ଭୁବନେଶ୍ବର: ସମ୍ପ୍ରତି ରାଜଧାନୀରେ ନିଶା କାରବାର ବେକାବୁ ଅବସ୍ଥାରେ ପହଞ୍ଚିଲାଣି। ଫଳରେ ନିଶାଡ଼ିଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। କମିସନରେଟ୍ ପୁଲିସ ଓ ଅବକାରୀ ସ୍କ୍ବାଡ୍ ଚଢ଼ଉ କରି ପୁଳାପୁଳା ନିଶାଦ୍ରବ୍ୟ ଜବତ କରୁଛନ୍ତି। ଏସ୍ଟିଏଫ୍ ଚଢ଼ଉ ମଧ୍ୟ ନିୟମିତ ବ୍ୟବଧାନରେ ଚାଲିଛି। ଗତ ୧୦ ମାସ ମଧ୍ୟରେ କମିସନରେଟ୍ ପୁଲିସ, ଏସ୍ଟିଏଫ୍ ଓ ଅବକାରୀ ବିଭାଗ ଚଢ଼ଉ କରି ୩୦କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିସାରିଛନ୍ତି। ୨୪୫ରୁ ଅଧିକ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। କିନ୍ତୁ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ ନିଶା କାରବାର ଉପରେ ରୋକ୍ ଲାଗି ପାରୁନାହିଁ। କାରଣ ରାଜଧାନୀକୁ ନିଶାଦ୍ରବ୍ୟ ଚାଲାଣ କରୁଥିବା ମାଷ୍ଟରମାଇଣ୍ଡମାନେ ପୁଲିସ ପାଇଁ ଅପହଞ୍ଚ। ଗିରଫ ହେଉଥିବା କୁଜି ଖୁଚୁରା ବେପାରୀମାନେ ସ୍ବଳ୍ପ ସମୟ ଜେଲ୍ରେ ରହି ଜାମିନରେ ମୁକୁଳୁଛନ୍ତି ଏବଂ ପୁଣି ମାଲିକ ସହଯୋଗରେ ବେପାର ଚଳାଉଛନ୍ତି। ଏଥିସହିତ ରାଜଧାନୀରେ ନିଶାଡ଼ିଙ୍କ ଉତ୍ପାତ ବି ବଢ଼ିଯାଇଛି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ନିଶାଡ଼ିମାନେ ରାଜଧାନୀ ଛାତି ଉପରେ ଉତ୍ପାତ କରୁଛନ୍ତି। ପୁଲିସକୁ ବେଖାତିର କରୁଥିବା ନିଶାଡ଼ିମାନେ ସାଧାରଣ ଲୋକଙ୍କ ସ୍ବାଭାବିକ ଜୀବନଯାତ୍ରାକୁ ବ୍ୟାହତ କରୁଥିବା ଅଭିଯୋଗ ହୋଇଆସୁଛି।
ପୁଲିସ ପଞ୍ଝାରେ ନିଶାମାଫିଆ
ପଶ୍ଚିମବଙ୍ଗରୁ ବ୍ରାଉନ୍ସୁଗାର୍ ଆଣି ଓଡ଼ିଶାରେ ଯୋଗାଉଥିଲେ। ରାଜଧାନୀରେ ଏଜେଣ୍ଟ ରଖି ଆଖପାଖ ଜିଲ୍ଲାକୁ ଚାଲାଣ କରୁଥିଲେ। ନିଶା ଟଙ୍କାରେ ମଉଜ କରୁଥିଲେ। ଏଭଳି ଏକ ନିଶା ମାଫିଆ ରୢାକେଟ୍ର ପର୍ଦାଫାଶ କରିଛି କମିସନରେଟ୍ ପୁଲିସ ସ୍ପେସାଲ୍ କ୍ରାଇମ୍ ୟୁନିଟ୍(ଏସ୍ସିୟୁ)। ରୢାକେଟ୍ର ମାଷ୍ଟର୍ମାଇଣ୍ଡ୍ କୁହାଯାଉଥିବା ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳର ସେକ୍ ସାଦିକ୍ ମହମ୍ମଦ(୩୦)କୁ ଖୋଜୁଥିବାବେଳେ ସହଯୋଗୀ ସେକ୍ ଆକ୍ବର(୨୯)କୁ ଗିରଫ କରାଯାଇଛି। ତାଠାରୁ ୪୦୫ ଗ୍ରାମ ଓଜନର ବ୍ରାଉନ୍ସୁଗାର୍ଜବତ କରାଯାଇଛି ବୋଲି ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଓ ଡିସିପି(ଏସ୍ସିୟୁ) ଅନୁପ କାନୁନ୍ଗୋ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ପାଖାପାଖି ୧୦ ବର୍ଷ ହେବ ସାଦିକ୍ ରାଜଧାନୀରେ ରହି ଧଳାଜହର ବ୍ୟବସାୟ ଚଳାଇଥିଲା। ଏଥିପାଇଁ ସେ ବିଭିନ୍ନ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲା। ସେମାନଙ୍କୁ ମୋଟା ଅଙ୍କର କମିସନ ଦେବା ସହ ସେମାନଙ୍କ ଜରିଆରେ ବିଭିନ୍ନ ଜିଲ୍ଲାର ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଉନ୍ସୁଗାର୍ ଯୋଗାଉଥିଲା। ପୁଲିସଯେପରି କୌଣସି ଟେର୍ନପାଏ, ସେଥିପାଇଁ ସେ ପଶ୍ଚିମବଙ୍ଗରୁ ପାର୍ସଲରେ ବ୍ରାଉନ୍ସୁଗାର୍ ମଗାଉଥିଲା। ବ୍ରାଉନ୍ସୁଗାର୍ ରାଜଧାନୀରେ ପହଞ୍ଚିବା ପରେ ଏଜେଣ୍ଟଙ୍କ ମାଧ୍ୟମରେ କୋଡ୍ୱାର୍ଡ ବ୍ୟବହାର କରି ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଖୋର୍ଦ୍ଧା ଆଦି ଜିଲ୍ଲାକୁ ପଠାଉଥିଲା। କିଛି ମାସ ତଳେ ଏସ୍ସିୟୁକୁ ଏନେଇ ଠୋସ୍ ସୂଚନା ମିଳିବା ପରେ ଡିସିପି ଅନୁପ କାନୁନ୍ଗୋ ଅଭିଯୁକ୍ତମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଯୋଜନା କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଲିଙ୍ଗରାଜ ରେଲୱେ ଷ୍ଟେସନ ନିକଟରେ ବ୍ରାଉନ୍ସୁଗାର୍ କାରବାର ହେଉଥିବା ନେଇ ସୂଚନା ପାଇ ଡିସିପି ଶ୍ରୀ କାନୁନ୍ଗୋ ଓ ତାଙ୍କର ଦୁଇଟି ଟିମ୍ ଚଢ଼ଉ କରି ଆକ୍ବରକୁ ଗିରଫ କରିବା ସହ ୪୦୫ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରିଥିଲେ। ପରେ ଏସ୍ସିୟୁ ଟିମ୍ ତା’ଘରୁ କିଛି ନଗଦ ଟଙ୍କା ଓ ମୋବାଇଲ୍ ଜବତ କରିଥିଲା। ଏସ୍ସିୟୁ ସେଲ୍କୁ ଆଣି ଜେରା ପରେ ତାକୁ କୋର୍ଟଚାଲାଣ କରାଯାଇଛି। ସାଦିକ୍ ନାମରେ ପୂର୍ବରୁ ୧୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି। ତାକୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅପରାଧିକ ଇତିହାସ ସହ ରୢାକେଟ୍ ସମ୍ପର୍କରେ ଅଧିକ ଜାଣିବା ପାଇଁ ପୁଲିସ ଆକବରକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।
/filters:format(webp)/sambad/media/media_files/2025/11/18/untitled-28-2025-11-18-08-00-37.jpg)
ବସ୍ତି ପାଲଟିଛି ନିଶା ହବ୍
ରାଜଧାନୀର ବସ୍ତିଗୁଡ଼ିକ ନିଶା କାରବାରର ହବ୍ ପାଲଟିଛି। ରାଜଧାନୀର ବସ୍ତିଗୁଡ଼ିକରେ ଡେରା ପକାଇଥିବା ଚାଲାଣକାରୀ ଓ କୁଜି ବେପାରୀମାନେ ବ୍ରାଉନ୍ସୁଗାର୍, ଗଞ୍ଜେଇ ଓ ବ୍ୟାପକ ଚୋରାମଦ କାରବାର କରୁଛନ୍ତି। ବିଭିନ୍ନ ବସ୍ତିରେ ନିଶାମାଫିଆମାନେ ଲୁଚିରହି ନିଶା କାରବାରକୁ ନିୟନ୍ତ୍ରଣ କରୁଛନ୍ତି। ଏବେ ଅପରାଧୀ ଓ ଅସାମାଜିକଙ୍କ ଆୟର ମୁଖ୍ୟ ସ୍ରୋତ ହୋଇଛି ବ୍ରାଉନ୍ସୁଗାର୍ ବେପାର। ଏହି ବେପାରକୁ ନେଇ ବସ୍ତିଗୁଡ଼ିକରେ ଗ୍ୟାଙ୍ଗ୍ ଗଢ଼ିଉଠୁଛି ଏବଂ କାରବାରକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ହଣାକଟା ଭଳି ଘଟଣା ଘଟୁଛି। ମୁଣ୍ଡ ବି ଗଡ଼ିଛି। ଚଳିତ ବର୍ଷ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସହଦେବ ନାୟକ ହତ୍ୟାକାଣ୍ଡ ମଧ୍ୟ ବ୍ରାଉନ୍ସୁଗାର କାରବାରକୁ ନେଇ ଘଟିଥିଲା ବୋଲି ଚର୍ଚ୍ଚା ହୋଇଥିଲା। କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ନିଶା କାରବାରକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଜନଗହଳିପୂର୍ଣ୍ଣ ରାସ୍ତାରେ ଲୋକଙ୍କ ଆଖି ଆଗରେ ହାଣି ପକାଇଥିଲେ।
ବିଦେଶୀ ନିଶା ମାଫିଆଙ୍କ ଟାର୍ଗେଟ୍
ଏବେ ବିଦେଶୀ ନିଶା ମାଫିଆଙ୍କ ଟାର୍ଗେଟ୍ରେ ରହିଛି ଭୁବନେଶ୍ବର। ବିଦେଶରୁ ବିମାନ ଯୋଗେ ପ୍ରଚୁର ମାତ୍ରାରେ ମାରିଜୁଆନା ଆସୁଛି। ଗତ ୧୦ ମାସ ମଧ୍ୟରେ କଷ୍ଟମସ୍ ଓ ଡିଆର୍ଆଇ ବିଭାଗ ୧୧ରୁ ଅଧିକ ନିଶା ଚାଲାଣ ଏଜେଣ୍ଟଙ୍କୁ ଗିରଫ କରିଛନ୍ତି ଏବଂ ସେମାନଙ୍କଠାରୁ ୬୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ମାରିଜୁଆନା ଜବତ କରିଛନ୍ତି।
ବାଦ୍ପଡ଼ିନି ଶିକ୍ଷାନୁଷ୍ଠାନ ପରିସର
ଚଳିତ ବର୍ଷ ରାଜଧାନୀର ଏକ ବିଶ୍ବବିଦ୍ୟାଳୟ ପରିସରରୁ କମିସନରେଟ୍ ପୁଲିସ, ୨ଜଣ ନିଶା ମାଫିଆଙ୍କୁ ଗିରଫ କରିଛି। ସେଥିରୁ ସ୍ପଷ୍ଟ ହୋଇଛି ଯେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ବି ନିଶା କାରବାର ହେଉଛି। ଉଦ୍ବେଗର ବିଷୟ, ଅନେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଏବେ ନିଶାଡ଼ିଙ୍କ କବ୍ଜାରେ। ସଂଜ ନଉଁନଉଁ କ୍ୟାମ୍ପସରେ ନିଶାଡ଼ିଙ୍କ ଆସର ଜମୁଛି। ସେସବୁକୁ ଅଟକାଇବା ପାଇଁ କର୍ତ୍ତୃପକ୍ଷଙ୍କ ଜୁ ପାଉନି।
Follow Us