Rozana Spokesman
ଚନ୍ଦ୍ରଶେଖରପୁର : ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ରାଜସ୍ବ ଆଦାୟର ସମସ୍ତ ଦିଗକୁ କଡ଼ାକଡ଼ି କରାଯାଇଛି। ଏହାକୁ ସାଧାରଣ ବକେୟା ଓ ଗୃହ ଟିକସ ଆଦାୟରେ ସୀମିତ ନରଖି ଏବେ ଟ୍ରେଡ୍ ଲାଇସେନ୍ସ୍ ଜନିତ ରାଜସ୍ବକୁ ବି ଗୁରୁତ୍ବ ଦିଆଯାଇଛି। ଗତ ୩ ଦିନ ଧରି ବିଏମ୍ସିର ଉତ୍ତର ଜୋନ୍ରେ ଟ୍ରେଡ୍ ଲାଇସେନ୍ସ ଜନିତ ଚଢ଼ଉ ଚାଲିଛି। ଜୋନାଲ୍ ଡେପୁଟି କମିସନର ପ୍ରମୋଦ କୁମାର ପୃଷ୍ଟିଙ୍କ ସ˚ଯୋଜନାରେ ସ୍ବତନ୍ତ୍ର ସ୍କ୍ବାଡ୍ର ସଦସ୍ୟମାନେ ଉପସ୍ଥିତ ରହି ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ଓ ବୁଲା ବ୍ୟବସାୟଙ୍କ ପାଖକୁ ଯାଇ ସେମାନଙ୍କର ଟ୍ରେଡ୍ ଲାଇସେନ୍ସ ଯାଞ୍ଚ କରୁଛନ୍ତି। ପ୍ରାଥମିକ ଭାବେ ଉତ୍ତର ଭୁବନେଶ୍ବରର ଲକ୍ଷ୍ମୀ ବିହାରଠାରୁ କଳିଙ୍ଗ ହସ୍ପିଟାଲ୍ ଛକ ପର୍ଯ୍ୟନ୍ତ ଏହି ଚଢ଼ଉ କରାଯାଇଛି।
୩ ଦିନ ଧରି ଚାଲିଥିବା ଏହି ଚଢ଼ଉରେ ସ୍କ୍ବାଡ୍କୁ ବଡ଼ ସଫଳତା ମିଳିଛି। ଜୋନାଲ୍ ଡେପୁଟି କମିସନରଙ୍କ ତଥ୍ୟ ଅନୁସାରେ ବୁଲୁଥିବା ସ୍କ୍ବାଡ୍ର କୌଣସି ବି ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନକୁ ଛାଡ଼ୁ ନାହାନ୍ତି। ୩ ଦିନ ମଧ୍ୟରେ ଲକ୍ଷ୍ମୀବିହାରଠାରୁ କଳିଙ୍ଗ ହସ୍ପିଟାଲ୍ ଛକ ମଧ୍ୟରେ ଥିବା ବ୍ୟବସାୟ ପ୍ରତିଷ୍ଠାନ/ଦୋକାନଗୁଡ଼ିକ ମଧ୍ୟରେ ଅର୍ଦ୍ଧାଧିକ ଟ୍ରେଡ୍ ଲାଇସେନ୍ସ କରିନାହାନ୍ତି। ତେଣୁ ଏବେ ସୁଦ୍ଧା ୫୮ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସେମାନଙ୍କଠାରୁ ଟ୍ରେଡ୍ ଲାଇସେନ୍ସ ଓ ଜରିମାନା ବାବଦରେ ପ୍ରାୟ ୧ଲକ୍ଷ ୨୨ ହଜାର ଟଙ୍କା ଆଦାୟ ହୋଇଛି। ଏହି ସବୁ ଅଞ୍ଚଳ ପରିଦର୍ଶନ କଲା ବେଳେ ବ୍ୟବସାୟ ଚାଲୁଥିବା ଘରଗୁଡ଼ିକର ଗୃହ ଟିକସ ଜମା କରାଯାଇଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଛି। ଏହି କ୍ରମରେ ୪ଟି ଘରର ଟିକସ ମଧ୍ୟ ଆଦାୟ ହୋଇଛି। ମ୍ୟୁନିସିପାଲ୍ କର୍ପୋରେସନ୍ ଆକ୍ଟ-୨୦୧୩ ଅନୁସାରେ, ଏହାର ଧାରା-୫୫୪ରେ ପ୍ରତ୍ୟେକ ବ୍ୟବସାୟୀ ସମ୍ପୃକ୍ତ ବ୍ୟବସାୟର ପ୍ରକାର ଅନୁସାରେ ଟ୍ରେଡ୍ ଲାଇସେନ୍ସ ପାଇଁ ଆବେଦନ କରିବେ। ତେବେ ଏହି ଅଭିଯାନ ସଚେତନତା ସହ କାର୍ଯ୍ୟାନୁଷ୍ଠାନ ନିଆଯିବା ଓ ରାଜସ୍ବକୁ ବ୍ୟବସ୍ଥିତ କରିବା ପାଇଁ ଚାଲୁ ରହିବ।
Follow Us