ରକ୍ଷାବନ୍ଧନ: ଏକ ନୂତନ ଦୃଷ୍ଟିକୋଣ, ପରମାତ୍ମା ହିଁ ସତ୍ୟ ରକ୍ଷକ

ପୁରାଣ‌‌ରେ ରାଖୀ

ରକ୍ଷାବନ୍ଧନ: ଏକ ନୂତନ ଦୃଷ୍ଟିକୋଣ, ପରମାତ୍ମା ହିଁ ସତ୍ୟ ରକ୍ଷକ

ଭାଇ-ଭଉଣୀର ପବିତ୍ର ସଂପର୍କର ସ୍ମୃତିଦିବସ ରୂପେ ରକ୍ଷାବନ୍ଧନ ବା ରାଖୀର ପର୍ବ ପ୍ରତିବର୍ଷ ପାଳନ କରାଯାଏ। ରକ୍ଷା ବନ୍ଧନକୁ ଭଗିନୀ ଦିବସ ମଧ୍ୟ କୁହାଯାଇଥାଏ। ରାଖୀପୂର୍ଣ୍ଣିମା ଦିନ ଭଉଣୀ ବହୁ ଉତ୍ସାହରେ ଭାଇମାନଙ୍କ ହାତରେ ପବିତ୍ର ପ୍ରେମର ସୂତ୍ର ରୂପ‌ରେ ରଙ୍ଗବେରଙ୍ଗର ରାଖୀ ବାନ୍ଧିଥାଏ ଏବଂ ଭାଇର ଦୀର୍ଘାୟୁ କାମନା କରିଥାଏ। ଏହି ଦିନ ଭାଇ ନିଜ ଭଉଣୀଠାରୁ ରାଖୀ ବାନ୍ଧିବା ସମୟରେ ତା’ର ମାନ ରକ୍ଷା କରିବାର ନିଜ କର୍ତ୍ତବ୍ୟର ସଂକଳ୍ପକୁ ପୁନରାବୃତ୍ତି କରିଥାଏ। ବାସ୍ତବରେ ଏହା ହିଁ ଏହି ପବିତ୍ର ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଯଦିଓ ରକ୍ଷା ବନ୍ଧନର ଏହି ଉଦ୍ଦେଶ୍ୟ ଅତି ଶ୍ରେଷ୍ଠ, କିନ୍ତୁ ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ସତ୍ୟ ଯେ ଆଜି ସମାଜରେ ନାରୀ ପ୍ରତି କୁଦୃଷ୍ଟି, କୁବୃତ୍ତି ବହୁ ମାତ୍ରା‌ରେ ବଢ଼ି ଯାଇଛି। ପ୍ରତିଦିନ ମହିଳାମାନଙ୍କ ସହ ଅସଭ୍ୟ ବ୍ୟବହାର ଏବଂ ବଳାତ୍କାର ଘଟଣାମାନ ଘଟୁଛି। ଯେଉଁଥିପାଇଁ ପୂରା ନାରୀଜାତି ନିଜକୁ ଅସୁରକ୍ଷିତ ମନେ କରୁଛି। ଲୋକମାନେ ନିଜ ଭଉଣୀ-ଝିଅମାନଙ୍କୁ ଘରୁ ଏକା କେଉଁଠିକୁ ପଠାଇବାକୁ ଡରୁଛନ୍ତି। ଏପରି ଶୋଚନୀୟ ସ୍ଥିତିରେ ରାକ୍ଷୀ ପାବନ ପର୍ବ ମଧ୍ୟ ଏକ ପ୍ରଥା ମାତ୍ର ହୋଇ ରହିଯାଇଛି। ଆଜିକାଲି କୌଣସି ବି ଭଉଣୀର ସମ୍ମାନ ହଠାତ୍ କେତେବେଳେ ମଧ୍ୟ ସଙ୍କଟରେ ପଡ଼ିପାରେ। ସେତେବେଳେ ଘଟଣାସ୍ଥଳରେ ପହଞ୍ଚି ନିଜ ଭଉଣୀକୁ ରକ୍ଷା କରିବା ଏବେ ଭାଇ ପାଇଁ ଅସମ୍ଭବ କଥା ହୋଇଯାଇଛି।

ଏଭଳି ପରିସ୍ଥିତିରେ ରକ୍ଷାବନ୍ଧନକୁ ସାର୍ଥକ ରୂପେ ପାଳନ କରିବା ପାଇଁ ଏହାର ବିଧିରେ କିଛି ସଂଶୋଧନ କରିବା, କିଛି ନୂତନତା ଆଣିବାର ଆବଶ୍ୟକତା ରହିଛି। ବ୍ରହ୍ମାକୁମାରୀ ଭଉଣୀମାନଙ୍କର ବିଚାରରେ ଯଦି ପ୍ରତ୍ୟେକ ଭଉଣୀ ରକ୍ଷାବନ୍ଧନ ସମୟରେ ନିଜ ଭାଇଙ୍କୁ ଏହି ପ୍ରତିଜ୍ଞା କରାଇବେ ଯେ ସେମାନେ ଅନ୍ୟ ସବୁ ଭଉଣୀମାନଙ୍କୁ ନିଜ ଭଉଣୀ ପରି ଭାବିବେ, ତାଙ୍କୁ ପବିତ୍ର ଦୃଷ୍ଟିରେ ଦେଖିବେ, ତେବେ ସବୁ ଭଉଣୀମାନଙ୍କ ସମ୍ମାନ ରକ୍ଷା ହେବା ସମ୍ଭବ ହୋଇପାରିବ। ଏହାଦ୍ବାରା ସମାଜରେ ନାରୀ ଉପରୁ ଅତ୍ୟାଚାର ମଧ୍ୟ କମିପାରିବ।

ପୁରାଣ‌‌ରେ ରାଖୀ
‌ପୌରାଣିକ କଥା ଅନୁଯାୟୀ, ଯେତେବେଳେ ଦେବ ଅସୁର ସଂଗ୍ରାମ ଚାଲିଥିଲା, ଇନ୍ଦ୍ରଙ୍କ ସିଂହାସନ ଦୋହଲିବାକୁ ଲାଗିଲା। ତେଣୁ ଇନ୍ଦ୍ରାଣୀ ଇନ୍ଦ୍ରଙ୍କୁ ରାଖୀର ପବିତ୍ର ସୂତ୍ର ବାନ୍ଧିଥିଲା। ଏଥିଯୋଗୁଁ ତାଙ୍କର ବିଜୟ ହେଲା। ଏପରି ମଧ୍ୟ କୁହାଯାଏ ଯେ ଯମରାଜର ଭଉଣୀ ଯମୁନା ତାଙ୍କୁ ରାକ୍ଷୀ ବାନ୍ଧିଲେ ଓ ବଚନ ଦେଲେ ଯେ ଯେଉଁ ପ୍ରାଣୀ ରକ୍ଷାବନ୍ଧନର ପବିତ୍ର ପର୍ବରେ ନିଜ ଭଉଣୀଠାରୁ ରାଖୀ ବାନ୍ଧିବେ, ଯମଦୂତ ତାଙ୍କୁ କଷ୍ଟ ଦେବେନାହିଁ। ଏହି ପ୍ରାଚୀନ କଥା ଆଜି ମଧ୍ୟ ପଡ଼ୋଶୀ ଦେଶ ନେପାଳ ଓ ଭାରତରେ ମଧ୍ୟ କେଉଁ କେଉଁଠି ପ୍ରଚଳିତ ଅଛି।

ପରମାତ୍ମା ହିଁ ସତ୍ୟ ରକ୍ଷକ
ବ୍ରହ୍ମାକୁମାରୀ ଭଉଣୀମାନେ ରକ୍ଷାବନ୍ଧନ ପର୍ବକୁ ‘ବିଶ୍ୱ ବନ୍ଧୁତ୍ୱ’ ପର୍ବ ରୂପେ ପାଳନ କରନ୍ତି। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସବୁ ମନୁଷ୍ୟାତ୍ମା ଏକ ପରମାତ୍ମାଙ୍କ ସନ୍ତାନ ହୋଇଥିବା କାରଣରୁ ପରସ୍ପର ଭାଇଭାଇ। ସର୍ବଶକ୍ତିମାନ ପରମାତ୍ମା ହିଁ ସମସ୍ତଙ୍କ ସତ୍ୟରକ୍ଷକ। କିନ୍ତୁ ପରମାତ୍ମା ମଧ୍ୟ ସେମାନଙ୍କର ରକ୍ଷା କରନ୍ତି, ଯିଏ ନିଜେ ନିଜକୁ ରକ୍ଷା କରନ୍ତି। ଗୀତାରେ ବର୍ଣ୍ଣିତ ୫ମନୋବିକାର ଯଥା କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ହିଁ ଆତ୍ମାର ଶତ୍ରୁ ଅର୍ଥାତ୍ ସର୍ବତ୍ର ଦୂରାଚାର, ଭ୍ରଷ୍ଟାଚାର ଓ ପାପାଚାରର ମୂଳ କାରଣ। ଏହାର ଉତ୍ପତ୍ତି ଦେହ ଅଭିମାନରୁ ହୋଇଥାଏ। ଏଣୁ ବ୍ରହ୍ମାକୁମାରୀ ଭଉଣୀମାନେ ସମସ୍ତଙ୍କୁ ନିଜ ଆତ୍ମିକ ଭାଇ ମାନି କରି ସେମାନଙ୍କୁ ଆତ୍ମସ୍ମୃତି ଓ ବିକାରଗୁଡ଼ିକ ଉପରେ ବିଜୟୀ ହେବାର ତିଳକ ଦିଅନ୍ତି। ଅନ୍ନଦୋଷ, ଦୁର୍ବ୍ୟସନ, କୁସଙ୍ଗ ଓ କୁବୃତ୍ତିରୁ ବଞ୍ଚିବା ପାଇଁ ତାଙ୍କୁ ପରମାତ୍ମା ସ୍ମୃତି ଦ୍ୱାରା ଈଶ୍ୱରୀୟ ରକ୍ଷାପ୍ରାପ୍ତ କରିବା ପାଇଁ ରାଖୀ ବାନ୍ଧିଥା’ନ୍ତି।
ବି.କେ ନାଥକମଲ, ବ୍ରହ୍ମାକୁମାରୀଜ୍‌, କଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe