ଚନ୍ଦ୍ରଶେଖରପୁର : କରୋନା କଟକଣାକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିବା ପଟିଆ ଅଞ୍ଚଳର ୪ଟି ବାର୍ରେ ଚଢ଼ଉ କରିଛି ଇନ୍ଫୋସିଟି ଥାନା ପୁଲିସ। ସେଥିମଧ୍ୟରୁ ୱିପ୍ରୋ ବାର୍ରେ ଚଢ଼ଉ ବେଳେ ଗଣ୍ଡଗୋଳ ହୋଇଛି। ପୁଲିସ ଫୋର୍ସ ସହ ପହଞ୍ଚି ବାର୍ର ଦୁଇଜଣଙ୍କୁ କାବୁ କାରି ଥାନାରେ ଅଟକ ରଖିଛି। ଅନ୍ୟ ୩ଟି ବାର୍କୁ ଜରିମାନା କରାଯାଇଛି।
ଅପରପକ୍ଷରେ କରୋନା କଟକଣାକୁ ଫୁ’ କରି ମଦ ଓ ନୃତ୍ୟଗୀତର ଆସର ଜମାଇଥିବା ଏମ୍ବାସି ବାର୍କୁ ସିଲ୍ କରିଛି ବିଏମ୍ସି। ଏହାସହ ଆଇନ ଉଲ୍ଲଂଘନ ଅଭିଯୋଗରେ ପୁଲିସ ବାର୍ ମାଲିକଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାର୍ ମାଲିକ ପୁଣ୍ୟପ୍ରକାଶ ପରିଡ଼ା, କୁନାଲ ଗୋସ୍ବାମୀ, ଅନୁପ ସିଂ ଓ ରିତେଶ ଜେନା।
ଅଭିଯୁକ୍ତମାନେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ରେ ପାଖାପାଖି ୪୦୦ରୁ ଅଧିକ ଲୋକଙ୍କୁ ପ୍ରବେଶ କରାଇ ପାର୍ଟି କରୁଥିଲେ। ରାତି ୧୧ଟା ପରେ କୋଭିଡ୍ ନିୟମ ଉଲ୍ଲଂଘନ କରି ଡିଜେ ବଜାଉଥିଲେ। ସ୍ଥାନୀୟ ଲୋକ ଅତିଷ୍ଠ ହୋଇ ଥାନାକୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାହର ପଟୁ ସଟର ବନ୍ଦ ରହିଥିଲା। ସୁରକ୍ଷାକର୍ମୀ ସଟର ଖୋଲିବା ପରେ ପୁଲିସ ଭିତରେ ପଶି ଚଢ଼ଉ କରିଥିଲା। ସେହି ସମୟରେ ପ୍ରାୟ ୪ଶହ ଯୁବକ ଓ ଯୁବତୀ ନାଚଗୀତରେ ମସଗୁଲ୍ ଥିଲେ। ପୁଲିସ ସେମାନଙ୍କୁ ତୁରନ୍ତ ଚାଲିଯିବା ପାଇଁ ତାଗିଦ କରିବା ସହ ବିଏମ୍ସିକୁ ସୂଚନା ଦେଇଥିଲା।
ଉକ୍ତ ବାର୍ରେ ଲକ୍ଡାଉନ୍ ସମୟରେ ପୂବର୍ରୁ ୪ଥର ଚଢ଼ଉ ହୋଇଛି। ମାତ୍ର ଏତେ ସଂଖ୍ୟକ ଗ୍ରାହକ ନଥିବାରୁ ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଥିଲା। ଗତକାଲି ଜୋନ୍ ଏସିପି ଓ ଆଇଆଇସି ମିଳିତ ଭାବେଏହି ବାର୍ ଉପରେ ଚଢ଼ଉ କରିଥିଲେ।
Follow Us