ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମାକାନ୍ତ, ଆର୍ଥିକ ସହଯୋଗ ପାଇଁ ନିବେଦନ

Advertisment
ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମାକାନ୍ତ, ଆର୍ଥିକ ସହଯୋଗ ପାଇଁ ନିବେଦନ

ଭୁବନେଶ୍ବର: କାଳେ କାଳେ ମାନବିକତା ବଞ୍ଚିଛି। ସହୃଦୟ ବ୍ୟକ୍ତିମାନଙ୍କ ସହଯୋଗ ବଳରେ ବହୁ ଅସହାୟ ବ୍ୟକ୍ତି ଉପକୃତ ହୋଇପାରୁଛନ୍ତି। ତେଣୁ ସ୍ତ୍ରୀ ବନ୍ଦିତା ଓ ବାପା ରାଜକିଶୋର ଆଶା ଛାଡ଼ି ନାହାନ୍ତି। ରମାକାନ୍ତଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ମିଳିବ ବୋଲି ସେମାନେ ଆକୁଳ ନିବେଦନ କରିଛନ୍ତି। ଏକ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ହୋଇପାରିଲେ, ରମାକାନ୍ତ ପୁଣି ସୁସ୍ଥ ହୋଇପାରିବେ ଓ ପରିବାରର ଭରସା ହେବେ। ଏଥିପାଇଁ ସ୍ତ୍ରୀ ଓ ବାପା ଆର୍ଥିକ ସହଯୋଗ ପାଇଁ ନିବେଦନ କରିଛନ୍ତି।

ରମାକାନ୍ତଙ୍କ ଆକସ୍ମିକ ଦୁର୍ଘଟଣା ଥିଲା ଏମିତି; ୨୦୨୦ ନଭେମ୍ବର ୧୫। ସେଦିନ ଥିଲା ଦୀପାବଳି ଅମାବାସ୍ୟା। ରମାକାନ୍ତ ଘରେ ପହଞ୍ଚିଲେ ବଡ଼ବଡ଼ିଆ ଟେକିବେ। ଭୁବନେଶ୍ବରରେ ଡେଲିଭରି ବୟ ଭାବେ କାମ କରୁଥିବା ରମାକାନ୍ତ କାମ ସାରି ଘର ପାଇଁ ମିଠା, କ୍ୟାଣ୍ଡେଲ୍‌, ଛୋଟ ଝିଅ ପାଇଁ ଡ୍ରେସ୍‌ ଓ ସ୍ତ୍ରୀ ପାଇଁ ଶାଢ଼ି କିଣି ପ୍ରାୟ ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ବରରୁ ବାଇକ୍‌ ଯୋଗେ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଭିମୁଖେ ବାହାରିଲେ। ସେପଟେ ଘରେ ସମସ୍ତେ ତାଙ୍କ ଫେରିବା ବାଟକୁ ଚାହିଁ ବସିଥାନ୍ତି। ମାତ୍ର ବିଧିର ବିଧାନ ଥିଲା ଅଲଗା।

ନିଜ ଗାଁଠୁ ମାତ୍ର ୧୫କିମି ଦୂର ଯମୁନାହଦଗଡ଼ାଠାରେ ଏକ ସଡ଼କ ଦୁର୍ଘଟଣାରେ ସବୁକିଛି ଓଲଟପାଲଟ ହୋଇଗଲା। ଦୁର୍ଘଟଣାରେ ରମାକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା। ହେଲେ କଟକ ବଡ଼ ମେଡିକାଲରେ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ତାଙ୍କୁ କଟକର ଏକ ‌ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ପ୍ରାୟ ୬ ମାସ ଧରି ଚିକିତ୍ସା ଚାଲିଲା। ମୁଣ୍ଡରେ ଅସ୍ତ୍ରୋପଚାର କରାଗଲା। କିନ୍ତୁ ନାକ ଦେଇ ନିଃଶ୍ବାସ ନେବାରେ ଅସୁବିଧା ହେଲା।

ତେଣୁ ବେକରେ ଏକ ଛିଦ୍ର କରାଯାଇ ସେହିବାଟରେ ନିଃଶ୍ବାସ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଏସବୁ ଭିତରେ ଦେଢ଼ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେମିତି ଚିକିତ୍ସା ଚାଲିଛି। ଘରର ଜମି ବାଡ଼ି ଯାହା ଥିଲା ସବୁ ବିକ୍ରି ହୋଇସାରିଛି। ଏବେ ସୁଦ୍ଧା ପରିବାର ପକ୍ଷରୁ ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ପାଖରୁ ଟଙ୍କା ସରିଯିବାରୁ ଘରୋଇ ହସ୍ପିଟାଲ୍‌ ଫେରାଇ ଦେ‌ଲା। ଏହା ପରେ ସେ ଭୁବନେଶ୍ବର ଏମ୍‌ସ ଯାଇଥିଲେ। ହେଲେ ସେଠାରେ ବେଡ୍‌ ନଥିବା ଦର୍ଶାଇ ତାଙ୍କୁ ଫେରାଇ ଦିଆଗଲା। ଏବେ ଭାଗ୍ୟକୁ ଆଦରି ଝାରପଡ଼ା କେନାଲ୍ ରୋଡ୍‌ସ୍ଥିତ ଏକ ଭଡ଼ାଘରେ ପ୍ରତିଦିନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମାକାନ୍ତ।

ଡାକ୍ତରଙ୍କ କହିବାନୁସାରେ, ଏବେ ତାଙ୍କର ଆଉ ଏକ ଅସ୍ତ୍ରୋପଚାର କରାଯିବ। ତେବେ ଯାଇ ଶ୍ବାସକ୍ରିୟା ସ୍ବାଭାବିକ ହେବା ସହ ମସ୍ତିଷ୍କ ଠିକ୍‌ ଭାବେ କାମ କରିବ। ଏଥିପାଇଁ ୫ଲକ୍ଷରୁ ଅଧିକ ଟଙ୍କା ଦରକାର। ହେଲେ ବର୍ତ୍ତମାନ ପରିସ୍ଥିତିରେ ଟଙ୍କାଟିଏ ଖର୍ଚ୍ଚ କରିବା ପାଇଁ ପରିବାରଲୋକଙ୍କ ପାଖରେ ସମ୍ବଳ ନାହିଁ। ଏବେ ସ୍ତ୍ରୀ ବନ୍ଦିତା ଗୋଟେ ଛୋଟ ‌ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏଭଳି ଅବସ୍ଥାରେ ସ୍ତ୍ରୀ ବନ୍ଦିତା ଓ ବାପା ରାଜକିଶୋର ରମାକାନ୍ତଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଚାହୁଥିବେ, ତେବେ କାନାରା ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର- ୬୦୪୬୧୦୧୦୦୨୯୨୨, ଆଇଏଫ୍‌ସି କୋର୍ଡ- ସିଏନ୍‌ଆର୍‌ବି୦୦୦୬୦୪୬ ଏବଂ ଫୋନ୍‌ ପେ’ ନମ୍ବର ୭୬୦୫୮୬୩୨୧୦, ୯୬୬୮୩୮୩୨୫୩, ୯୪୩୮୬୨୪୫୧୮ରେ ଟଙ୍କା ପଠାଇ ତାଙ୍କୁ ଏଭଳି ବିପଦରୁ ମୁକାଳିବାକୁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe