ନବୀନ ବସ୍ତିରେ ପାଣି ପଶିଲା, ୧୫ ଦୃଷ୍ଟିହୀନ ପରିବାର କଲବଲ

ନବୀନ ବସ୍ତିରେ ପାଣି ପଶିଲା, ୧୫ ଦୃଷ୍ଟିହୀନ ପରିବାର କଲବଲ

ଭୁବନେଶ୍ୱର : ରବିବାର ରାଜଧାନୀରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସତ୍ୟନଗର ନବୀନ ବସ୍ତି ବୁଡ଼ି ଯାଇଥିଲା। ଫଳରେ ବିଏମ୍‌ସିର ୩୪ ନମ୍ବର ୱାର୍ଡର ଏହି ବସ୍ତିରେ ରହୁଥିବା ୧୫ ଦୃଷ୍ଟିହୀନ ପରିବାର ବଡ଼ କଲବଲ ହୋଇଥିଲେ। ଘରେ ପାଣି ପଶିଯିବାରୁ ସେମାନଙ୍କ ଆସବାବପତ୍ର, ପୋଷାକପତ୍ର ଓ ଖାଦ୍ୟ ସାମଗ୍ରୀ ପାଣିରେ ନଷ୍ଟ ହୋଇଯାଇଥିଲା। ଫଳରେ ଦିନତମାମ୍ ସେମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହୋଇଥିଲେ। ତେବେ ରାତିରେ ସମ୍ପର୍କୀୟମାନଙ୍କ ସହଯୋଗ ପାଇଁ ସେମାନେ କିଛି ଖାଇବାକୁ ପାଇଥିଲେ ବି ଶୋଇବା ପାଇଁ ବଡ଼ ହଇରାଣ ହୋଇଥିଲେ।

publive-image

ବଂଶୀଧର ପ୍ରଧାନଙ୍କ ସୂଚନାନୁସାରେ, ୪ ବର୍ଷ ହେଲା ଏହି ସମସ୍ୟା ହେଉଛି। ସାମାନ୍ୟ ବର୍ଷା ହେଲେ ବି ନର୍ଦ୍ଦମା ପାଣି ଉଛୁଳି ସେମାନଙ୍କ ଘରେ ପଶୁଛି। କିନ୍ତୁ ଆଜି ଖୁବ୍‌ ଜୋର୍‌ ବର୍ଷା ହେବାରୁ ଅଧିକ ପାଣି ହୋଇଗଲା। ଘରେ ଅଣ୍ଟାଏ ଉଚ୍ଚରେ ପାଣି ଜମି ରହିଲା। ଏତେ ପାଣି ହେବ ବୋଲି କଳନା କରିନଥିଲୁ। ତେଣୁ ସବୁ ବୁଡ଼ିଗଲା। ଅଣ୍ଡାଳି ଅଣ୍ଡାଳି କିଛି ଜିନିଷପତ୍ର ଉଦ୍ଧାର କଲୁ। ଆଗ ଖାଦ୍ୟ ସାମଗ୍ରୀ ଉଦ୍ଧାର କଲୁ। ମାତ୍ର ସମସ୍ତେ ଚାଉଳ, ଅଟା, ଡାଲି ଆଦି ଖାଦ୍ୟ ସାମଗ୍ରୀ ଉଦ୍ଧାର କରିପାରିଲେ ନାହିଁ। ତେଣୁ ଖରାବେଳେ ରୋଷେଇ କରିନପାରି ସମସ୍ତେ ଉପାସରେ ରହିଲେ ବୋଲି ସେ କହିଛନ୍ତି। ଭୋକ ଉପାସ ସେମାନଙ୍କୁ ଯେତିକି ବାଧି ନାହିଁ, ବର୍ଷଣମୁଖର ରାତିରେ ଓଦା ଘରେ ସାପବେଙ୍ଗଙ୍କ ମେଳରେ ରହିବାକୁ ପଡ଼ୁଥିବା ସେମାନଙ୍କୁ ବେଶି କଷ୍ଟ ଦେଉଛି ବୋଲି ବସ୍ତିବାସିନ୍ଦାମାନେ କହିଛନ୍ତି।

publive-image

ବୁଡ଼ିଗଲା ରେଳଷ୍ଟେସନ୍‌, ୩ ଟ୍ରେନ୍‌ ବିଳମ୍ବିତ
ଭୁବନେଶ୍ବର ରେଳ ଷ୍ଟେସନରେ ବି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ରେଳଧାରଣା ବୁଡ଼ି ପ୍ଲାଟଫର୍ମ ଉପରକୁ ପାଣି ଉଠି ଆସିଥିଲା। ଫଳରେ ଅଫିସ୍‌ ଓ ପ୍ରତୀକ୍ଷାଳୟରେ ପାଣି ଲହଡ଼ି ମାରିଥିଲା। ଲଗେଜ୍‌ ଓ ପିଲାଛୁଆ ଧରି ଯାତ୍ରୀମାନେ ବହୁ ହନ୍ତସନ୍ତ ହୋଇଥିଲେ। ରେଳଧାରଣା ବୁଡ଼ି ରହିଥିବାରୁ ୩ଟି ଟ୍ରେନ୍‌ ବିଳମ୍ବରେ ଷ୍ଟେସନ୍‌ ଛାଡ଼ିଥିଲା।

publive-image

ଏନେଇ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ନିଜ ଟୁଇଟର ଆକାଉଣ୍ଟରେ ରେଳଷ୍ଟେସନ୍‌ର ଫଟୋ ସେୟାର କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ୨୧ବର୍ଷ ଶାସନ ପରେ ବି ଇଏ କି ଅବସ୍ଥା ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି। କେନ୍ଦ୍ର ସରକାରଙ୍କର ସଂସଦୀୟ ଷ୍ଟାଣ୍ଡିଂ କମିଟି ଏକ ସ୍ବତନ୍ତ୍ର ଡ୍ରେନେଜ୍‌ ପ୍ଲାନ୍‌ ପ୍ରସ୍ତୁତ କରି ତୁରନ୍ତ କାର୍ଯ୍ୟକ୍ଷମ କରାଇବାକୁ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇ ନଥିବାରୁ ଏହା ରାଜ୍ୟ ସରକାରଙ୍କ ଅପାରଗତା ନା ଅବମାନନା ବୋଲି ସେ ପ୍ରଶ୍ନ କରିଥିଲେ।

publive-image

ଉପୁଡ଼ିଲା ଗଛ, ୩ ଘଣ୍ଟା ରାସ୍ତା ବନ୍ଦ
ଓମ୍‌ଫେଡ୍‌ ଛକ-ରେଳ ଷ୍ଟାଡିୟମ ରାସ୍ତାରେ ଏକ ବିଶାଳ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ପ୍ରାୟ ୩ ଘଣ୍ଟା ବନ୍ଦ ହୋଇଯାଇଥିଲା। ଚନ୍ଦ୍ରଶେଖରପୁର ପ୍ରଗତି ଏନ୍‌କ୍ଲେଭ୍‌ ରାସ୍ତା ବର୍ଷାରେ ଧୋଇଯିବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପଟିଆ, ଡମଣା, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ନନ୍ଦନବିହାର, କାନନବିହାର, ଶ୍ରୀବିହାର, ମୈତ୍ରୀବିହାର ପ୍ରଭୃତି ସ୍ଥାନରେ ରାସ୍ତାଘାଟ ବର୍ଷାରେ ପ୍ରଭାବିତ ହୋଇଛି। କଂକ୍ରିଟ୍‌ ରାସ୍ତାରୁ ସିମେଣ୍ଟ ଗୋଡ଼ି ବାହାରି ବୋହି ଯାଇଛି। ନୀଳାଦ୍ରିବିହାର, ମଙ୍ଗଳା ବସ୍ତି, ଓମଫେଡ୍‌ ଆଦିବାସୀ ବସ୍ତି, ଚିରଗାଲଟୋଲା ବସ୍ତି, ଚୁନକୋଳି ବସ୍ତି, ଜିଏ ପ୍ଲଟ୍ ଆଦିବାସୀ ଓ ମୁଣ୍ଡାବସ୍ତିରେ ଘରେ ଘରେ ବର୍ଷା ପାଣି ପଶିଛି। ସଂଧ୍ୟାରେ ଲୋକମାନେ ରାସ୍ତାକୁ କାଟି ପାଣି ନିଷ୍କାସନ କରିଛନ୍ତି।

publive-image

ଭାଙ୍ଗିଗଲା କିଶନନଗର କଲୋନିରେ ପାଚେରି
ପୁରୀ ବାଇପାସ୍ ଛକ ପଳାଶୁଣୀ ନିକଟ କିଶନନଗର କଲୋନି ବର୍ଷାରେ ଜଳମଗ୍ନ ହୋଇଛି। ସମଗ୍ର ଅଞ୍ଚଳ ପାଣିରେ ଉବୁଟୁବୁ ହେଉଥିବା ବେଳେ ଏକ ପାଚେରି ଭାଙ୍ଗିଯାଇଛି। ଅନେକ ଦିନ ଧରି କିଶନନଗରବାସୀ ପ୍ରଶାସନ ପାଖରେ ଅଭିଯୋଗ କରୁଥିଲେ ହେଁ ଜଳବନ୍ଦୀ ସମସ୍ୟାର ସମାଧାନ ହୋଇପାରିନାହିଁ। ଫଳରେ ଆଜି ହୋଇଥିବା ଲଘୁଚାପ ବର୍ଷାରେ ଲୋକେ ଘରୁ ବାହାରି ପାରିନଥିଲେ। କିଶନନଗର ଓ ସପ୍ତସତୀ ନଗର(ପୂର୍ବ) ଅଞ୍ଚଳର ବାସିନ୍ଦା ବର୍ଷାଦିନେ ପାଣିଘେରରେ ରହି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe