ଆଳୁ ଖୋଳୁଖୋଳୁ ମହାଦେବ: ହୋଟେଲ୍‌ ସାଉଥ୍‌ସିଟି ବାର୍‌ରେ ପୁଣି ଚଢ଼ଉ; ସାମ୍ନାକୁ ଆସିଲା ରଙ୍ଗିନ ରାତିର କାହାଣୀ

Advertisment
ଆଳୁ ଖୋଳୁଖୋଳୁ ମହାଦେବ: ହୋଟେଲ୍‌ ସାଉଥ୍‌ସିଟି ବାର୍‌ରେ ପୁଣି ଚଢ଼ଉ; ସାମ୍ନାକୁ ଆସିଲା ରଙ୍ଗିନ ରାତିର କାହାଣୀ

ବାର୍‌ ମାଲିକ ଓ କନେଷ୍ଟବଳ ସଂଘ ସଂପାଦକ ଅଟକ
ସୁରକ୍ଷା ଦେବା ଅଭିଯୋଗରେ ବଦଳିଲେ ତମାଣ୍ଡୋ ଥାନାଧିକାରୀ
 ଲାଇସେନ୍ସ ଅବଧି ଶେଷ ହେବା ପରେ ବି ଚାଲିଥିଲା ବାର୍
୩୦ ପେଟି ବିଦେଶୀ ମଦ, ପୁଳାପୁଳା ନକଲି ନୋଟ୍ ଜବତ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟାକାଣ୍ଡର ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ସାଉଥ୍‌ସିଟି ବାର୍‌ର କଳା କାରନାମା ପଦାରେ ପଡ଼ିଛି। ସେପ୍ଟେମ୍ବର ମାସରୁ ଲାଇସେନ୍ସ ଅବଧି ସରିଥିଲେ ବି ଏଠାରେ ବେଆଇନ ଭାବେ ବାର୍‌ ଚାଲିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦମାଂସ ଓ ନାଚଗୀତର ଆସର ଚାଲିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। କେବଳ ସେତିକି ନୁହେଁ, ଭୁବନେଶ୍ବର ହାବିଲଦାର ଓ କନଷ୍ଟେବଳ ସଂଘ ସଂପାଦକ ପ୍ରସନ୍ନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ବାର୍ ଚାଲୁଥିବା ଜଣାପଡ଼ିଥିବ‌ାରୁ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ‌ଶୁକ୍ରବାର ଦିନ ପୁଲିସ ବାର୍ ଉପରେ ଚଢ଼ଉ କରି ବାର୍ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ସଂଘ ସଭାପତି ପ୍ରସନ୍ନ ବେହେରାଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖିବା ସହ ପଚରାଉଚରା କରୁଛି। ଏ ସଂକ୍ରାନ୍ତରେ ତମାଣ୍ଡୋ ଥାନାରେ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ସାଙ୍ଗକୁ ଏଭଳି ଅନୈତିକ କାର୍ଯ୍ୟକୁ ସୁରକ୍ଷା ଦେଉଥିବା ଅଭିଯୋଗରେ ତମାଣ୍ଡୋ ଥାନାଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଛି।

publive-image

ଚଳିତ ମାସ ୯ ତାରିଖ ବିଳମ୍ବିତ ରାତିରେ ମନୀଷ ଓ ତାଙ୍କ ସାଙ୍ଗମାନେ ମଉଜମସ୍ତି କରିବାକୁ ହୋଟେଲ ସାଉଥ ସିଟି ବାର୍‌କୁ ଯାଇଥିବାବେଳେ ଏଠାରେ ବିଲ୍ ପେମେଣ୍ଟକୁ ନେଇ ଝଗଡ଼ା ହୋଇଥିଲା ଏବଂ ବାର୍‌ରୁ ବାହାରିବା ପରେ ସେ ହତ୍ୟାର ଶିକାର ହୋଇଥିଲେ। ଏହି ଘଟଣା ପଦାକୁ ଆସିବା ପରେ ରାଜଧାନୀରେ ଭୋର ପର୍ଯ୍ୟନ୍ତ ବାର୍ ଖୋଲା ରହିବା ଓ ପୁଲିସ ପୃଷ୍ଠପୋଷକତାରେ ଚାଲିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ସବୁ ନିୟମକାନୁନକୁ ଜଳାଞ୍ଜଳି ଦେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ରେ ନାଚଗୀତ ଓ ମଦର ଆସର କେମିତି ଚାଲିଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ତେଣୁ ସେତେବେଳେ ବାର୍‌କୁ ସିଲ୍ କରାଯିବା ସହ ସ୍ବତନ୍ତ୍ର ଭାବେ ଜଣେ ଅତିରିକ୍ତ ଡିସିପି (କ୍ରାଇମ୍) ପ୍ରାଣକୃଷ୍ଣ ରାଉତଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା। ଭୁବନେଶ୍ବର ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ପ୍ରସନ୍ନ ବେହେରା ନିଜ ଭାଇଙ୍କ ନାଁରେ ଲିଜ୍‌ ନେଇ ଏହି ବାର୍ ଚାଲୁଥିବା ତଦନ୍ତରୁ ଜଣାପଡ଼ିଥିଲା। ଏପରିକି ନିଜେ ପ୍ରସନ୍ନ ବେହେରା ମ୍ୟୁଜିକ୍‌ର ତ‌ାଳେ ତାଳେ ବାର୍‌ ଭିତରେ ନିଜେ ନାଚୁଥିବାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ତେଣୁ ପୁଲିସ ପ୍ରସନ୍ନ ବେହେରା ଓ ବାର୍ ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କୁ ଉଠା‌ଇ ଆଣିଥିଲା।

publive-image

ଅନ୍ୟପକ୍ଷରେ ଶୁକ୍ରବାର ଦିନ ଦ୍ବିତୀୟ ଥର ପାଇଁ କମିସନରେଟ ପୁଲିସ ପକ୍ଷରୁ ବାର୍‌ରେ ଚଢ଼ଉ ସମୟରେ ବାର୍‌ର ଡ୍ୟାନ୍ସ ଫ୍ଲୋର୍ ଉପରେ ଗ୍ରାହକ ଉଡ଼ାଉଥିବା ପୁଳାପୁଳା ନକଲି ନୋଟ୍ ବିଛେଇ ‌ହୋଇ ପଡ଼ିଥିବା ଦେଖାଯାଇଥିଲା। ଆହୁରି ବିଡ଼ାବିଡ଼ା ନକଲି ଟଙ୍କା ପେଟି ଭିତରେ ରଖାଯାଇଥିଲା। ପୁଲିସ ଏହି ନକଲି ନୋଟ୍‌ ସାଙ୍ଗକୁ ବାର୍ ଭିତରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ୩୦ ପେଟି ବିଦେଶୀ ମଦ, କମ୍ପ୍ୟୁଟର, ହାର୍ଡଡିସ୍କ, ରେଜିଷ୍ଟର ମଧ୍ୟ ଜବତ କରିଥିଲା।

ଏହା ପରେ ଅତିରିକ୍ତ ଡିସିପି(କ୍ରାଇମ) ପ୍ରାଣକୃଷ୍ଣ ରାଉତଙ୍କୁ ଘଟଣାର ତଦନ୍ତଭାର ଦିଆ ଯାଇଥିଲା। ଶ୍ରୀ ରାଉତ ଘଟଣାର ତଦନ୍ତ କରି ଗତ ବୁଧବାର ଡିସିପିଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ସେହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ଜଣାପଡ଼ିଛି।

publive-image

କାହିଁକି ରଦ୍ଦ ହେବନି ବାର୍ ଲାଇସେନ୍ସ? କାରଣଦର୍ଶାଅ ନୋଟିସ୍ ଜାରିକଲେ ଜିଲ୍ଲାପାଳ
ଭୁବନେଶ୍ବର : ସବୁ ନିୟମକାନୁନକୁ ଉଲ୍ଲଂଘନ କରି ଚାଲିଥିଲା ସାଉଥ୍ ସିଟି ବାର୍‌। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ କାହିଁକି ବାର୍‌ ଲାଇସେନ୍ସ ରଦ୍ଦ କରା ନ ଯିବ ତାହାର କାରଣଦର୍ଶାଅ ନୋଟିସ୍ ମାଗିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଅବକାରୀ ସୁପରିନଟେଣ୍ଡେଣ୍ଟଙ୍କ ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ଗତ ୧୬ ତାରିଖରେ ଏହି ନୋଟିସ୍ କରାଯାଇଛି। ଉତ୍ତର ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅବକାରୀ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe