ଝିପିଝିପି ବର୍ଷାକୁ ଉତ୍ତରା ପବନ ଥରାଉଛି

Advertisment
ଝିପିଝିପି ବର୍ଷାକୁ ଉତ୍ତରା ପବନ ଥରାଉଛି

ଭୁବନେଶ୍ବର : ତିନି ଦିନ ଧରି ଲାଗି ରହିଥିବା କୋହଲା ପାଗ ଯୋଗୁଁ ସାରା ରାଜଧାନୀ ଥରୁଛି। ଆଜି କିନ୍ତୁ ସ୍ଥିତି ସଙ୍ଗୀନ ହୋଇଯାଇଛି। ଝିପିଝିପି ବର୍ଷା ସହ କାଲୁଆ ପବନ ମାଡ଼ରେ ରାଜଧାନୀବାସୀ ଅସ୍ତବ୍ୟସ୍ତ ହୋଇ ଯାଇଛନ୍ତି। ୨୦ରୁ ୨୫କିମି ବେଗରେ ଉତ୍ତରା ପବନ ବହିବା ସହ ମଝିରେ ଝିପିଝିପି ବର୍ଷା ରାଜଧାନୀବାସୀଙ୍କୁ ଶୀତ ଦିନେ ପାର୍ବତ୍ୟ ଅଞ୍ଚଳରେ ରହିବାର ଅନୁଭୂତି ଦେଇଥିଲା। ହେଲେ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ହଠାତ୍ ଥଣ୍ଡା ଫେରିବାରୁ ବହୁ ଲୋକ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି।

publive-image

ଆଜି ରାଜଧାନୀରେ ୩.୬ମିମି ବର୍ଷା ହୋଇଥିବା ବେଳେ ଦିନର ତାପମାତ୍ରା ୨୦.୬ଡିଗ୍ରି, ରାତିର ତାପମାତ୍ରା ୧୬.୬ଡିଗ୍ରିକୁ ଖସି ଆସିଥିଲା। ତାପମାତ୍ରା ପ୍ରବଳ ଥଣ୍ଡା ହେଲା ଭଳି ନ ଥିଲେ ହେଁ ବର୍ଷା ସାଙ୍ଗକୁ ୨୦ରୁ ୨୫କିମି ବେଗରେ ବହୁଥିବା ଉତ୍ତରା ପବନ ସମସ୍ତଙ୍କୁ ଥରାଉଛି। ଆଜି ସ୍ଥିତି ଏପରି ହୋଇଥିଲା ଯେ, ଲୋକ ଜ୍ୟାକେଟ୍‌ ପିନ୍ଧି ଘରୁ ବାହାରିବେ ନା ରେନ୍‌କୋର୍ଟ ପିନ୍ଧିବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ଯିଏ ଜ୍ୟାକେଟ୍‌ ପିନ୍ଧି ବାହାରିଥିଲେ ସେମାନେ ବର୍ଷାବେଳେ କେଉଁଠି ଛାତ ତଳେ, ବ୍ରିଜ୍ ତଳେ, ଦୋକାନ କଡ଼ରେ ଆଶ୍ରୟ ନେଇଥିଲେ। ଯେଉଁମାନେ ରେନ୍‌କୋର୍ଟ ପିନ୍ଧି ବାହାରିଥିଲେ ସେମାନେ ଉଭୟ ବର୍ଷା ଓ ଶୀତରୁ ରକ୍ଷା ପାଇଥିଲେ।

publive-image

ଆଜି ପ୍ରବଳ ଥଣ୍ଡା ପଡ଼ିବା ପରେ ଶୀତ ବସ୍ତ୍ର ବଜାରରେ ପୁଣି ଗହଳି ଆରମ୍ଭ ହୋଇଛି। ଯେଉଁମାନେ ଏପର୍ଯ୍ୟନ୍ତ ଶୀତବସ୍ତ୍ର କିଣି ନ ଥିଲେ ସେମାନେ ଶୀତବସ୍ତ୍ର କିଣିବାକୁ ଆଜି ଏକରକମ ବାଧ୍ୟ ହୋଇଥିଲେ। ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ କିଛି ଲୋକ ରାସ୍ତା କଡ଼ରେ ନିଆଁ ପୁଇଁବାର ବି ଦେଖିବାକୁ ମିଳିଥିଲା।

ସେହିପରି ଦ୍ବିତୀୟ ଶନିବାର ଛୁଟି ଯୋଗୁ ଆଜି ରାଜଧାନୀ ବଜାରରେ ଭିଡ଼ ହେବାର ସମ୍ଭାବନା ଥିଲା। ହେଲେ ବର୍ଷା ଓ କାଲୁଆ ପବନ ଯୋଗୁଁ ବହୁ ଲୋକ ଘରୁ ବାହାରି ନ ଥିଲେ। ବଜାର ଫାଙ୍କା ଫାଙ୍କା ଲାଗୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe