ଫିକା ପଡ଼ିବ ରାଖୀ ବଜାର, ଇଣ୍ଟରନେଟ୍‌ ବାନ୍ଧିବ ଭାଇ-ଭଉଣୀଙ୍କ ସେନେହ ଡୋରି

Advertisment

ଟ୍ରେଣ୍ଡ୍‌ରେ ମେଟାଲ ରାଖୀ

ଟ୍ରେଣ୍ଡ୍‌ରେ ମେଟାଲ ରାଖୀ

ଫିକା ପଡ଼ିବ ରାଖୀ ବଜାର, ଇଣ୍ଟରନେଟ୍‌ ବାନ୍ଧିବ ଭାଇ-ଭଉଣୀଙ୍କ ସେନେହ ଡୋରି

ଭୁବନେଶ୍ବର: ସେନେହ ଡୋରରେ ମମତା ମାଳି ଗୁନ୍ଥା ହେବ। କିନ୍ତୁ ଭାଇ ହାତରେ କ’ଣ ଭଉଣୀ ଏଥର ଏହି ସେନେହ ଡୋରି ବାନ୍ଧିପାରିବ? ଏଥର ରାଖୀ ପୂର୍ଣ୍ଣିମାରେ ଭାଇ ପାଖରେ ଭଉଣୀ ପହଞ୍ଚି ପାରିବ ନା ବଜାର ଯାଇ ଭଳିକି ଭଳି ରାଖୀ ଭିତରୁ ଭାଇ ପାଇଁ ସୁନ୍ଦର ରାଖୀଟିଏ କିଣିପାରିବ। ଲକ୍‌ଡାଉନ୍‌, କରୋନା ମହାମାରୀ ଜନଜୀବନ ଓ ବଜାର ଉପରେ ତୀବ୍ର ପ୍ରହାର କରିଥିବା ବେଳେ ରାଖୀ ବଜାର ବି ଏହି ମାଡ଼ରେ ନିଶ୍ଚିହ୍ନ। ରାଖୀକୁ ଆଉ ମାତ୍ର ୧୫ ଦିନ ରହିଥିବା ବେଳେ ଏତେ ବେଳକୁ ରାଖୀ ବଜାର ଚଳଚଞ୍ଚଳ ହୋଇଯିବା କଥା। କିନ୍ତୁ ଚଳିତ ବର୍ଷର ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଏଣୁ ଭଉଣୀଙ୍କ ଦୁଃଖ ବୁଝି ଏବେ ବିଭିନ୍ନ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ରାଖୀର ସୁନ୍ଦର ସୁନ୍ଦର ପସରା ମେଲିଛି। କରୋନା ମହାମାରୀ ସମୟରେ ଭାଇଠାରୁ ଭଉଣୀ ଅଲଗା ଥିଲେ ବି ଇଣ୍ଟରନେଟ ହିଁ ଏହି ସେନେହ ଡୋରକୁ ଟାଣି ଧରିବ ବୋଲି ମନେ ହେଉଛି।

ଏବେ ଲକ୍‌ଡାଉନ୍‌ ଯୋଗୁଁ କେବଳ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯିବାର ନିୟମ ରହିଛି। ଅଗଷ୍ଟ ୧ରେ ଲକ୍‌ଡାଉନ୍‌ ଖୋଲିଲା ବେଳକୁ ଅଗଷ୍ଟ ୩ ତାରିଖରେ ରାଖୀ ପୂର୍ଣ୍ଣମୀ ପଡ଼ୁଛି। ଏଣୁ ଭଉଣୀମାନେ ଅପେକ୍ଷା ନ କରି ସପିଂ ସାଇଟ୍‌କୁ ଭରସା କରିଛନ୍ତି। ମିନ୍ତ୍ରା, ଆମାଜନ୍‌, ଫ୍ଲିପ୍‌କାର୍ଟଠାରୁ ଆରମ୍ଭ କରି ସମସ୍ତ ସପିଂ ସାଇଟ୍‌ରେ ଏବେ ରାଖୀ ସହ ରାଖୀ ପ୍ୟାକେଜ୍‌, ଭାଇ ଓ ଭାଉଜ ରାଖୀ, ଭାଇ ନାମରେ ବିଭିନ୍ନ ବାର୍ତ୍ତା ଲେଖା ଉପହାର, ବିଭିନ୍ନ କଫି ମଗ୍‌ରେ ରାଖୀ ଶୁଭେଚ୍ଛା ଲେଖା ଉପହାର ଆଦି ବହୁ ରାଖୀ ଉପହାର ଏବେ ସମସ୍ତ ସପିଂ ସାଇଟ୍‌ରେ ଉପଲବ୍ଧ।

publive-image

ଭାଇ ଓ ଭାଉଜଙ୍କୁ ରାଖୀ ଉପହାର
ଏଥର ପ୍ରାୟ ଇଣ୍ଟରନେଟ୍‌ ମାଧ୍ୟମରେ ରାଖୀ ପୂର୍ଣ୍ଣମା ପାଳିବାର ସମ୍ଭାବନା ଥିବାରୁ ଭାଇ ଓ ଭାଉଜଙ୍କ ପାଇଁ ଭଳିକି ଭଳି ସେଟ୍‌ର ରାଖୀ ସହ ଉପହାର ମଧ୍ୟ ସପିଂ ସାଇଟ୍‌ଗୁଡ଼ିକ ନେଇଆସିଛନ୍ତି। ବିଭିନ୍ନ ଷ୍ଟୋନ୍‌, କ୍ରିଷ୍ଟାଲ୍‌, ମେଟାଲ୍‌ ରାଖୀ ସହ ଭାଇ ଭାଉଜଙ୍କ ପାଇଁ କୌତୁକିଆ କାର୍ଟୁନ୍‌ ରାଖୀ ମଧ୍ୟ ଇଣ୍ଟରନେଟ୍‌ରେ ରହିଛି। ଏଥିସହ ବିଭିନ୍ନ ପ୍ରକାରର କଫି ମଗ୍‌ ମଧ୍ୟ ଉପଲବ୍ଧ ହେଉଛି। ଭାଇ, ଭାଉଜଙ୍କ ଫଟୋ ସହ ବିଭିନ୍ନ ବାର୍ତ୍ତା ଲେଖା ଦୁଇଟି କପ୍‌ ଓ ଟି-ସାର୍ଟ ଆଦି ରହିଛି। ଏହାର ଦାମ୍‌ ୧ ହଜାରରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ଦୂରରେ ରହୁଥିବା
ଭାଇଙ୍କ ପାଇଁ ‘ରାଖୀ ସେଟ୍‌’
ଏଥର ଭଉଣୀ ପାଖକୁ ଭାଇ ଯାଇପାରୁନଥିବାରୁ ଭଉଣୀଙ୍କ ସମସ୍ୟାକୁ ନଜରରେ ରଖି ଏବେ ଇଣ୍ଟରନେଟ୍‌ରେ ରାଖୀ ପ୍ୟାକେଜ୍‌ ଉପଲବ୍ଧ ହେଉଛି। ରାଖୀ ସହ ସିନ୍ଦୂର, ଚନ୍ଦନ ଗୁଣ୍ଡ, ଅରୁଆ କିଛି ଡ୍ରାଏ ଫ୍ରୁଟ୍‌ ଯଥା ଆଲ୍‌ମଣ୍ଡ୍ ଓ କାଜୁ ଆଦି ଗୋଟିଏ ସେଟ୍‌ କରି ବିକ୍ରି କରାଯାଉଛି। ଏଥିସହ ଏଥିରେ ଏକ ଶୁଭେଚ୍ଛା କାର୍ଡ ମଧ୍ୟ ରହୁଛି। ଏହାର ଦାମ୍‌ ୧୦୦୦ ଟଙ୍କାରୁ ଆରମ୍ଭ ହୋଇ ୨ ହଜାର ପର୍ଯ୍ୟନ୍ତ ରହିଛି। କିଛି କିଛି ସେଟ୍‌ରେ ରାଖୀ ସହ ଚନ୍ଦନ, ସିନ୍ଦୂର ଓ ଅରୁଆ ଚାଉଳ ସହ ଶୁଖିଲା ମିଠା ମଧ୍ୟ ଉପଲବ୍ଧ ହେଉଛି। ଏହାର ଦାମ୍‌ ନିଜ ପସନ୍ଦ ମୁତାବକ ରହିଛି।

ଅନ୍‌ଲାଇନ୍‌ରେ ଏବେ ଭିନ୍ନ ଭିନ୍ନ ଧରଣର ରାଖୀ ଉପଲବ୍ଧ ଥିବା ବେଳେ ମେଟାଲ ରାଖୀ ଟ୍ରେଣ୍ଡରେ ରହିଛି। ବ୍ଲାକ୍‌ ମେଟାଲ୍‌, ସିଲ୍‌ଭର୍‌ କିମ୍ବା ଗୋ‌ଲ୍‌ଡେନ୍‌ ମେଟାଲ୍‌ରେ ବିଭିନ୍ନ ଲେଖା କିମ୍ବା ଡିଜାଇନ୍‌ ସହ ଦୁଇ ପାର୍ଶ୍ବରେ ରେଶମୀ ଡୋର ବନ୍ଧା ହୋଇଥାଏ। ଏହି ରାଖୀରେ ମେଟାଲ୍‌ରେ ହିନ୍ଦୀ ଓ ଇଂରାଜୀରେ ବ୍ରୋ, ସୁପର ବ୍ରୋ, ଭାଇ, କଡକ୍‌ ବ୍ରୋ, ଚିଲ୍‌ ୱାଲା ଭାଇ, ଆଇ ଲଭ୍‌ ମାଇଁ ବ୍ରୋ,ଏ+ବ୍ରୋ, ବଡ଼ା ଭାଇ, ଛୋଟା ଭାଇ, ବେଷ୍ଟ ଭାଇ, ବକ୍‌ବକ୍‌ ଭାଇ, କେୟାରିଂ ୱାଲା ଭାଇ, ଟ୍ରାଭେଲର୍‌ ଭାଇ, ଦିଲ୍‌ଦାର୍‌ ଭାଇ, ଛୋଟ ଭାଇଙ୍କ ପାଇଁ ବିଭିନ୍ନ କାର୍ଟୁନ୍‌ ସହ ବେବି ବ୍ରୋ ଲେଖା ରାଖୀ ସହ ତ୍ରିଶୁଳ, ଗଣେଶ, ସ୍ପାଇଡର୍‌ ମ୍ୟାନ୍‌ ଆଦି ମେଟାଲ୍‌ର ବିଭିନ୍ନ ଡିଜାଇନ୍‌ ରାଖୀ ‌ସପିଂ ସାଇଟ୍‌ରେ ଲପଲବ୍ଧ। ଭଉଣୀମାନେ ନିଜ ଭାଇଙ୍କ ପ୍ରବୃତ୍ତି ଓ ପସନ୍ଦ ଅନୁସାରେ ଏଠାରୁ ରାଖୀ ପସନ୍ଦ କରି ସିଧାସଳଖ ନିଜ ଭାଇ ରହୁଥିବା ସ୍ଥାନକୁ ଅର୍ଡର ଦେଇପାରିବେ ବା ନିଜ ପାଖକୁ ମଗାଇ ପାରିବେ। ଏହାର ଦାମ୍‌ ୫୦ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe