ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା

Advertisment
ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା

ଭୁବନେଶ୍ୱର : ଘୋଷଣା ହୋଇଛି ରାଜଧାନୀ ପୁସ୍ତକମେଳା ପୁରସ୍କାର। ଓଡ଼ିଶାର ଏହି ସର୍ବବୃହତ୍‌ ମେଳା ପାଇଁ ୧୪ଟି ପୁସ୍ତକ ଓ ଗୋଟିଏ ପ୍ରକାଶନୀ ସଂସ୍ଥାକୁ ପୁରସ୍କୃତ କରାଯିବ।

ଚଳିତ ବର୍ଷ ପ୍ରବନ୍ଧ ଓ ଆଲୋଚନା ପୁସ୍ତକ ‘ଛାଇ ସମୟ’ ପାଇଁ ଅଭୟ ଦ୍ୱିବେଦୀ, ଉପନ୍ୟାସ ବର୍ଗରେ ଡ.ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ‘ଅଦୃଶ୍ୟ ଅପରାହ୍‌ଣ’, କ୍ଷୁଦ୍ରଗଳ୍ପ ବର୍ଗରେ ଡ.କାର୍ତିକ ଚନ୍ଦ୍ର ବିଶ୍ୱାଳଙ୍କ ‘ପଦପାତ’, ଅୟସ୍‌କାନ୍ତଙ୍କ କବିତା ପୁସ୍ତକ ‘ଜିନ୍ଦାଭିସ୍ତା’, ବିଦ୍ୟୁତପ୍ରଭା ବିଶ୍ୱାଳଙ୍କ ‘ଚୁକ୍ତି’, ଶିବପ୍ରସାଦ ମିଶ୍ରଙ୍କ ‘ମୁସ୍ତେଜ ମୁଖଶାଳା’, ଅନୁବାଦ ପୁସ୍ତକ ବର୍ଗରେ ଆମ ଓଡ଼ିଶା ପ୍ରକାଶିତ ଏବଂ ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋଙ୍କ ଅନୁବାଦ ପୁସ୍ତକ ‘ଶ୍ରୀମୟୀ ମା’, ମଣିରାମ ଜେନାଙ୍କ ନାଟକ ପୁସ୍ତକ ‘ପରମ୍ପରା’, ଆରତିବାଳା ପୃଷ୍ଟିଙ୍କ ଭ୍ରମଣ କାହାଣୀ ପୁସ୍ତକ ‘ଭ୍ରମଣର ଅଭୁଲା ସ୍ମୃତି’, ଛନ୍ଦା ମିଶ୍ରଙ୍କ ଶିଶୁ ସାହିତ୍ୟ ପୁସ୍ତକ ‘ଆଜୁରୁ ବାଜୁରୁ କଥା’, ନିରୁପମା କରଙ୍କ ‘ବଣ ରାଇଜର କଥା’, ଇଂ ବ୍ରଜକିଶୋର ପରିଡ଼ାଙ୍କ ଧର୍ମ ପୁସ୍ତକ ‘ସନ୍ନ୍ୟାସିନୀ’, ବେଣୁଧର ସେନାପତିଙ୍କ ଜୀବନୀ ପୁସ୍ତକ ‘ଅହିଂସାର ଅଭିବ୍ୟକ୍ତି ପାଇଁ’ ପୁସ୍ତକକୁ ପୁରସ୍କୃତ କରାଯିବ। ଏଥିସହିତ ଗୀତିକବିତା ପୁସ୍ତକ ‘ଅସାମାପିକା’ ପାଇଁ ଶରତ କୁମାର ଦାଶଙ୍କୁ କବି ସୁଧାଂଶୁ ମୋହନ ରାଉତରାୟ ସ୍ମୃତି ପୁରସ୍କାର ଏବଂ ‘ଆର୍ଯ୍ୟ ପ୍ରକାଶନ’ର ପ୍ରକାଶକ ଗିରୀଶ ଚନ୍ଦ୍ର ମିଶ୍ରଙ୍କୁ ପ୍ରକାଶନ କ୍ଷେତ୍ରରେ ଅବଦାନ ପାଇଁ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯିବ।

ପୁସ୍ତକମେଳା କମିଟିର ସଭାପତି ଡ.ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶଚନ୍ଦ୍ର ସ୍ୱାଇଁ, ସଂଯୋଜକ କାଳୀପ୍ରସାଦ ଦାସ, ବୀରକିଶୋର ପ୍ରଧାନ, ଆକୁଳଚନ୍ଦ୍ର ନାଥ, କମଳିନୀ ମଲ୍ଲିକ ପ୍ରମୁଖ ବିଚାରକ ମଣ୍ଡଳୀ ପୁସ୍ତକ ଚୟନ କରିଥିଲେ। ଆସନ୍ତା ୧୨ ତାରିଖ ଦିନ ପୁସ୍ତକମେଳାର ଉଦ୍‌ଯାପନୀ ସନ୍ଧ୍ୟାରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଶାରଦା ମା’ଙ୍କ ଜନ୍ମଦିନରେ ‘ଶ୍ରୀମୟୀ ମା’କୁ ପୁରସ୍କାର

publive-imageଆଜି ତିଥି ହିସାବରେ ରାମକୃଷ୍ଣ ପରମହଂସଙ୍କ ସାଧନ ସଙ୍ଗିନୀ ଶାରଦା ଦେବୀଙ୍କ ଜନ୍ମଦିନ ପାଳିତ ହେଉଥିବା ବେଳେ ସେଇ ଶାରଦା ଦେବୀଙ୍କ ଉପରେ ‘ଆମ ଓଡ଼ିଶା’ ପ୍ରକାଶିତ ପୁସ୍ତକ ‘ଶ୍ରୀମୟୀ ମା’କୁ ଅନୁବାଦ ବର୍ଗରେ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି। ଏହି ପୁସ୍ତକର ମୂଳ ରଚନା ନବକୁମାର ବସୁ କରିଥିବା ବେଳେ ଅନୁବାଦ କରିଛନ୍ତି ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ। ଏହି ଉପଲକ୍ଷେ ପୁସ୍ତକମେଳାର ଆମଓଡ଼ିଶା ଷ୍ଟଲ୍‌ରେ ୩୦୦ ଟଙ୍କା ଦର ଥିବା ‘ଶ୍ରମୟୀ ମା’ ପୁସ୍ତକକୁ ୨୫୦ ଟଙ୍କାରେ ଉପଲବ୍ଧ ହୋଇଛି। ପୁଣି ଏହି ପୁସ୍ତକ ସହ ଶ୍ରୀରାମକୃଷ୍ଣ କଥାମୃତ ଆଧାରିତ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରଚିତ ‘ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ’ ବହି ମାଗଣାରେ ଯୋଗାଇ ଦିଆଯାଉଛି। ପୁସ୍ତକମେଳା ଶେଷ ପର୍ଯ୍ୟନ୍ତ ଏହି ରିହାତି ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe