ଗ୍ୟାଙ୍ଗଷ୍ଟର୍‌ ରାଜା ଆଚାର୍ଯ୍ୟ ଗିରଫ

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବ‌‌ନେଶ୍ୱର/କଟକ : ପୁଣି ପୁଲିସ ଜାଲରେ ଫସିଛି ଗ୍ୟାଙ୍ଗଷ୍ଟର‌୍‌ ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା। ୧୬ ବର୍ଷ ତଳେ ଗ୍ୟାଙ୍ଗଷ୍ଟର ଅନିଲ ଛୋଟରାୟକୁ ଗୁଳିମାଡ଼ ଘଟଣାରେ ମାଲଗୋଦାମ ଥାନା ପୁଲିସ ତାକୁ ଗିରଫ କରିଛି। ସେହି ଘଟଣାରେ ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଦର୍ଶାଇ ମାଲ୍‌ଗୋଦାମ ଥାନା ପୁଲିସ ରାଜାକୁ ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳରୁ ଉଠାଇ ଆଣିଛି। ରାଜା ବିରୋଧରେ କୋର୍ଟରୁ ଜାମିନବିହୀନ ଗିରଫ ପରଵାନା(ଏନ୍‌ବିଡବ୍ଲୁ) ଜାରି ହୋଇଥିଲା।

୨୦୦୩‌ରେ ଟେଣ୍ଡର୍‌ ବିବାଦକୁ କେନ୍ଦ୍ର କରି ଅନିଲ ଛୋଟରାୟ ଗ୍ୟାଙ୍ଗରୁ ବାହାରି ରାଜା ଆଚାର୍ଯ୍ୟ ସମାନ୍ତରାଳ ଭାବେ ଆଉ ଏକ ଗ୍ୟାଙ୍ଗ ଗଢ଼ିଥିଲା। ୨୦୦୪ରେ ଅନିଲ ଯୋବ୍ରାସ୍ଥିତ ମ୍ୟୁନିସିପାଲିଟି କଲୋନି ଘରେ ଥିବା ବେଳେ ତାକୁ ରାସ୍ତାରୁ ହଟାଇବା ପାଇଁ ରାଜା ଗ୍ୟାଙ୍ଗ ଷଡ୍‌ଯନ୍ତ୍ର କରିଥିଲେ। ଅନିଲ ବାଲ୍‌କୋନିରେ ବସିଥିବା ବେଳେ ଦୁର୍ବୃତ୍ତମାନେ ଜିରୋ ରେଞ୍ଜରୁ ଗୁଳି ଫୁଟାଇଥିଲେ। ଗୁଳି ଅନିଲଙ୍କ ବାମ ଆଖିରେ ବାଜିଥିଲା। ଜୀବନ ବଞ୍ଚାଇବାକୁ ଅନିଲ ବାଲ୍‌କୋନିରୁ ତଳକୁ ଡେଇଁ ଖସି ପଳାଇଥିଲା। ରାଜାର ସହଯୋଗୀ ଚଗ ଏବ˚ ଆଉ କିଛି ଦୁର୍ଦ୍ଦାନ୍ତ ଅପରାଧୀ ଏଭଳି ଗୁଳିକାଣ୍ତରେ ସାମିଲ ଥିବା କୁହାଯାଉଛି।

ମାଲ୍‌ଗୋଦାମ ଥାନାରେ ରାଜା ଏବ˚ ଅନ୍ୟ ସହଯୋଗୀଙ୍କ ବିରୋଧରେ ଆଇପିସିର ଦଫା ୧୨୦(ବି), ୩୦୭, ୩୫୦, ୩୪, ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ଏକ ମାମଲା ରୁଜୁ ହୋଇଥିଲା। ପରେ ଜୁଡୋ କୋଚ୍‌ ବିରଞ୍ଚି ଦାସଙ୍କୁ ୨୦୦୮ ଏପ୍ରିଲ ୧୩ ତାରିଖରେ କଳ୍ପନା ଛକରେ ଥିବା ଓଡ଼ିଶା ଜୁଡୋ ଆସୋସିଏସନ୍‌ ସାମ୍‌ନାରେ ଗୁଳି ଫୁଟାଇ ହତ୍ୟା ଘଟଣାରେ ପୁଣି ଚର୍ଚ୍ଚାକୁ ଆସିଥିଲା ରାଜା। ପୁଲିସ ତାକୁ ସେତେବେଳେ ଗୋଆରୁ ଗିରଫ କରିଥିଲା। ଗତ ଏପ୍ରିଲ ମାସରେ ଅଦାଲତଙ୍କ ନିର୍ଦ୍ଦେଶରେ ସର୍ତ୍ତମୂଳକ ଜାମିନ୍‌ରେ ରାଜା ଜେଲ୍‌ରୁ ମୁକୁଳିଥିଲା। ଅନ୍ୟପଟେ ରାଜା ବାହାରେ ରହିବାରୁ ମୃତ ବିରଞ୍ଚିଙ୍କ ସ୍ତ୍ରୀ ଗୀତାଞ୍ଜଳି ପଣ୍ତା, ଅଭିନେତ୍ରୀ ଲେସ୍‌ଲି, ବିଦୁସ୍ମିତା କମିସନରେଟ୍‌ ପୁଲିସକୁ ସୁରକ୍ଷା ମାଗିଥିଲେ। ଏଭଳି ପରିସ୍ଥିତିରେ ୨୦୦୪ରେ ହୋଇଥିବା ଗୁଳିମାଡ଼ ଘଟଣାରେ (ଏସ୍‌ଟି ନ˚ ୨୦୩/୦୪ରେ) କଟକସ୍ଥିତ ସିଜେଏମ୍‌ ତଥା ସହକାରୀ ଦୌରାଜଜ୍‌ଙ୍କ କୋର୍ଟରୁ ରାଜା ବିରୋଧରେ ଵାରେଣ୍ଟ ଜାରି ହୋଇଥିଲା। ଆଜି ମାଲ୍‌ଗୋଦାମ ଥାନା ଆଇଆଇସି ରବିନାରାୟଣ ଭଞ୍ଜଙ୍କ ନେତୃତ୍ବରେ ଏସ୍‌ଆଇ ସୁନିଲ ଯାଦବ, ଏସ୍‌ଆଇ ଅ˚ଶୁପା ବେହେରା ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳରେ ଚଢ଼ଉ କରି ରାଜାକୁ ଗିରଫ କରିଥିଲେ। ରାଜା ବିରୋଧରେ ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଆପରାଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe