Sambad English
୩୬୫ ବ୍ଲାକ୍ସ୍ପଟ୍ ଓ ୧୩୦ ସମ୍ବେଦନଶୀଳ ଅଞ୍ଚଳକୁ ଗୁରୁତ୍ବ
ତାଲିମ୍ ନେବେ ଦୋକାନୀ,ଢାବା କର୍ମଚାରୀ ଓ ସ୍ଥାନୀୟଲୋକ
ଯୋଗାଇ ଦିଆଯିବ ଫାଷ୍ଟଏଡ୍ ବକ୍ସ, ମିଳିବ ପ୍ରୋତ୍ସାହନ ରାଶି
ଭୁବନେଶ୍ବର : ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ବର୍ଷକୁ ପାଖାପାଖି ୫ହଜାର ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି। ଆକଳନ କହୁଛି ସଡ଼କ ଦୁର୍ଘଟଣା ରାଜ୍ୟରେ ପ୍ରତିଦିନ ୧୩/୧୪ ମୁଣ୍ଡ ନେଉଛି। ଚିନ୍ତା ଓ ଉଦ୍ବେଗର ବିଷୟ ହେଉଛି ଏଭଳି ଦୁର୍ଘଟଣାରେ ମରୁଥିବା ୭୦ ପ୍ରତିଶତ ହେଉଛନ୍ତି ୧୮ରୁ ୪୫ ବର୍ଷ ବୟସର ଅର୍ଥାତ ଯୁବ ଶ୍ରେଣୀର। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ତତ୍କାଳ ଚିକିତ୍ସା ସେବା ଅଭାବରୁ ମୃତ୍ୟୁ ସଂଖ୍ୟା ବଢ଼ୁଛି। ତେଣୁ ଏଥିରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ସ୍ବେଚ୍ଛାସେବୀଙ୍କୁ ପ୍ରଥମ ଜୀବନ ରକ୍ଷାକାରୀ (ଫାଷ୍ଟ ରେସ୍ପଣ୍ଡର୍) ଭାବେ ତାଲିମ ଦିଆଯିବ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ଏହି ତାଲିମ ପ୍ରଦାନ କରିବେ।
ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର, କୋରାପୁଟ, ଫୁଲବାଣୀ, ସୁନ୍ଦରଗଡ଼, କେନ୍ଦୁଝର ଓ ଭବାନୀପାଟଣାରେ ଏଭଳି ଶିବିର କରାଯାଇ ସ୍ବେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ନେବା ପରେ ସେମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଅନ୍ୟମାନଙ୍କୁ ତାଲିମ ଦେବେ। ସୂଚନାଯୋଗ୍ୟ, ରାଜ୍ୟରେ ୩୬୫ ବ୍ଲାକ୍ସ୍ପଟ୍ ଓ ୧୩୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠି ସବୁବେଳେ ସଡ଼କ ଦୁର୍ଘଟଣା ଘଟିଥାଏ। ତେଣୁ ରକ୍ଷକ କାର୍ଯ୍ୟକ୍ରମରେ ସେହି ସବୁ ସ୍ଥାନରେ ଥିବା ଦୋକାନୀ, ଢାବା କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ତାଲିମ ଦିଆଯିବ। ଫଳରେ ସେମାନେ ଗୋଲ୍ଡେନ୍ ଆୱାର ମଧ୍ୟରେ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇ ଚିକିତ୍ସା ସେବା ପାଇବାରେ ସହଯୋଗ କରିବେ। ପ୍ରାଥମିକ ଚିକିତ୍ସା ସହ ତୁରନ୍ତ ହସ୍ପିଟାଲକୁ ନେବା ପାଇଁ ଏହି ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ। ଦୁର୍ଘଟଣାରେ ଆହତଙ୍କୁ ତ୍ବରିତ୍ ହସ୍ପିଟାଲ୍କୁ ନେବା ସମ୍ପର୍କରେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଯେଉଁମାନେ ଏଥିରେ ସାମିଲ୍ ହେବେ ସେମାନଙ୍କର ସମସ୍ତ ତଥ୍ୟ ନିକଟସ୍ଥ ଥାନାରେ ରହିବ। ପୁଲିସ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ। ପୂର୍ବରୁ ଭୟଥିଲା ଯେ ପୁଲିସ ସେମାନଙ୍କୁ ପଚରାଉଚରା କରି ହଇରାଣ କରୁଥିଲା। ଏମିତିକି ବେଳେବେଳେ ସେମାନଙ୍କ ନାଁରେ ମାମଲା ରୁଜୁ ହେଉଥିଲା। କିନ୍ତୁ ଏବେ ରକ୍ଷକ ଯୋଜନାରେ ସେଭଳି କିଛି ହେବାର ଭୟ ରହିବ ନାହିଁ। ବରଂ ଯେଉଁମାନେ ଭଲ କାମ କରିବେ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ଜାତୀୟ ରାଜପଥ, ରାଜ୍ୟ ରାଜପଥ କଡ଼ରେ ଥିବା ବ୍ଲାକ୍ସ୍ପଟ୍ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଚିହ୍ନଟ ଦୋକାନୀଙ୍କୁ ଫାଷ୍ଟଏଡ୍ ବକ୍ସ ଯୋଗାଇ ଦିଆଯିବ। ପରେ ଅଧିକ ଯାନବାହନ ଚଳାଚଳ କରୁଥିବା ରାସ୍ତାରେ ବି ଚିହ୍ନଟ ଦୋକାନୀଙ୍କୁ ଏହି ଫାଷ୍ଟଏଡ୍ ବକ୍ସ ଯୋଗାଇ ଦିଆଯିବ।
ଆଜି ପରିବହନ ବିଭାଗ, ଇଣ୍ତିଆନ୍ ରେଡ୍କ୍ରସ ସୋସାଇଟି ଏବଂ ଜର୍ମାନ ସଂସ୍ଥା(ଜିଗ୍)ର ମିଳିତ ସହଯୋଗରେ ରେଡ୍କ୍ରସ ଭବନରେ ଅନୁଷ୍ଠିତ ତାଲିମ୍ କାର୍ଯ୍ୟକ୍ରମରେ ଏଭଳି ମତ ପ୍ରକାଶ ପାଇଛି। କଟକ, ଭୁବନେଶ୍ବର ଏବଂ ଗଞ୍ଜାମର ଲୋକଙ୍କୁ ନେଇ ଆଜି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପରିବହନ ବିଭାଗର ଅତିରିକ୍ତ କମିସନର ଶ୍ରୀନିବାସ ବେହେରା, ଇଣ୍ଡିଆନ୍ ରେଡ୍କ୍ରସ୍ ସୋସାଇଟିର ସେକ୍ରେଟାରି ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ସିଟିଏମ୍ ସୁଗୁଣା, ଡିସିପି ଉମାଶଙ୍କର ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ-୧ ପ୍ରଦୀପ ମହାନ୍ତି, ଯୁଗ୍ମ କମିସନର(ସଡ଼କ ସୁରକ୍ଷା) ସଞ୍ଜୟ ବିଶ୍ବାଳ, ଡିସିପି ଟ୍ରାଫିକ୍ କେକେ ପାଣିଗ୍ରାହୀ, ଅରିନ୍ଦମ ଲହିରି, ଜିଗ୍ର ଜାତୀୟ ମୁଖ୍ୟ ଛବି ଧିଙ୍ଗ୍ରା ପ୍ରମୁଖ ଉପସ୍ଥିତ ଥିଲେ।
Follow Us