ବଢ଼ୁଛି ରାଜସ୍ଥାନୀ ବନ୍‌ଜାରାଙ୍କ ଉତ୍ପାତ: କବ୍‌ଜାରେ ପାର୍କିଂସ୍ଥଳ, ଦୂଷିତ ଦେବୀପାଦହରା ପୁଷ୍କରିଣୀ ପରିବେଶ

Advertisment
ବଢ଼ୁଛି ରାଜସ୍ଥାନୀ ବନ୍‌ଜାରାଙ୍କ ଉତ୍ପାତ: କବ୍‌ଜାରେ ପାର୍କିଂସ୍ଥଳ, ଦୂଷିତ ଦେବୀପାଦହରା ପୁଷ୍କରିଣୀ ପରିବେଶ

ଭୁବନେଶ୍ୱର: କିଛି ଦିନ ହେଲା ଦେବୀପାଦହରା ପୁଷ୍କରିଣୀ ନିକଟରେ ଡେରା ପକାଇଥିବା ୫୦ରୁ ଅଧିକ ରାଜସ୍ଥାନୀ ବନ୍‌ଜାରାଙ୍କ ଉତ୍ପାତ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ଅତିଷ୍ଠ କଲାଣି। କେତେବେଳେ ଡୋନେସନ୍ ମାଗିବା ତ କେତେବେଳେ ଭିକ ମାଗିବା ବାହାନାରେ ମହିଳା ବନ୍‌ଜାରାମାନେ ଲୋକଙ୍କୁ ଜୋର୍‌ କରି ଲୁଟୁଛନ୍ତି। ପାର୍କିଂସ୍ଥଳକୁ କବ୍‌ଜା କରି ରଖିଥିବା ଏହି ଦଳ ସ୍ଥାନୀୟ ଅଞ୍ଚଳକୁ ଦୂଷିତ କରିସାରିଲେଣି। ଏନେଇ ସ୍ଥାନୀୟ ଲୋକେ ପୁଲିସ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ବି କିଛି ସୁଫଳ ମିଳିନାହିଁ।

ଗତକାଲି ଶୁଭଶଙ୍କର ପଣ୍ଡା ନାମକ ଜଣେ ଯୁବକ ବାଇକ୍‌ ଧରି ଯାଉଥିବା ବେଳେ ୨ଜଣ ମହିଳା ତାଙ୍କୁ ଅଟକାଇଥିଲେ। ‘ବାବୁ କୁଛ୍‌ ଡୋନେସନ୍ କିଜିଏ... ୟାହାଁ ସାଇନ୍ କର୍‌କେ କୁଛ୍‌ ଦିଜିଏ...’ ବୋଲି ସେମାନେ ଶୁଭଶଙ୍କରଙ୍କୁ କହିଥିଲେ। ମାତ୍ର ସେ ମନା କରିବାରୁ ୨ ମହିଳା ତାଙ୍କ ଗାଡ଼ି ଆଗରେ ଠିଆ ହୋଇ ଏଣୁତେଣୁ ଗାଳି କରିଥିଲେ। ଲୋକଲଜ୍ଜାକୁ ଡରି ଶୁଭଶଙ୍କର ସେମାନଙ୍କୁ ୨ ଶହ ଟଙ୍କା ଦେଇ ସେଠାରୁ ମୁକୁଳିଥିଲେ। କେବଳ ଶୁଭଶଙ୍କର ନୁହଁନ୍ତି, ଏମିତି ପ୍ରତିଦିନ ବହୁ ଲୋକ ସେମାନଙ୍କ ଶିକାର ହେଉଛନ୍ତି। ଯିଏ କିଛି ଦେଲା, ସେ ରକ୍ଷା ପାଇଲା। ଯିଏ ନଦେଲା, ଗାଳି ଖାଇ ଲୋକହସା ହେଲା। ଏମିତି କିଛି ଦିନ ହେଲା ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କୁ ଟଙ୍କା ମାଗି ବଞ୍ଜାରାମାନେ ହଇରାଣ କରୁଛନ୍ତି। ପୂର୍ବରୁ ସେମାନେ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତରଦ୍ବାର ନିକଟରେ ୪/୫ ଦିନ ଧରି ଡେରା ପକାଇଥିଲେ। ମନ୍ଦିର ପାଖରେ ଖାଦ୍ୟ ପଦାର୍ଥ ପକାଇ ପରିବେଶ ଅପରିଷ୍କାର କଲେ। ଏନେଇ ପୁଲିସ୍ ପାଖରେ ଅଭିଯୋଗ ହେବାରୁ ସେମାନଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା। ଏବେ ସେମାନେ ଦେବୀପାଦହରା ପୁଷ୍କରିଣୀ ନିକଟ ପାର୍କିଂସ୍ଥଳରେ ଆଡ଼ା ଜମାଇଛନ୍ତି। ପୁଷ୍କରିଣୀ ପରିବେଶ ଏବେ ପୂରା ଦୂଷିତ କରିସାରିଲେଣି। ଦୋଳ ମଣ୍ଡପ ପାଖରେ ରହି ସେଠାରେ ଆମିଷ ରୋଷେଇ କରି ପରିବେଶକୁ ଅପବିତ୍ର କରୁଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ଏହି ଅଞ୍ଚଳରୁ ବିଦା କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe