ନେଇ ପରୀକ୍ଷା ନୀରିକ୍ଷା କରିବାରେ ବୁଡ଼ି ରହୁଥିଲେ। ଯେ କେହି ଥରେ ତାଙ୍କ ହାତରନ୍ଧା ଖାଉଥିଲେ ସେ ବାରମ୍ବାର ରହିମ୍‌ ଚାଚାଙ୍କ ଖାଦ୍ୟ ଲୋଡ଼ୁଥିଲେ। ଓଡ଼ିଶାରେ ଖାଦ୍ୟ ରଙ୍କୁଣାଙ୍କ ମଧ୍ୟରେ ସେ ପାଲଟି ଯାଇଥିଲେ ଚିହ୍ନା ମୁହଁ। ରହିମ ଚାଚାଙ୍କ ମୃତ୍ୟୁରେ ଓଡ଼ିଶାରେ ରେସ୍ତୋରାଁ ଖାଦ୍ୟ ସାମ୍ରାଜ୍ୟର ‌ଗୋଟେ ଯୁଗ ଶେଷ ହୋଇଛି ବୋଲି ତାଙ୍କ ପ୍ରଶଂସକମାନେ କହିଛନ୍ତି। ଏନେଇ ବହୁ ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କ ସମ୍ବନ୍ଧରେ ଟ୍ବିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି। ମରଶରୀର ନିକଟରେ ଅବଦୁଲ ନଇମ, ଅବଦୁଲ କାଦିର୍‌ଙ୍କ ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ଆଜି ପୂର୍ବାହ୍ନ ୧୧ଟା ବେଳେ ତାଙ୍କୁ କବର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe