ରମାଦେବୀକୁ ୮୧ ଅତିଥି ଅଧ୍ୟାପକ ଭରସା: ଅବସରପ୍ରାପ୍ତଙ୍କ କାନ୍ଧରେ ଛାତ୍ରୀଙ୍କ ଶିକ୍ଷାର ଭାର

ନାକ୍‌ ଆସୁଥିବାରୁ ପ୍ରସ୍ତୁତ ହେଉଛି ବିଶ୍ବବିଦ୍ୟାଳୟ

ରମାଦେବୀକୁ ୮୧ ଅତିଥି ଅଧ୍ୟାପକ ଭରସା: ଅବସରପ୍ରାପ୍ତଙ୍କ କାନ୍ଧରେ ଛାତ୍ରୀଙ୍କ ଶିକ୍ଷାର ଭାର

ଭୁବନେଶ୍ବର: ଛାତ୍ରୀମାନଙ୍କୁ ପଢ଼ାଇବାକୁ ଆବଶ୍ୟକ ପ୍ରଫେସର୍‌ ନାହାନ୍ତି। ଫାଇଲ୍‌ କାମ କରିବାକୁ କର୍ମଚାରୀଙ୍କ ଘୋର ଅଭାବ। ଲାଇବ୍ରେରିରେ ଲାଇବ୍ରେରିଆନ୍‌ ଅଭାବ ରହିଛି। ପ୍ରାକ୍ଟିକାଲରେ ପିଲାମାନଙ୍କୁ ସହଯୋଗ କରିବାକୁ ଲାବରେଟୋରିଆନ୍‌ ନାହାନ୍ତି। ଏମିତି ନାହିଁ ନାହିଁରେ ଚାଲିଛି ଭୁବନେଶ୍ବରରେ ଥିବା ରାଜ୍ୟର ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟ। ୨୦୧୫ରେ ରମାଦେବୀ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟକୁ ଉନ୍ନୀତ ହୋଇଥିଲେ ମଧ୍ୟ ଆବଶ୍ୟକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇପାରି ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁରି ହୋଇଥିବା ଅଧ୍ୟାପକ ପଦବି ଖାଲି ପଡ଼ିଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ଆସନ୍ତା ମାସେ କି ଦୁଇ ମାସ ମଧ୍ୟରେ ନାକ୍‌ ଟିମ୍‌ ଏହି କ୍ୟାମ୍ପସକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତା’ପୂର୍ବରୁ ଯଦି ପଦବି ପୂରଣ କରା ନ ଯାଏ ତାହା ହେଲେ ଭଲ ଗ୍ରେଡ୍‌ ମିଳିବାରେ ସମସ୍ୟା ସୃଷ୍ଟି ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଥର ରେକର୍ଡ ସଂଖ୍ୟକ ଅତିଥି ଅଧ୍ୟାପକ ନିଯୁକ୍ତ କରିଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଓ ସର୍ତ୍ତାବଳୀ ଅନୁଯାୟୀ ୨୦୨୪-୨୫ ଶିକ୍ଷାବର୍ଷରେ ଶିକ୍ଷାଦାନକୁ ଶୃଙ୍ଖଳିତ କରିବାକୁ ବିଶ୍ବବିଦ୍ୟାଳୟରେ ୮୧ଜଣ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅବସର ନେଇଥିବା ପ୍ରାଧ୍ୟାପକ, ସହଯୋଗୀ ଓ ସହକାରୀ ପ୍ରାଧ୍ୟାପକ ଅନ୍ତର୍ଭୁକ୍ତ ରହିଛନ୍ତି। କେତେଜଣ ଯୁବକ ଅଧ୍ୟାପକ ଅଧ୍ୟାପିକାଙ୍କୁ ମଧ୍ୟ ଅତିଥି ଅଧ୍ୟାପକ ଭାବେ କର୍ତ୍ତୃପକ୍ଷ ନିଯୁକ୍ତି ଦେଇଛନ୍ତି। ନିୟମ ଅନୁଯାୟୀ ସେମାନଙ୍କୁ ଚୟନ କରାଯାଇଛି। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ୯ ବର୍ଷ ବିତିବାକୁ ବସିଲାଣି। ମାତ୍ର ଆଜି ପର୍ଯ୍ୟନ୍ତ ଦ୍ବିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ହୋଇପାରିଲା ନାହିଁ। ଏବେ ବି ୨୩ ଏକର ପରିମିତ ଏହି କ୍ୟାମ୍ପସରେ ଯୁକ୍ତ୨ରୁ ପିଏଚ୍‌ଡି ପର୍ଯ୍ୟନ୍ତ ଛାତ୍ରୀ ପଢ଼ୁଛନ୍ତି। ଖେଳିବା ପାଇଁ ବିଶ୍ବବିଦ୍ୟାଳୟର ପଡ଼ିଆ ନଥିବା ବେଳେ ମଞ୍ଜୁରି ପ୍ରାପ୍ତ ପ୍ରଫେସର ପଦବି ମଧ୍ୟରୁ ଶତାଧିକ ଖାଲି ପଡ଼ିଛି।

ନୂତନ ଭାବେ ଚୟନ ହୋଇଥିବା ଅତିଥି ଅଧ୍ୟାପକଙ୍କୁ ଆଜି ପ୍ରଶିକ୍ଷଣ ଦିଆଯାଇଛି। କ୍ୟାମ୍ପସରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଅଧ୍ୟକ୍ଷତା କରିବା ସହ ଯୋଗଦେଇଥିବା ଅତିଥି ଅଧ୍ୟାପକଙ୍କୁ ବିଶ୍ବବିଦ୍ୟାଳୟ ନିୟମ, ଗାରିମା ଓ ପରମ୍ପରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେମାନଙ୍କ ସହଯୋଗରେ ଛାତ୍ରୀଙ୍କ ଶିକ୍ଷା ଗ୍ରହଣ ଗୁଣାତ୍ମକ ଭାବେ ବୃଦ୍ଧି ପାଇବ ଏବଂ ବିଶ୍ବବିଦ୍ୟାଳୟ ପରିଚାଳନା ଆହୁରି ସୁଦୃଢ଼ ହେବ ବୋଲି ଆଶାପ୍ରକଟ କରିଛନ୍ତି। ସ୍ନାତକୋ‌ତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀଚରଣ ରଥ ସ୍ବାଗତ ଭାଷଣ ଏବଂ ଚୟନ କମିଟିର ସଂଯୋଜକ ବିଭୁଦେନ୍ଦୁ ପତି ଧନ୍ୟବାଦ ଦେଇଥିଲେ। ବିଭିନ୍ନ ବିଭାଗର ମୁଖ୍ୟମାନେ ଏହି ବୈଠକରେ ଯୋଗଦେଇଥିଲେ। ସୂଚନା ଅନୁଯାୟୀ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି। ଗୋଟିଏ ପଟେ ରାଜ୍ୟ ସରକାର ଥିବା ବେଳେ ଅନ୍ୟପଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ରହିଛନ୍ତି। ଉଭୟଙ୍କ ମଧ୍ୟରେ ସଂଶୋଧନ ଆଇନକୁ ନେଇ ବିବାଦ ସୃଷ୍ଟି ହୋଇଥିବାରୁ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଡବଲ୍‌ ଇଞ୍ଜିନ୍‌ ସରକାର ଥିବାରୁ ବିବାଦରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଶିକ୍ଷାବିତ୍‌ମାନେ ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe