ନାଇଟ୍‌ କୋଚ୍‌ ଉପରେ ଚଢ଼ଉ

Advertisment

ଛକର ଶହେ ମିଟର ପର୍ଯ୍ୟନ୍ତ ନୋ‌ ପାର୍କିଂ ଜୋନ୍, ୪ ବସ୍‌ ଉପରେ ୨୦ହଜାର ଟଙ୍କା ଜରିମାନା

ଛକର ଶହେ ମିଟର ପର୍ଯ୍ୟନ୍ତ ନୋ‌ ପାର୍କିଂ ଜୋନ୍, ୪ ବସ୍‌ ଉପରେ ୨୦ହଜାର ଟଙ୍କା ଜରିମାନା

ନାଇଟ୍‌ କୋଚ୍‌ ଉପରେ ଚଢ଼ଉ

ଭୁବନେଶ୍ବର: କିଛିଦିନ ହେଲା ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରିଥିବା କମିସନରେଟ୍‌ ପୁଲିସ ଆଜି ନାଇଟ୍‌ କୋଚ୍‌ ବସ୍‌ ଉପରେ ଚଢ଼ଉ କରିଛି। ରାଜଧାନୀର ବିଭିନ୍ନ ଛକରେ ନାଇଟ୍‌ କୋଚ୍‌ ବସ୍‌ଗୁଡ଼ିକର ବେଆଇନ ରହଣି ନେଇ ପୁଲିସ ଓ ଆରଟିଓ ପକ୍ଷରୁ ବାରମ୍ବାର ତାଗିଦ୍ କରାଯିବା ସତ୍ତ୍ବେ ଗାଡ଼ି ଚାଳକମାନେ ଛକ ଉପରେ ଗାଡ଼ି ରଖୁଥିବାରୁ ଆଜି ପୁଲିସ ପକ୍ଷରୁ ଚଢ଼ଉ କରି ଜରିମାନା ଆଦାୟ କରାଯାଇଛି। ପ୍ରଥମ ଦିନରେ ୪ଟି ବସ୍‌ ଉପରେ ଚଢ଼ଉ କରି ୨୦ ହଜାର ଟଙ୍କାର ଚାଲାଣ କଟା ଯାଇଛି। ଏହାସହ ରାଜଧାନୀର କେଉଁ ଛକରେ କେଉଁଠି ନାଇଟ୍‌ ବସ୍‌ଗୁଡ଼ିକ ଯାତ୍ରୀ ଉଠାଇବେ, ସେନେଇ ବସ୍‌ ମାଲିକମାନଙ୍କୁ ଡାକି କୁହାଯାଇଛି।

ଏଣିକି ରାଜଧାନୀର ଛକଗୁଡ଼ିକର ୧୦୦ ମିଟର ଭିତରେ କୌଣସି ଗାଡ଼ି ପାର୍କିଂ କରିପାରିବେ ନାହିଁ। ଏପରିକି ଯାତ୍ରୀବାହୀ, ମାଲ୍‌ବାହୀ, ଚାରିଚକିଆ ଓ ଦୁଇ ଚକିଆ ଗାଡ଼ି ବି ଏହି ନୋ-ପାର୍କିଂ ଜୋନ୍‌ରେ ଯେପରି ପାର୍କିଂ ନ କରିବେ, ସେନେଇ ନିୟମ କଡ଼ାକଡ଼ି କରାଯାଇଛି। ଏହାସହ ନାଇଟ୍‌ କୋଚ୍‌ଗୁଡ଼ିକ ନିର୍ଦ୍ଧାରିତ ସମୟରେ ବସ୍‌ଷ୍ଟପ୍ ଛାଡ଼ି‌ବେ, ଟ୍ରାଫିକ୍‌ ପୋଷ୍ଟଠାରୁ ଶହେ ମିଟର ଦୂରରେ ଗାଡ଼ି ରଖିବେ, ଯେଭଳି ଗାଡ଼ି ପଛକୁ ପଛ ରହି ଜାମ ପରିସ୍ଥିତି ସୃଷ୍ଟି ନକରିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଯଦି କୌଣିସ ବସ୍‌ ନୋ ପାର୍କିଂ ଜୋନ୍‌ରେ ପାର୍କିଂ କରିଥିବା ଦେଖିବାକୁ ମିଳେ କିମ୍ବା ନିୟମ ଉଲ୍ଲଂଘନ କରନ୍ତି, ‌େତବେ ଗାଡ଼ି ମାଲିକଙ୍କଠାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମା‌ନା ଆଦାୟ ହେବ। ଆର୍‌ଟିଓ ଭୁବନେଶ୍ବର-୧ ପକ୍ଷରୁ ଆଜିଠାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ହେଲେ ଏହି ନିୟମ କେତେ ଦିନ ଲାଗୁ ହେବ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଯେତେବେ‌ଳେ ନୂଆ ଅଧିକାରୀ ଆସୁଛନ୍ତି, ସେ‌େତବେଳେ ନୂଆ ନୂଆ ନିୟମ କରୁଛନ୍ତି। ଆଉ ଦିନ କେଇଟା ପରେ ଅନୁରୂପ ଅବସ୍ଥା ଦେଖିବାକୁ ମି‌ଳୁଛି।

ସୂଚନାଯୋଗ୍ୟ ଯେ ଏବେ ନାଇଟ୍‌ କୋଚ୍ ବସ୍‌ଗୁଡ଼ିକ ବରମୁଣ୍ଡା ବସଷ୍ଟାଣ୍ଡ ଛାଡ଼ିବା ପରେ ଫାୟାର ଷ୍ଟେସନ୍‌ ଛକରୁ ପଳାସୁଣୀ ପର୍ଯ୍ୟନ୍ତ ବିଭିନ୍ନ ଛକରେ ଗାଡ଼ି ଅଟକାଇ ଯାତ୍ରୀ ଉଠାଉଥିବାରୁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ଅଧାରୁ ଅଧିକ ରାସ୍ତା ଉପରେ ଗାଡ଼ି ପାର୍କିଂ କରିବା ସହ ପଛକୁ ପଛ ଲମ୍ବା ଧାଡ଼ିରେ ଗାଡ଼ିଗୁଡ଼ିକ ରହୁଥିବାରୁ ଏହି ରାସ୍ତାରେ ଯାତାୟାତ କରିବା ଅନ୍ୟ ଗାଡ଼ିଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ୁଛି। ଯେଉଁଥିପାଇଁ ପ୍ରତ୍ୟେକ ଦିନ ଦୁର୍ଘଟଣା ବି ଘଟୁଛି। ଯାହାକୁ ନେଇ ବାରମ୍ବାର କମିସନରେଟ୍‌ ପୁଲିସ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ଆଜିର ଚଢ଼ଉ ପରେ ନାଇଟ୍ କୋଚ୍ ବସ୍‌ଗୁଡ଼ିକ ନିୟମ ଅନୁଯାୟୀ ପାର୍କିଂ କରିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ଜାତୀୟ ରାଜପଥରେ ନାଇଟ୍‌ କୋଚ୍ ବସ୍‌ଗୁଡ଼ିକ ଯୋଗୁଁ ସୃଷ୍ଟି ହେଉଥିବା ଜାମ୍ ପରିସ୍ଥିତି ନେଇ ଆଜି ଆର୍‌ଟିଓ, ଟ୍ରାଫିକ୍‌ ଓ ବସ୍‌ ମାଲିକ ସଂଘ ମଧ୍ୟରେ ଆର୍‌ଟିଓ-୧ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବସିଥିଲା। ଏଥିରୁ ଜଣାପଡ଼ିଥିଲା ଯେ ବସ୍‌ଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ସମୟ ଅନୁଯାୟୀ ସେମାନେ ବରମୁଣ୍ଡା ବସଷ୍ଟାଣ୍ଡ ନ ଛାଡ଼ି ଖୁବ୍‌ କମ୍‌ ସମୟ ବ୍ୟବଧାନରେ ବରମୁଣ୍ଡା ଛାଡ଼ୁଛନ୍ତି। ଯେଉଁଥିପାଇଁ ରାଜଧାନୀର ଅନ୍ୟ ଛକଗୁଡ଼ିକରେ ଯାତ୍ରୀ ଉଠାଇବା ବେଳେ ଭିଡ଼ ଜମୁଛି। ତେଣୁ ଆରଟିଓ-୧ ପ୍ରଦୀପ କୁମାର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି ଯେ ଏଣିକି ଯେଉଁ ବସ୍‌ ଯେଉଁ ସମୟରେ ବସଷ୍ଟାଣ୍ଡ ଛାଡ଼ିବାକୁ ସମୟ ଧାର୍ଯ୍ୟ ହୋଇଛି ସେହି ସମୟରେ ଛାଡ଼ିବେ। ନଚେତ୍ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଜିର ଏହି ବୈଠକରେ ଏସିପି (ଟ୍ରାଫିକ୍‌) କିଶୋର ପାଣିଗ୍ରାହୀ, ଡିଏସ୍‌ପି ଏଲ୍‌ଏନ୍‌ ପାଢ଼ୀ, ବସ୍‌ ମାଲିକ ସଂଘର ସମ୍ପାଦକ ବରଦା ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତି ଥିଲେ। ସେହିପରି ଆଜି ଟ୍ରାଫିକ୍‌ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ୧ଲକ୍ଷ ୧୧ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୪୪୩ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଏହି ଜରିମାନା ଆଦାୟ କରାଯାଇଥିବା ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe