ଅସରାଏ ବର୍ଷାରେ ଜଳମଗ୍ନ ରାଜଧାନୀ : ଇସ୍କନ୍ ସମ୍ମୁଖରେ ବି ପାଣି ଜମିଲା, ବମିଖାଲ ଓଭରବ୍ରିଜ୍ ଉପରେ ଆଣ୍ଠୁଏ ପାଣି

ଅସରାଏ ବର୍ଷାରେ ଜଳମଗ୍ନ ରାଜଧାନୀ : ଇସ୍କନ୍ ସମ୍ମୁଖରେ ବି ପାଣି ଜମିଲା, ବମିଖାଲ ଓଭରବ୍ରିଜ୍ ଉପରେ ଆଣ୍ଠୁଏ ପାଣି

ଇସ୍କନ୍ ସମ୍ମୁଖରେ ଜାତୀୟ ରାଜପଥ ଉପରେ ପାଣି ଜମିବନି ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଏମ୍‌ସି ବହୁତ କାମ କରିଛନ୍ତି ବୋଲି ଡିଣ୍ଡିମ ପିଟୁଥିଲେ। ହେଲେ ଆଜିର ବର୍ଷା ଦେଖାଇ ଦେଲା କିଏ କେତେ କାମ କରିଛନ୍ତି। କେମିତି କାମ କଲେ ଯେ, ଯଥା ପୂର୍ବଂ ତଥା ପରଂ ହୋଇଗଲା। ଇସ୍କନ୍ ସମ୍ମୁଖରେ ଆଜି ବି ଅଣ୍ଟେ ଉଚ୍ଚରେ ପାଣି ଜମିଥିଲା। ପ୍ରା‌ୟ ଅଧ ଘଣ୍ଟା ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଗଲା। କିଛି ଗାଡ଼ି ଭିତରେ ପାଣି ପଶିଯିବାରୁ ଲୋକମାନେ ରାସ୍ତା ଉପରେ ଗାଡ଼ି ଛାଡ଼ି ପଳାଇଥିବା ଦେଖିବାକୁ ମିଳିଥିଲା।

publive-image

ବମିଖାଲ ଓଭରବ୍ରିଜ୍ ଉପରେ ଆଣ୍ଠୁଏ ପାଣି

୪୫କୋଟି ବ୍ୟୟରେ ନିର୍ମାଣ ହୋଇଛି ବମିଖାଲ ଓଭରବ୍ରିଜ୍। ଏହି ଓଭରବ୍ରିଜ୍‌ର ଡିଜାଇନ୍ ପାଇଁ କଟକରୋଡ୍‌ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ଏବେ ଏହା ଉପରେ ପାଣି ଜମୁଥିବା ଦେଖିବାକୁ ମିଳିଛି। ଆଜିର ବର୍ଷା ପରେ ବ୍ରିଜ୍‌ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିବାରୁ ଏହାର ଲେଭେଲିଂ ନେଇ ପ୍ରଶ୍ନ ଉଠିଛି। ଏପରିକି ଏହି ବ୍ରିଜ୍‌ ଉପରେ ଏମିତି ଯଦି ପାଣି ଜମି ରହେ ତେବେ ଅଳ୍ପ କିଛି ବର୍ଷରେ ବ୍ରିଜ୍ ଭୁଶୁଡ଼ିବା ଥୟ ବୋଲି ବିଶେଷଜ୍ଞ କହିଲେଣି।

ଓଭରବ୍ରିଜ୍‌ର ତିନି ଦିଗକୁ ଗଡ଼ାଣିଆ କରି ନିର୍ମାଣ ହୋଇଥିଲେ ହେଁ ଏହାର ମଝି ସ୍ଥାନରେ (ଯେଉଁଠି କଙ୍କ୍ରିଟ ଢଳେଇ ଖସିଥିଲା) ଏବେ ପାଣି ଜମୁଛି। ଏହିଭଳି ଓଭରବ୍ରିଜ୍ ଉପରେ କୌଣସି ପରିସ୍ଥିତିରେ ବି ପାଣି ଜମିବାର ସମ୍ଭାବନା ନଥିଲେ ହେଁ କିପରି ଏହା ନିର୍ମାଣ ହୋଇଛି ଯେ, ପାଣି ଜମିଲା ବୋଲି ପ୍ରଶ୍ନ ଉଠିଲାଣି। ଆଜି କଟକରୋଡ୍‌ରେ ପାଣି ଜମିଥିବାବେଳେ ଲୋକମାନେ ଓଭରବ୍ରିଜ୍ ଉପରେ ରାସ୍ତା ପାର୍‌ ହେବାକୁ ଚଢ଼ିଥିଲେ। କିନ୍ତୁ ବ୍ରିଜ୍‌ ଉପରେ ପାଣି ଦେଖି ଲୋକ କୁଆଡ଼େ ଯିବେ ଜାଣି ପାରିନଥିଲେ। ଫଳରେ ଓଭରବ୍ରିଜ୍ ତଳେ ଓ ଉପରେ ଅସମ୍ଭାଳ ଭିଡ଼ ଜମିଥିଲା।

ପାଣି ଭିତରେ ରାସ୍ତାରୋକ

ଦାବି ପୂରଣ ପାଇଁ ନୁହେଁ, ବରଂ ବର୍ଷା ଯୋଗୁ ଗାଡ଼ିମୋଟର ଚଳାଚଳ ନକରିବା ପାଇଁ ବାଉଁଶ ପକାଇ, ଡଷ୍ଟବିନ୍‌ ଥୋଇ ରାସ୍ତାରୋକ କରାଯାଇଥିଲା। ଆଜି ଘଣ୍ଟାଏ କାଳ ବର୍ଷାର ଉତ୍ପାତ ଯୋଗୁ ଶ୍ରୀୟା ଛକରେ ପାଣି ଆଣ୍ଠୁଏ ଉଚ୍ଚରେ ଚାଲିଥିଲା। ତେଣୁ ଛକ ସ୍ଥିତ ଭେଣ୍ଡିଂ ଜୋନ୍‌ରେ ଥିବା ଫଳ ଦୋକାନଆଡ଼କୁ ମଧ୍ୟ ପାଣି ମାଡ଼ିଯାଇଥିଲା। ଏମିତିକି ଫଳ ବ୍ୟବସାୟୀଙ୍କ ଫଳ ବର୍ଷାରେ ଭାସିବାକୁ ଲାଗିଥିଲା। ବିଶେଷକରି ସେଇବାଟ ଦେଇ କାର୍‌ ଯାଆସ କରୁଥିବାରୁ ପାଣି ବର୍ଷା ପାଣି ଉଚ୍ଛୁଳି ଫଳ ଦୋକାନମାନଙ୍କରେ ପଶିଯାଇଥିଲା। ଏହି ବଡ଼ ଗାଡ଼ିଗୁଡ଼ିକର ଯାଆସରେ ରୋକ ଲଗାଇବା ପାଇଁ କିଛି ବ୍ୟବସାୟୀ ଏଭଳି ରାସ୍ତାରୋକ କରିବାକୁ ବାଧ୍ୟ ହୋଇଥିଲେ।

publive-image

ବର୍ଷା ଯୋଗୁଁ ଜାମ୍‌

କାଲିଠୁ ପାଗ ମେଘୁଆ ଦେଇଥିଲା। ବର୍ଷା ନେଇ ଆଗରୁ ସୂଚନା ଥିଲା କିନ୍ତୁ ବର୍ଷିନଥିଲା। ଅଥଚ ଅପରାହ୍‌ଣ ବେଳକୁ ବର୍ଷା ଅଜାଡ଼ିଥିଲା। ସନ୍ଧ୍ୟାରେ ବର୍ଷା ଏମିତି ଅଜାଡ଼ିଲା ଯେ ଯିବାକୁ ବାଟ ଛାଡ଼ିନଥିଲା। ସେଥିପାଇଁ ଆଜି ଅନେକ ଓଭରବ୍ରିଜ୍‌ ଓ ଫୁଟ୍‌ ଓଭରବ୍ରିଜ୍‌ ତଳେ ଅଟକି ରହିଥିଲେ। ତେବେ ଫୁଟ ଓଭରବ୍ରିଜ୍‌ ତଳେ ବହୁ ଗାଡ଼ି ଓ ଲୋକେ ଜମା ହେବାରୁ ସେଇ ରାସ୍ତା ଦେଇ ବଡ଼ ଗାଡ଼ି ଯାତାୟତ ସମ୍ଭବ ହୋଇନଥିଲା। ବିଶେଷକରି ଜୟଦେବ ବିହାର ପାଲ୍‌ ହାଇଟ୍‌ ସମ୍ମୁଖ ଏବଂ କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଫୁଟ୍‌ ଓଭରବ୍ରିଜ୍‌ ତଳେ ଏହିଭଳି ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe