ରେଳବାଇ ଜିଏମ୍‌ଙ୍କୁ ଫୋନ୍‌ରେ ଧମକ ମାମଲା: ଦିଲ୍ଲୀରୁ ଧରାହେଲା ରେଳମନ୍ତ୍ରୀଙ୍କ ନକଲି ପିଏ

Advertisment

ପୂର୍ବରୁ ବନ୍ଧା ହୋଇଥିଲା ସହଯୋଗୀ ସମର୍ଥ

ପୂର୍ବରୁ ବନ୍ଧା ହୋଇଥିଲା ସହଯୋଗୀ ସମର୍ଥ

ରେଳବାଇ ଜିଏମ୍‌ଙ୍କୁ ଫୋନ୍‌ରେ ଧମକ ମାମଲା: ଦିଲ୍ଲୀରୁ ଧରାହେଲା ରେଳମନ୍ତ୍ରୀଙ୍କ ନକଲି ପିଏ

ଚନ୍ଦ୍ରଶେଖରପୁର : ଖୋର୍ଦ୍ଧାରୋଡ୍‌ ରେଲ‌ୱେ ଡିଭିଜନର ସେକ୍ସନ ଇଂଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ବାତିଲ କରିବା ପାଇଁ ରେଳବାଇ ଜେନେରାଲ୍ ମ୍ୟାନେଜର(ଜିଏମ୍)ଙ୍କୁ ଫୋନ୍ ଜରିଆରେ ଧମକ ମିଳିଥିବା ମାମଲାରେ ଆଜି କମିସନରେଟ୍‌ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି। ନିଜକୁ ରେଳମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇ ଜିଏମ୍‌ଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ହେଉଛି ଗୋପାଳ ଶତପଥୀ(୪୫)। ଏହି ମାମଲାରେ ପୂର୍ବରୁ ରେଳମନ୍ତ୍ରୀଙ୍କ ଏହି ନକଲି ପିଏ ଧୂର୍ତ୍ତ ଗୋପାଳର ସହଯୋଗୀ ତଥା ମିମିକ୍ରି କଳାକାର ସମର୍ଥ ବିଶ୍ବକର୍ମାକୁ କମିସନରେଟ୍‌ ପୁଲିସ ଉତ୍ତରପ୍ରଦେଶରୁ ଗିରଫ କରିଥିଲା।

ପୁଲିସ ସୂଚନାନୁସାରେ ଅଭିଯୁକ୍ତ ଗୋପାଳ ନିଜକୁ ଏକ ଜାତୀୟ ରାଜନୈତିକ ଦଳର ଆଣ୍ଡାମାନ ନିକୋବର କୃଷକ ମଞ୍ଚର ପ୍ରଭାରୀ ବୋଲି ପରିଚୟ ଦେଇ ଆସୁଥିଲା। କିନ୍ତୁ ସେ ଉକ୍ତ ଦଳର କୌଣସି ପଦପଦବୀରେ ନାହିଁ ବୋଲି ତଦନ୍ତରୁ ଜଣାପଡ଼ିଛି। ସେ ଦିଲ୍ଲୀରେ ବେକାର ଯୁବକ ଯୁବତୀଙ୍କ ପାଇଁ ଏକ କନ୍‌ସଲଟାନ୍‌ସି ସଂସ୍ଥା ଖୋଲିଥିଲା। ତେବେ ଅନେକ ସମୟରେ ସେ ନେତା ଓ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ସେମାନଙ୍କ ସହ ଫଟୋ ଉଠାଇ ନିଜକୁ ରାଷ୍ଟ୍ରୀୟ ଦଳର ଜଣେ ପୁରୁଖା କର୍ମୀ ବୋଲି ସୋସିଆଲ୍ ମିଡିଆରେ ପ୍ରଚାର କରୁଥିଲା। ବିଭିନ୍ନ ବଡ଼ବଡ଼ କାର୍ଯ୍ୟକ୍ରମରେ ନେତା ଓ ମନ୍ତ୍ରୀମାନଙ୍କ ସହ ତା’ ଫଟୋ ଦେଖି ଲୋକେ ତା’ ଜାଲରେ ସହଜରେ ଫସୁଥିଲେ। ତେଣୁ କାହାକୁ ଚାକିରି କରାଇବା ବାହାନାରେ ତ କାହାର ବଦଳି କରାଇବା ଛଳରେ ସେ ମୋଟା ଅଙ୍କର ଅର୍ଥ ଆ‌ଦାୟ କରୁଥିଲା। କିନ୍ତୁ କାମ ହେଉନଥିଲେ ବି ଠକାମିର ଶିକାର ହୋଇଥିବା ଲୋକେ ଭୟରେ ତା’ ବିରୋଧରେ ମୁହଁ ଖୋଲୁନଥିଲେ।

ବଡ଼ କଥା ହେଉଛି, ତା’ ସହଯୋଗୀ ସମର୍ଥ ବିଶ୍ବକର୍ମା ଜଣେ ମିମିକ୍ରି କଳାକାର ହୋଇଥିବାରୁ ଅନେକ ସମୟରେ କିଛି ଅଫିସର ତା’ ଫୋନ୍‌ କଲ୍‌କୁ ସତ ବୋଲି ଧରିନିଅନ୍ତି ଓ ଧୂର୍ତ୍ତ ଗୋପାଳର ବରାଦ ଅନୁସାରେ କାମ କରିଦିଅନ୍ତି। ତେଣୁ ଏମିତି କିଛି ଲୋକଙ୍କ କାମ କରି ସେ ମୋଟା ଅଙ୍କର ଟଙ୍କା ରୋଜଗାର କରେ ଏବଂ ଲୋକଙ୍କ ଭିତରେ ଭରସା ଜନ୍ମାଇପାରେ। ଏହାଛଡ଼ା ତା’ ଫେସ୍‌ବୁକ୍‌ ଫ୍ରୋଫାଇଲ୍‌ରେ ଥିବା ବଡ଼ବଡ଼ ରାଜନୈତିକ ବ୍ୟକ୍ତିଙ୍କ ଫଟୋ ଦେଖି ବିଭିନ୍ନ ବିଭାଗର ବହୁ ବଡ଼ ବଡ଼ ଅଫିସର ତା’ କଥାକୁ ବିଶ୍ବାସ କରୁଥିଲେ ଓ ତା’ କାମ କରି ଦେଉଥିଲେ।

ଭୁବନେଶ୍ବର ଡିସିପି ଉମାକାନ୍ତ ଦାଶଙ୍କ ସୂଚନାନୁସାରେ ଗୋପାଳ ନିଜର ‌ଏକ କମ୍ପାନି ଜରିଆରେ ଠିକା ଶ୍ରମିକଙ୍କୁ ନିଯୁକ୍ତି ଦେଇ ସେମାନଙ୍କଠାରୁ ଅର୍ଥ ଆଦାୟ କରୁଥିଲା। ସେ ବିଭିନ୍ନ ସମୟରେ ନିଜ ତରଫରୁ ରାଜନୈତିକ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ଏକ ଭାବମୂର୍ତି ତିଆରି କରିଥିଲା। କିନ୍ତୁ ସେମିତି ‌କୌଣସି ପଦରେ ନଥି‌ଲା। ଏବେ ରେଳମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇ ସେ ରେଳବାଇ ଜିଏମ୍‌ ବିଦ୍ୟାଭୂଷଣଙ୍କୁ ଫୋନ୍‌ରେ ଧମକ ଦେଇଥିଲା ଏବଂ ଇଂଜିନିୟର ଶ୍ରୀ ପାଣିଗ୍ରାହୀଙ୍କ ବଦଳି ବାତିଲ କରିବା ପାଇଁ ଚାପ ପକାଇଥିଲା। କିନ୍ତୁ ଜିଏମ୍‌ ବିଦ୍ୟାଭୂଷଣ ରେଳ ମନ୍ତ୍ରାଳୟ ସହ ଯୋଗାଯୋଗ କରି ଏହା ଜଣେ ଠକର କାମ ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ସେ ଚନ୍ଦ୍ରଶେଖରପୁର ଥାନାରେ ଏ ନେଇ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe