‘ଦ୍ରୌପଦୀଙ୍କ ପାଇଁ ଆମେ ଗର୍ବିତ’: ରମାଦେବୀ, ୟୁନିଟ୍‌-୨ ବାଳିକା ହାଇସ୍କୁଲ ଉତ୍ସବମୁଖର

Advertisment
‘ଦ୍ରୌପଦୀଙ୍କ ପାଇଁ ଆମେ ଗର୍ବିତ’: ରମାଦେବୀ, ୟୁନିଟ୍‌-୨ ବାଳିକା ହାଇସ୍କୁଲ ଉତ୍ସବମୁଖର

ଭୁବନେଶ୍ବର : ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଭୁବନେଶ୍ବରରେ ଖୁସିର ମାହୋଲ ଖେଳିଯାଇଛି। ଜଣେ ଓଡ଼ିଆ ଭାବେ ସେ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବା ପ୍ରାୟତଃ ଚୂଡ଼ାନ୍ତ ହୋଇଥିବାରୁ ରାଜ‌ନୈତିକ ବ୍ୟକ୍ତିବିଶେଷ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇ ଚାଲିଛନ୍ତି। ସେ ଉଚ୍ଚଶିକ୍ଷା ଗ୍ରହଣ କରିଥିବା ଦୁଇ ଶିକ୍ଷାନୁଷ୍ଠାନରେ ଆଜି ସମ୍ପୂର୍ଣ୍ଣ ଅଲଗା ପରିବେଶ ଦେଖିବାକୁ ମିଳିଥିଲା। ‌ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିବା‌ ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀ, କର୍ମଚାରୀଙ୍କ ପର୍ଯ୍ୟନ୍ତ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଥିଲେ। ଖାଲି ସେତିକି ନୁହେଁ; କ୍ଲାସ୍‌ ଆରମ୍ଭରୁ ଶିକ୍ଷୟିତ୍ରୀମାନେ ଶ୍ରେଣୀ କକ୍ଷରେ ଛାତ୍ରୀମାନଙ୍କ ସହ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଆଲୋଚନା କରିଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ ବି ଉତ୍ସାହିତ ହୋଇପଡ଼ିଛନ୍ତି। ସାମାଜିକ ଗଣମାଧ୍ୟମରେ ‘ଦ୍ରୌପଦୀଙ୍କ ପାଇଁ ଆମେ ଗର୍ବିତ’ ଲେଖି ଶୁଭେଚ୍ଛା ଜଣାଇଛନ୍ତି। ରମାଦେବୀର ପୁରାତନ ଛାତ୍ରୀ ଭାବେ ଗତ ୨୦୧୭ରେ ଦ୍ରୌପଦୀଙ୍କ କ୍ୟାମ୍ପସକୁ ଗସ୍ତ ବେଳର ଫଟୋ ସେୟାର କରିଛନ୍ତି।

ବର୍ତମାନର ହଷ୍ଟେଲ୍‌ ଓ୍ବାର୍ଡନ୍‌ ଉଷାରାଣୀ ମୁଣ୍ଡା କହିଛନ୍ତି ମୁ୍ଁ ଜଣେ ଆଦିବାସୀ ମହିଳା ଓ ମୟୂରଭଞ୍ଜର ବୋହୂ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେଉଥିବା ଶୁଣି ଭାରି ଖୁସି ଲାଗୁଛି। ଏଠାରେ ରହି ସେ ପାଠ ପଢୁଥିବାରୁ ଆହୁରି ଖୁସି ଲାଗୁଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଟ୍ଟନାୟକ କହିଛନ୍ତି, ଦ୍ରୌପଦୀ ମୁର୍ମୁ ଏହି ବିଦ୍ୟାଳୟର ପୁରାତନ ଛାତ୍ରୀ। ଏଠାରୁ ଶିକ୍ଷା ଲାଭ କରିଥିବା ଛାତ୍ରୀ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଥିବା ଶୁଣି ଆମେ ଆତ୍ମହରା ହୋଇପଡ଼ିଛୁ। ଆମ ବିଦ୍ୟାଳୟ ଆଲୁମିନି ଗ୍ରୁପ୍‌ରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ସ୍କୁଲ ହଷ୍ଟେଲରେ ରହି ଜିପ୍‌ରେ କଲେଜ ଆସୁଥିଲେ
ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ପାସ୍ ପରେ ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ପଢ଼ିଥିଲେ। ସ୍କୁଲ ପାଖରେ ଥିବା କୁନ୍ତଳା କୁମାରୀ ସାବତ ଛାତ୍ରୀନିବାସରେ ରହୁଥିଲେ। ୧୯୭୪ରେ ବିଦ୍ୟାଳୟରୁ ପାସ୍ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ପଢ଼ିବା ପାଇଁ ନାମ ଲେଖାଇଥିଲେ। ମାତ୍ର ସେଠାରେ ହଷ୍ଟେଲ୍‌ ନିର୍ମାଣ ହୋଇ ନ ଥିବାରୁ କିଛି ଦିନ ପାଇଁ ଏହି ହଷ୍ଟେଲ୍‌ରୁ ଏକ ଜିପ୍‌ରେ ରମାଦେବୀ ମହାବିଦ୍ୟାଳୟକୁ ଯିବା ଆସିବା କରୁଥିଲେ। ସେ ଭାରି ଶାନ୍ତ ସରଳ ସ୍ବଭାବର ଝିଅ ଥିଲେ। କାହା ସହ ଏତେ କଥା କୁହନ୍ତି ନାହିଁ। ପାଠପଢ଼ା ସହ ସେ ସବୁବେଳେ ଜଡ଼ିତ ହୋଇ ରହୁଥିଲେ ବୋଲି ଦ୍ରୌପଦୀଙ୍କ ସମୟରେ ହଷ୍ଟେଲ୍‌ ଓ୍ବା‌ର୍ଡନ୍‌ ଗୋପାଳ ବାହାଦୂରଙ୍କ ପତ୍ନୀ ଅନୁରାଧା ବାହାଦୂର କହିଛନ୍ତି।

ଖୋଲିବ କି ଆଦିବାସୀ ଗବେଷଣା ‌କେନ୍ଦ୍ର?
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ଖୁସି ବ୍ୟକ୍ତ କରିଛନ୍ତି। ଭୋର୍‌ରୁ କ୍ୟାମ୍ପସରେ ଖୁସିର ମାହୋଲ ଜଣାପଡ଼ି ଯାଉଥିଲା। କ୍ୟାମ୍ପସର ପୁରାତନ ଛାତ୍ରୀ ଦେଶର ଶୀର୍ଷ ପଦରେ ବସିବାକୁ ଯାଉଥିବାରୁ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଫେସର ଚୌଧୁରୀ କହିଛନ୍ତି ଯେ ମାଡାମ୍‌ଙ୍କ ପାଇଁ ଆମେ ଆଜି ଗର୍ବିତ। ୪ ବର୍ଷ ଧରି ସେ ଏଠାରେ ଶିକ୍ଷା ଗ୍ରହଣ କରିଥିଲେ। ଇନ୍ଧିରା ଗାନ୍ଧୀ ହଷ୍ଟେଲରେ ରହି ପଢ଼ୁଥିଲେ। ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଆମେ ସମସ୍ତେ ଖୁସି। ସେ ସବୁବେଳେ ଟ୍ରାଇବାଲ୍‌ ଷ୍ଟଡି ଉପରେ ଗୁରୁତ୍ବ ଦେଉଥିଲେ। ଝାଡ଼ଖଣ୍ଡରେ ରାଜ୍ୟପାଳ ଥିବା ସମୟରେ ଏଠାରେ ଆଦିବାସୀ ଗବେଷଣା ‌କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଦେଇଥିଲେ।

publive-image

ରମାଦେବୀରୁ ସମ୍ମାନସୂଚନ ଡକ୍ଟରେଟ୍‌
ରମାଦେବୀ ମହିଳା ମହାବିଦ୍ୟାଳୟରେ ୪ ବର୍ଷ ଧରି ପାଠ ପଢ଼ିଥିଲେ। ୧୯୭୫ରୁ ୧୯୭୯ ମସିହା ପର୍ଯ୍ୟନ୍ତ ଏଠାରୁ ଯୁକ୍ତ୨ ଓ ଯୁକ୍ତ୩ ଶିକ୍ଷା ଲାଭ କରି ସଫଳତାର ସହ କୃତକାର୍ଯ୍ୟ କରିଥିଲେ। କୌଣସି ବି ପରୀକ୍ଷାରେ କେବେ ଫେଲ୍‌ ହୋଇ ନ ଥିଲେ। କଲେଜ ଶିକ୍ଷାର ୪୦ ବର୍ଷ ପରେ ନି‌ଜେ ପଢ଼ିଥିବା ଶିକ୍ଷାନୁଷ୍ଠାନରୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ଲାଭ କରିଥିଲେ। ୨୦୧୭ରେ ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତନ ଉତ୍ସବରେ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଥିଲା। ସେତେବେଳେ ସେ ଝାଡ଼ଖଣ୍ଡର ରାଜ୍ୟପାଳ ପଦରେ ଅଧିଷ୍ଠିତ ହୋଇଥିଲେ।

publive-image

ସ୍କୁଲ ଥିଲା ଯଶୋଦା ମା’
୨୦୧୯ ନଭେମ୍ବର ୨୫ ତାରିଖରେ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡର ରାଜ୍ୟପାଳ ଓ ପୁରାତନ ଛାତ୍ରୀ ଭାବେ ସେ ଯୋଗ ଦେଇଥିଲେ। ଉକ୍ତ ଉତ୍ସବରେ ଦ୍ରୌପଦୀ ବିଦ୍ୟାଳୟ ସମୟର ଅନୁଭୂତି ଓ ସ୍ମୃତିକୁ ମନେ ପକାଇ କହିଥିଲେ ମୟୂରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରୁ ଆସି ରାଜଧାନୀରେ ରହିବା ମୋ ପାଇଁ ସହଜ ନଥିଲା। ଏହି ସ୍କୁଲ୍‌ ମୋ ପାଇଁ ଯଶୋଦା ମା’ ସଦୃଶ୍ୟ। ସେ ସମୟର ହଷ୍ଟେଲ୍‌ର ମ୍ୟାଟ୍ରନ୍‌ ଶାନ୍ତିଲତା ମୋତେ ଜୀବନ ଜିଇଁବାର କଳା ଶିଖାଇଛନ୍ତି। ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଛୁ ବୋଲି ସଙ୍କୋନ ନ କରି ନିଜର କଠିନ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରିବାକୁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe