ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ: ୧୧ଟି ବିଷୟରେ ଖୋଲିବ ପିଏଚ୍‌ଡି

Advertisment

ଏମ୍‌ଜେଏମ୍‌ସିରେ ନାମଲେଖା ହେବ, ଯୁକ୍ତ୩ରେ ଖୋଲିବ ଶିକ୍ଷା ଅନର୍ସ

ଏମ୍‌ଜେଏମ୍‌ସିରେ ନାମଲେଖା ହେବ, ଯୁକ୍ତ୩ରେ ଖୋଲିବ ଶିକ୍ଷା ଅନର୍ସ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ: ୧୧ଟି ବିଷୟରେ ଖୋଲିବ ପିଏଚ୍‌ଡି

ଭୁବ‌ନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୧୧ଟି ବିଭାଗରେ ପିଏଚ୍‌ଡି ଖୋଲିବ। ପ୍ରତି ବିଭାଗରେ କେତୋଟି ଲେଖାଏଁ ସିଟ୍‌ ରହିବ, ସେନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ତେବେ ବିଭାଗରେ ଥିବା ପ୍ରଫେସର୍‌ଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀଙ୍କ ସଂଖ୍ୟା ସ୍ଥିର ହେବ। ୨୦୨୦-୨୧ ଶିକ୍ଷାବର୍ଷରୁ ପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଯୁକ୍ତ୩ (ସ୍ନାତକ)ରେ ୪୮ଟି ସିଟ୍‌କୁ ନେଇ ଶିକ୍ଷା ବିଭାଗ ଅନର୍ସ ଖୋଲିବ। ଚଳିତ ଶିକ୍ଷାବର୍ଷରେ ଏମ୍‌ଜେଏମ୍‌ସି ପାଠ୍ୟକ୍ରମରେ ନାମଲେଖା ହେବ। ଏଥିପାଇଁ ଦୁଇଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆସରିଲାଣି। ପ୍ରାଥମିକ ପର୍ଯ୍ୟାୟରେ ୩୨ଟି ସିଟ୍‌ରେ ନାମ‌ଲେଖା ହେବ। ଖାଲିଥିବା ୬୪ଟି ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ପୂରଣ ଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାବ୍ୟତୀତ ରୁସା ପାଣ୍ଠିରେ ପ୍ରାୟ ୫୫ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୫ଟି ବିଲଡିଂ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ଖୁବ୍‌ଶୀଘ୍ର‌ କାର୍ଯ୍ୟକ୍ଷମ ହେବ ବୋଲି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ଆଜି କର୍ତୃପକ୍ଷ ସୂଚନା ଦେଇଛନ୍ତି।

ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଉତ୍ସବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହି‌ଲେ, ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ହେବ। ବର୍ତ୍ତମାନ ସମୟରେ ବହୁ ଛାତ୍ରୀ ଓ ମହିଳା ପଛରେ ପଡ଼ିଛନ୍ତି। ଯେଉଁମାନଙ୍କୁ ନ୍ୟୁ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ପରି କାର୍ଯ୍ୟକ୍ରମରେ ସାମିଲ କରିବାର ଆବଶ୍ୟକତା ରହିଛି। ଛାତ୍ରୀମାନେ ଆଗକୁ ‌ବଢ଼ିବା ସମୟରେ ଆଚରଣ ଓ ଉଚ୍ଚାରଣ ଠିକ୍‌ ହେବା ଦରକାର। ଛାତ୍ରୀମାନେ ଯେପରି ଅଧାରୁ ପାଠପଢ଼ା ନ ଛାଡ଼ନ୍ତି, ସେ ଦିଗରେ ଆମକୁ ପଦକ୍ଷେପ ନେବାକୁ ପଡ଼ିବ। ବର୍ତମାନ ସମୟରେ ‌ଯେଉଁ ଆହ୍ୱାନ ସୃଷ୍ଟି ‌ହେଉଛି, ତାହାକୁ ଗ୍ରହଣ କରି ଆଗକୁ ବଢ଼ିବାକୁ ହେବ। ଏ ଦିଗରେ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ରମାଦେବୀ ବିଶ୍ବବିଦ୍ୟାଳୟର ଏବେ ୬ ବର୍ଷର ଶିଶୁ। ଏହି ସମୟରେ ହିଁ ବିଶ୍ବବିଦ୍ୟାଳୟର ବିକାଶ ହୋଇଥାଏ। ଗୁଣାତ୍ମକ ଶିକ୍ଷା ଉପରେ ଆମକୁ ପ୍ରାଥମିକତା ଦେବାକୁ ହେବ। ମିଳିତ ଭାବେ କାର୍ଯ୍ୟ କରିବା ସହ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତାକୁ ପ୍ରାଥମିକତା ଦେବାକୁ ହେବ। ଯେତିକି ମାନବ ସମ୍ବଳ ଉପଲବ୍ଧ ରହିଛି, ତାହାକୁ ଆଧାର କରି ଆଗକୁ ବଢ଼ିବାକୁ ପଡ଼ିବ।

ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ନାରାୟଣ ସେଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ନାତ୍ତକୋତର ପରିଷଦ ଅଧ୍ୟକ୍ଷା ପ୍ରଫେସର୍‌ ସସ୍ମିତା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ରମାଦେବୀ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ, ବିଜ୍ଞାନ ଓ ସମାଜ ବିଜ୍ଞାନ ଗବେଷଣା ପତ୍ରିକା ଓ ବୁଲେଟିନ୍‌ ଉନ୍ମୋଚିତ ହେବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଡ.ମନୀଷା ମିଶ୍ର ସଭା ସଂଯୋଜନା କରିଥିବା ବେଳେ ଡ. ଶିଖା ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍‌ ଚଣ୍ଡୀଚରଣ ରଥ, ପ୍ରଫେସର୍‌ ମଧୁସ୍ମିତା ପତି, ଡ. ସରିତା ସୂପକାର, ଡ. ବିଭୂଦେନ୍ଦୁ ପତି, ଡ. ମାନସ ବେହେରା, ଡ. ଶକ୍ତିକାନ୍ତ ରଥ, ରେବତୀକାନ୍ତ ମହାରଣା, ସୁପ୍ରୀତି ପାଣିଗ୍ରାହୀ, ପ୍ରଫେସର୍‌ ଜ୍ୟୋତିର୍ମୟୀ ଆଚାର୍ଯ୍ୟ, ସୁଜାତା ମହାନ୍ତି, ସୁଶୀଲ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe