ଭୁବନେଶ୍ବର: ମାଟ୍ରିମୋନି ସାଇଟ୍ରେ ମହିଳାଙ୍କୁ ଫାନ୍ଦରେ ପକାଇ ୧୭ ଜଣଙ୍କୁ ବିବାହ କରିଥିବା ନକଲି ଡାକ୍ତର ରଙ୍ଗିଲା ରମେଶ ସ୍ବାଇଁର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଆଜି ଏସ୍ଆଇଟି ପୁଲିସ କାମାକ୍ଷାନଗର ଓ କଟକ ନରସିଂହପୁରସ୍ଥିତ ଘରେ ଓ କ୍ଲିନିକ୍ରେ ଚଢ଼ଉ ବେଳେ ଅନେକ ତଥ୍ୟ ପଦାକୁ ଆସିଛି। ରମେଶ ପ୍ରଥମ ପତ୍ନୀଙ୍କ ସହ ଢେଙ୍କାନାଳ କାମାକ୍ଷାନଗରରେ ରହୁଥିଲା। ସେଠାରେ ସେ ୧୯୯୭ ମସିହାରେ ସାଇଶ୍ରୀ କ୍ଲିନିକ୍ ଓ ଏକ୍ସ-ରେ’ ଖୋଲିଥିଲା। କ୍ଲିନିକ୍ର କେୟାରଟେକର୍କୁ ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ ସେ ଅନେକ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଉଧାର ନେଇଛି; କାହାକୁ ଫେରାଇ ନାହିଁ। କର୍ମଚାରୀଙ୍କ ଦରମା ଦେଇନାହିଁ। ପୁଲିସ କାମାକ୍ଷାନଗର ଘରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ସେହିପରି କଟକ ନରସିଂହପୁରସ୍ଥିତ କେନ୍ଦୁପଲ୍ଲୀ ଅଞ୍ଚଳରେ ୨୦୧୮ ମସିହାରେ ରମେଶ କ୍ଲିନିକ୍ ଖୋଲିଥିଲା। ୨ବର୍ଷ ହେବ କ୍ଲିନିକ୍ ବନ୍ଦ ଥିବା ଜଣାପଡ଼ିଛି। ସେଠାରେ ମଧ୍ୟ କ୍ଲିନିକ୍ କାମ କରିଥିବା ଠିକାଦାରଙ୍କୁ ଟଙ୍କା ଦେଇନାହିଁ। ଏହାଛଡ଼ା ସେଠାରେ ଏକ ଅନ୍ଧାର କୋଠରିକୁ ପୁଲିସ ଠାବ କରିଛି। ସେଠାରେ କ’ଣ ଚାଲିଥିଲା? କେଉଁମାନେ ଅସୁଥିଲେ? ପୁଲିସ ଦୁଇଟି ଯାକ କ୍ଲିନିକ୍ ସମେତ ଘରକୁ ସିଲ୍ କରି ତଦନ୍ତ କରୁଛି। ଏସ୍ଆଇଟି ଟିମ୍ ଠକାମିର ଶିକାର ହୋଇଥିବା ଲୋକଙ୍କ ସହ ଯୋଗାଯୋଗ କରି ଆଲୋଚନା କରିଛି। ଯଦିଓ ରମେଶଙ୍କ ପତ୍ନୀ ଆଜି ସେଠାରେ ପହଞ୍ଚି ତଦନ୍ତରେ ସହଯୋଗ କରିବା କଥା, ହେଲେ ସେ ଭୟରେ ଆସି ନଥିଲେ। ତେଣୁ ତାଙ୍କୁ ଥାନାରେ ହାଜର ହେବାକୁ ପୁଲିସ କହିଛି। ଅନ୍ୟପଟେ ରିମାଣ୍ଡର ଦ୍ବିତୀୟ ଦିନରେ ରମେଶକୁ ମହିଳା ଥାନା, ସାଇବର, ଆଣିଫ୍ରଡ୍ ସେଲ୍ ଓ ସ୍ପେସାଲ ସ୍କ୍ବାଡ୍ ଅଧିକାରୀଙ୍କୁ ନେଇ ଗଠିତ ଏହି ଟିମ୍ ମାରାଥନ୍ ଜେରା କରିଛନ୍ତି। ଜେରା ବେଳେ ପୁଲିସ ହାତରେ ନୂଆ ତଥ୍ୟ ଲାଗିଛି।
Follow Us