ଭୁବନେଶ୍ବର: ବନସ୍ତେ ଡାକିଲା ଗଜ... ବରଷକେ ଥରେ ଆସିଛି ରଜ... ଗୀତ ସକାଳୁ ସକାଳୁ ସହରର ପ୍ରତି ଗଳିକନ୍ଦିରୁ ଭାସି ଆସୁଥିଲା। ନୂଆ ପୋଷାକ, ପାଦରେ ଅଳତା, ମଥାରେ କୁଙ୍କୁମ ଓ ହାତରେ ମହେନ୍ଦୀ ଲଗାଇ କୁମାରୀମାନେ ସଜବାଜ ହୋଇ ପ୍ରସ୍ତୁତ ଥିଲେ। ମହମହ ପିଠାର ବାସ୍ନା ଓ ପାନର ଷ୍ଟଲ ରଜ ପରିବେଶକୁ ଆହୁରି ଉତ୍ସବମୁଖର କରୁଥିଲା।
ସକାଳୁ ପାଗ ମଧ୍ୟ ରଜ ବୁଲାବୁଲି ପାଇଁ ଅନୁକୂଳ ଥିଲା। କିନ୍ତୁ ଦିନ ବଢ଼ିବା ସହ ଖରା ଓ ଗୁଳୁଗୁଳି ସୀମା ଲଂଘିଥିଲା। ୫ ମିନିଟ୍ ବି ଖରାରେ ଠିଆ ହେବା ମୁସ୍କିଲ ହୋଇଯାଇଥିଲା। କିନ୍ତୁ ଅପରାହ୍ନ ୪ଟା ପରେ ସହରର ସମସ୍ତ ମଲ୍, ପାନ୍ଥନିବାସ, ଗ୍ରାଣ୍ଡ୍ ବଜାର, ପାତ୍ରପଡ଼ା ଖେଳପଡ଼ିଆ, ଏକାମ୍ର ହାଟଠାରୁ ଆରମ୍ଭ କରି ସବୁଠି ପ୍ରବଳ ଭିଡ଼ ସହ ରଜ ମଉଜ ଆରମ୍ଭ ହୋଇଯାଇଥିଲା। ସଂଧ୍ୟାରେ ଭିଡ଼ ଏତେ ଥିଲା ଯେ ଟ୍ରାଫିକ୍ ନିୟନ୍ତ୍ରଣ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ଆଜି ଅସ୍ଥାୟୀ ପାନ ଓ ପିଠା ଷ୍ଟଲମାନ ଖୋଲିଥିଲା।
କବିତା, ନୃତ୍ୟ, ଗୀତ, ପୋଡ଼ପିଠା ଓ ରଜପାନ ମଧ୍ୟରେ ସଂଭାବନାର ‘ରଜ ମଉଜ’
/sambad/media/post_attachments/wp-content/uploads/2022/06/37-8.jpg)
ଓଡ଼ିଶାର ଗଣପର୍ବ ରଜ ଉତ୍ସବ ଉପଲକ୍ଷେ ପହିଲି ରଜ ସଂଧ୍ୟାରେ ‘ସଂଭାବନା ଓଡ଼ିଆଣୀ ସମିତି’ ପକ୍ଷରୁ ଜୟଦେବ ଭବନଠାରେ ଓଡ଼ିଆଣୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ‘ରଜ ମଉଜ’ ଉତ୍ସବ। ଏହି ଉତ୍ସବରେ ଓଡ଼ିଆଣୀମାନେ ସ୍ୱରଚିତ କବିତା ପାଠ କରିଥିଲେ। ଓଡ଼ିଆ ସଂସ୍କୃତି ଓ ପରମ୍ପରା ଆଧାରିତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ପୋଡ଼ପିଠା ଓ ରଜ ପାନର ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେଡି ନେତ୍ରୀ ସୁଲତା ଦେଓ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଓ ସମାଜସେବୀ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସୌଦାମିନୀ ସାମଲ ଆଦି ମଞ୍ଚରେ ଉପସ୍ଥିତ ଥିଲେ।
ଏହି ଅବସରରେ କଣ୍ଠଶିଳ୍ପୀ ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା ଓ ଛନ୍ଦା ମିଶ୍ର ଆଦି ପଲ୍ଲୀଗୀତ ଓ ଅନ୍ୟ ମନଛୁଆଁ ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ରଶ୍ମି ସାହୁ, ବେବିରାଣୀ ଦାସ, ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା, ଓଡ଼ିଆଣୀ ସମିତିର ସଂଯୋଜିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସଭ୍ୟ ସତ୍ୟବ୍ରତ ମହାପାତ୍ର, ପ୍ରଫୁଲ୍ଲ ଦେ, ଗୁରୁ ପ୍ରସାଦ ଦାସ ଓ ଅଭିରାମ ସାହୁ।
ଏକାଠି ପୁଚି ଖେଳିଲେ କର୍ପୋରେଟର
/sambad/media/post_attachments/wp-content/uploads/2022/06/38-7.jpg)
ରାଜନୈତିକ ମଇଦାନର କିଏ କାହାର ଶତ୍ରୁ ହୋଇପାରେ। କିନ୍ତୁ ସାଧାରଣ ଜନତାଙ୍କ ସ୍ବାର୍ଥ ଓ ପର୍ବପର୍ବାଣୀ ପରମ୍ପରାରେ ଆମେ ସବୁ ଏକ। ଏମିତି ଥିଲା ଆଜ ରଜ ମହୋତ୍ସବର ବାର୍ତ୍ତା। ନୂଆପଲ୍ଲୀ କସ୍ତୁରବା ଖେଳ ପଡ଼ିଆରେ ଚାଲିଥିବା ରଜ ମହୋତ୍ସବ ଅବସରରେ ବିଏମ୍ସିର ମହିଳା କର୍ପୋରେଟରମାନେ ଏକାଠି ପୁଚି ଖେଳି ଏହି ବାର୍ତ୍ତା ଦେଇଛନ୍ତି। ୩୮ ନଂ ୱାର୍ଡ ବିଜେଡି କର୍ପୋରେଟର ପ୍ରିୟଦର୍ଶିନୀ ଜେନା, ୩୭ ନଂ ୱାର୍ଡ ସ୍ବାଧୀନ କର୍ପୋରେଟର ବନ୍ଦିତା ପାଲ୍ ଓ ୩୯ ନଂ ୱାର୍ଡ ବିଜେପି କର୍ପୋରେଟର ଗୀତାଞ୍ଜଳି ସାହୁ ଏକାଠି ପୁଚି ଖେଳିଥିଲେ। ସେମାନଙ୍କ ପୁଚି ଖେଳ ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏହି ରଜ ମହୋତ୍ସବରେ ଅତିଥି ଭାବେ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।
କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ନେଇ ମ୍ୟୁଜିକ୍ ଚେୟାର, ଶଙ୍ଖ ଧ୍ୱନି ଓ ପ୍ରଦୀପ ପ୍ରଜ୍ବଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ କଳିଙ୍ଗ କ୍ରୀଡ଼ା ପରିଷଦର ସଭାପତି ଅର୍ଜୁନ ବେହେରା, ସମ୍ପାଦକ ମନୋରଞ୍ଜନ ବେହେରା, ଗଣେଶ ବେହେରା, ଉପସଭାପତି ମହେଶ୍ୱର ବେହେରା, ସନ୍ତୋଷ ବେହେରା, ଜିତୁନା, ପ୍ରଭୁ, ନିହାର, ଅବନୀ, ଅନୀଲ, ଜଗନ ପ୍ରମୁଖ ସହଯୋଗ କରିଥିଲେ।
Follow Us