ଲଘୁଚାପଜନିତ ବର୍ଷାରେ ଭାସିଲା ରାଜଧାନୀ

Advertisment

ଅଢ଼େଇ ଘଣ୍ଟାରେ ୪୩.୬ମିମି ବର୍ଷା, ଆଜି ବି ବର୍ଷା ହୋଇପାରେ

ଅଢ଼େଇ ଘଣ୍ଟାରେ ୪୩.୬ମିମି ବର୍ଷା, ଆଜି ବି ବର୍ଷା ହୋଇପାରେ

ଲଘୁଚାପଜନିତ ବର୍ଷାରେ ଭାସିଲା ରାଜଧାନୀ

ଭୁବନେଶ୍ୱର : ଲଘୁଚାପଜନିତ ବର୍ଷାରେ ଆଜି ପୂରା ରାଜଧାନୀ ଉବୁଟୁବୁ ହୋଇଯାଇଛି। ପ୍ରାୟ ଅଢେଇ ଘଣ୍ଟା କାଳ ଲଗାଣ ବର୍ଷା ହେବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଥିଲା। ଆଜି ଘଣ୍ଟାକୁ ୨୦ରୁ ୩୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା। ସକାଳୁ ପାଗ ଶୁଖିଲା ଥିଲେ ହେଁ ମଧ୍ୟାହ୍ନ ୧୨ଟାରୁ ଆକାଶ ମେଘାଚ୍ଛନ୍ନ ହୋଇଯାଇଥିଲା। ପବନ ସାଙ୍ଗକୁ କଳାହାଣ୍ଡିଆ ମେଘ ଚତୁର୍ଦ୍ଦିଗ ଅନ୍ଧାର କରିଦେଇଥିଲା। ତୁହାକୁତୁହା ଘଡ଼ଘଡ଼ି ସହ ବର୍ଷା ରାଜଧାନୀବାସୀଙ୍କୁ ଡରାଇ ଦେଇଥିଲା।

publive-image

ପାଣିପାଗ ବିଭାଗ କେନ୍ଦ୍ର ‌ସୂଚନା ଅନୁଯାୟୀ ରାଜଧାନୀରେ ଅପରାହ୍ନ ୧୨ଟା ୩୦ରୁ ୩ଟା ମଧ୍ୟରେ ୪୩.୬ମିମି ବର୍ଷା ‌ହୋଇଥିଲା। ଏତିକି ବର୍ଷା ରାଜଧାନୀ‌କୁ ଜଳବନ୍ଦୀ କରିବାକୁ ଯଥେଷ୍ଟ ଥିଲା। ରାଜଧାନୀକୁ ଜଳବନ୍ଦୀ ସମସ୍ୟାରୁ ମୁକୁଳାଇବା ପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଡ୍ରେନ୍‌ କାମ ଜୋରଦାର କରୁଥିବାବେଳେ ବିଭିନ୍ନ ଅଞ୍ଚଳ ଖୋଳି ଦେଇଛନ୍ତି। ପୂର୍ବରୁ ଥିବା ଡ୍ରେନ୍‌ଗୁଡ଼ିକ ମରାମତି ହେଉଥିବାରୁ ସେଗୁଡ଼ିକ ଏବେ ଅଧା ପୋତି ହୋଇ ରହିଛି। ତେଣୁ ପାଣି ନିଷ୍କାସନ ହୋଇନପାରି ରାସ୍ତାଘାଟ ଭାସିଥିଲା। ସେହିପରି ସ୍ବେରେଜ୍‌ ଲାଇନ୍‌ ବିଛାଇବାକୁ, ପାଣି ପାଇପ୍ ବିଛାଇବାକୁ ୱାଟ୍‌କୋ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଖୋଳି ଦେଇଥିବାବେଳେ ଓପିଟିସିଏଲ୍‌ ଭୂତଳ କେବୁଲ୍‌ ବିଛାଇବା ପାଇଁ ଖୋଳିଦେଇଛି। ସବୁ ଆଜି ଖାଲି ପାଣି ଆଉ ପାଣି ହୋଇଯାଇଥିଲା। ଆଜି ଜନପଥ ସମେତ କଟକ ରୋଡ ଏବଂ ବିଭିନ୍ନ ଅଞ୍ଚଳରେ ଅଣ୍ଟେ ଉଚ୍ଚରେ ପାଣି ଜମିଥିଲା। ଶ୍ରୀୟା ଛକ ନିକଟରେ ସ୍ମାର୍ଟ ଜନପଥ କାମ ପାଇଁ ରାସ୍ତା ଖୋଳା ହୋଇଥିବାବେଳେ ଏଠାରେ ପାଣି ସୁଅ ଛୁଟିଥିଲା। ଯାତାୟାରେ ବହୁ ଅସୁବିଧା ହୋଇଥିଲା।

publive-image

ନୂଆପଲ୍ଲୀରୁ ବମିଖାଲ ପର୍ଯ୍ୟନ୍ତ ସବୁଠି ମୁଖ୍ୟ ରାସ୍ତାରେ ପାଣି ଅଣ୍ଟେ ଉଚ୍ଚରେ ଜମିଥିଲା। ଗୌରୀ ଗାର୍ଡେନ୍‌, ମଲ୍ଲିକ କମ୍ପ୍ଲେକ୍ସ, ଏଜି ଛକ, ଚିନ୍ତାମଣିଶ୍ବର, ଲକ୍ଷ୍ମୀସାଗର, ଗ୍ୟାରେଜ ଛକ ଆଦି ଅଞ୍ଚଳରେ ତ ସ୍ଥିତି ସାଂଘାତିକ ହୋଇଥିଲା। ପାଣି ଘରେ ପଶିଥିଲା। ବିଏମ୍‌ସି ପକ୍ଷରୁ ସବୁ ଅଞ୍ଚଳରୁ ପମ୍ପ ଲଗାଇ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇନଥିବାରୁ ଲୋକ ହଇରାଣ ହୋଇଥିଲେ। ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଥିଲା। ଆଜିର ବର୍ଷା ‌ଏପରି ହୋଇଥିଲା ଯେ, ସବୁ ଫ୍ଲାଏ ଓଭର ଓ ଓଭରବ୍ରିଜ୍‌ ଉପରେ ପାଣି ଜମି ଯାଇଥିଲା। ଜାତୀୟ ରାଜପଥ-୧୬ରେ ଥିବା ଫ୍ଲାଏଓଭର ଉପରେ ବାଣୀବିହାରରୁ ଆଚାର୍ଯ୍ୟବିହାର ରାସ୍ତାରେ ପ୍ରାୟ ୨ଫୁଟ ଉଚ୍ଚରେ ପାଣି ଜମିଥିଲା। ବମିଖାଲ ଓଭରବ୍ରିଜ୍‌ର ତଳ ଓ ଉପର ସବୁଠି ପାଣିର ସୁଅ ଛୁଟୁଥିଲା। ଅପରପକ୍ଷେ ରବିବାର ବି ଏହିଭଳି ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe