ବିଏମ୍‌ସିକୁ ବର୍ଷା ଓ ଜଳବନ୍ଦୀ ଡରାଇଲା କାଉନସିଲ୍‌ ବୈଠକ ବାତିଲ୍‌

ଟଙ୍କା ଖର୍ଚ୍ଚ କରିବାକୁ ବୁଦ୍ଧି ଜୁଟୁନି

ଭୁବନେଶ୍ୱର: ଜୁଲାଇ ଆରମ୍ଭରୁ ଏପର୍ଯ୍ୟନ୍ତ ରାଜଧାନୀବାସୀଙ୍କୁ ନାକେଦମ୍‌ କଲାଣି ବର୍ଷା। କାହା ଘରେ ପାଣି ପଶୁଛି ତ ଆଉ କାହା ଗାଡ଼ି ପାଣିରେ ଭାସୁଛି। ଜଳବନ୍ଦୀରେ ହନ୍ତସନ୍ତ ହେଉଛନ୍ତି ଲୋକେ। ଏଥର ବର୍ଷା ଓ ଜଳବନ୍ଦୀ ସମସ୍ୟାକୁ ମୁକାବିଲା କରିବାରେ ବିଏମ୍‌ସି ଏକରକମ ବିଫଳ ହୋଇଥିବାରୁ କର୍ପୋରେଟର୍‌ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। କାଉନ୍‌ସିଲ୍‌ ବୈଠକ ବସିଲେ କର୍ପୋରେଟର୍‌ମାନେ ବିଏମ୍‌ସି ଅଧିକାରୀଙ୍କ କେଳେଙ୍କାରୀର ମୁଖା ଖୋଲି ଦେବାର ସମ୍ଭାବନା ଥିବାରୁ ବାହାନା ଦେଖାଇ ବୈଠକକୁ ବାତିଲ୍‌ କରି ଦେଇଛନ୍ତି। ନିୟମ ଅଛି ଯେ ପ୍ରତି ମାସକୁ ଥରେ ଏହି ବୈଠକ ବସିବ। ସାଧାରଣତଃ ମାସର ଶେଷ ସପ୍ତାହ ନ ହେଲେ ମାସ ଶେଷ ଦିନ ଏହି ବୈଠକ ବସେ। ବିଧାନସଭା ଚାଲିଥିବା ବେଳେ କାଉନସିଲ୍‌ ବୈଠକ ବନ୍ଦ ହେବାର ନିୟମ ରହିଛି।

ଏଥର ବୈଠକ ବାତିଲ୍‌ ନେଇ କର୍ପୋରେଟର୍‌ଙ୍କୁ ବୁଝାଇ ଦିଆଯାଇଛି ଯେ ଆସନ୍ତା ମାସରେ ସ୍ୱାୟତ୍ତଶାସନ ଦିବସ ପାଳିତ ହେବ। ସେଥିପାଇଁ ଏବେଠାରୁ ପ୍ର୍ରସ୍ତୁତ ଚାଲିଛି। ତେଣୁ ଏହି ମାସରେ ବୈଠକ ବସିଲାନି। ଅଗଷ୍ଟ ମାସ ମଧ୍ୟ ଭାଗରେ ବୈଠକ ଡକାଯିବ। ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରିନାହାନ୍ତି କିଛି କର୍ପୋରେଟର। ସେମାନେ ସିଧାସଳଖ ବିଏମ୍‌ସିର ଅପାରଗତାକୁ ଦୋଷ ଦେଇଛନ୍ତି। କହିଛନ୍ତି ମେ’ ମାସ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଜୁନ୍‌ ମାସ ଶେଷ ସୁଦ୍ଧା ସବୁ ଡ୍ରେନ୍‌ର ମରାମତି ସରିବ। ପ୍ରାକୃତିକ କେନାଲଗୁଡ଼ିକ ସଫେଇ କରାଯିବ। କୌଣସି ସ୍ଥାନରେ କାମ ବାକି ରହିବ ନାହିଁ। ହେଲେ ଏପର୍ଯର୍୍ୟନ୍ତ ଡ୍ରେନ୍‌ କାମ ସରିନି। ଯେଉଁ ଡ୍ରେନ୍‌ରୁ ଅଳିଆ କଢ଼ା ଯାଇଥିଲା ତାହା ଉଠା ନ ଯିବାରୁ ପୁଣିଥରେ ଡ୍ରେନ୍‌ ଭିତରେ ପଶୁଛି। ଯେଉଁଥିପାଇଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରରେ ଏଲ୍‌ ଆଣ୍ଡ ଟି ପକ୍ଷରୁ ଭୂତଳ କେବୁଲ୍‌ ବିଛା କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ସମସ୍ୟା ଉପୁଜୁଛି। ଏହାକୁ ନେଇ ଚଳିତ ବୈଠକରେ ଉତ୍ତେଜନା ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ତାହାକୁ ବାତିଲ୍‌ କରାଯାଇଥିବା ଜଣାପଡ଼ିଛି। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ଏଥର କାଉନସିଲ୍‌ ବୈଠକ ବସିବା ପାଇଁ କୌଣସି ଏଜେଣ୍ଡା ନ ଥିଲା। ତେଣୁ ବୈଠକ ବସିଲାନି। ଅଗଷ୍ଟ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ବୈଠକ ବସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe